କଳାଧନକୁ ସରକାରଙ୍କ ନାଲି ଆଖି : ଆଜି ଓ ଆସନ୍ତାକାଲି ଏଟିଏମ ବନ୍ଦ, ବ୍ୟାଙ୍କ ସେବା ଠପ୍

24

କନକ ବ୍ୟୁରୋ : କଳାଧନ ଉପରେ ଲଗାମ କଷିବାକୁ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ । ଗତକାଲି ମଧ୍ୟରାତ୍ରରୁ ଅଚଳ ହୋଇଛି ୫ଶହ ଓ ୧ ହଜାର ଟଙ୍କିଆ ନୋଟ୍ । ଗତକାଲି ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଏହି ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ପାଖରେ ଥିବା ୫ ଶହ ଓ ୧ ହଜାର ଟଙ୍କିଆ ନୋଟକୁ ବ୍ୟାଙ୍କ କିମ୍ବା ଡାକଘରେ ଜମା କରିବାକୁ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

କଳାଧନ, ଜାଲନୋଟ, ଦୁର୍ନୀତି ଓ ଆତଙ୍କବାଦ ଉପରେ ଏହା ପ୍ରଧାନମନ୍ତ୍ରୀଙ୍କ ସର୍ଜିକାଲ ଷ୍ଟ୍ରାଇକ ବୋଲି କୁହାଯାଉଛି । ରାଷ୍ଟ୍ରକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏବେ ୫ଶହ ଓ ଏକ ହଜାର ଟଙ୍କିଆ ନୋଟ କାଗଜ ସହ ସମାନ ହୋଇଯିବ । ତେବେ ଲୋକେ ନିଜ ପାଖରେ ଥିବା ଟଙ୍କାକୁ ବ୍ୟାଙ୍କ ଓ ପୋଷ୍ଟ ଅଫିସରେ ଜମା କରି ସମାନ ମୁଲ୍ୟର ଟଙ୍କା ପାଇ ପାରିବେ ।

୫୦ ଦିନ ଭିତରେ ନିଜ ଖାତାରେ ନୋଟ୍ ଜମା କରିବାକୁ ସମୟସୀମା ରହିଛି । ଏଥି ପାଇଁ ୧୦ ନଭେମ୍ବରରୁ ୩୦ ଡିସେମ୍ବର ପର୍ଯ୍ୟନ୍ତ ସମୟ ରଖାଯାଇଛି । ଏହା ପରେ ନୂଆ ୫ ଶହ ଓ ୨ ହଜାର ଟଙ୍କିଆ ନୋଟ୍ ଆସିବ । ଆଜି ଓ ଆସନ୍ତା କାଲି ଏଟିଏମ ସେବା ଓ ବ୍ୟାଙ୍କ ବନ୍ଦ ରହିବ । ଏହା ପରେ ୧୧ ନଭେମ୍ବରରୁ ଏଟିଏମ୍ ସେବା ଆରମ୍ଭ କରାଯିବ । କିନ୍ତୁ ଆରମ୍ଭରୁ ଦିନକୁ ଏଟିଏମରୁ  ୨ ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଇ ପାରିବେ । ପରେ ଏହି ପରିମାଣକୁ ବଢାଯିବ । ତେବେ ସବୁ ସରକାରୀ ହସ୍ପିଟାଲରେ ପୁରୁଣା ନୋଟକୁ  ଗ୍ରହଣ କରାଯିବ । ଏହା ସହ ଚେକ୍, ଡିମାଣ୍ଡ ଡ୍ରାଫ. ଡେବିଟ୍ କାର୍ଡ ଓ କ୍ରେଡିଟ୍ କାର୍ଡରେ କାରବାର ପ୍ରଭାବିତ ହେବ ନାହିଁ । ଅନଲାଇନ ପେମେଂଟ୍ ଉପରେ ମଧ୍ୟ ପ୍ରଭାବ ପଡିବନି ।