ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୨ରୁ ସକାଳୁଆ ସ୍କୁଲ । ସରକାରଙ୍କ ପକ୍ଷରୁ ନୋଟିସ ଜାରି

29

କନକ ବ୍ୟୁରୋ : ଆସନ୍ତା ଏପ୍ରିଲ ୨ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ସକାଳୁଆ ହେବ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନୋଟିସ ଜାରି ହୋଇଛି । ରାଜ୍ୟରେ ହେଉଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପରି ନିଷ୍ପତି ନିଆଯାଇଥିବା କୁହାଯାଇଛି । ସମସ୍ତ ସ୍କୁଲ ସକାଳ ୬ଟା ୩୦ରୁ ଆରମ୍ଭ ହୋଇ ଦିନ ୧୦ଟା ୩୦ ସୁଦ୍ଧା ଶେଷ ହେବ ବୋଲି ଚିଠିରେ ଉଲ୍ଲେଖ ରହିଛି । ସ୍କୁଲ ଗୁଡିକ ଦିନ ୧୦ଟାରେ ମଧ୍ୟାହ୍ନ ଭୋଜନ ଦେବା ପାଇଁ କୁହାଯାଇଛି । ଏହା ସହ ସ୍କୁଲଗୁଡିକ ପରୀକ୍ଷା ଆସନ୍ତା ୩୧ ତାରିଖ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ନୂଆ ଶିକ୍ଷା ବର୍ଷ ୨୦୧୮-୧୯ ଏପ୍ରିଲ ୩ରେ ଆରମ୍ଭ ହେଉଥିବା ବେଳେ ୨ ତାରିଖକୁ ପ୍ରବେଶ ଦିବସ ଭାବେ ପାଳନ କରିବାକୁ କୁହାଯାଇଛି । ପରୀକ୍ଷା ଶେଷ ହେବା ପରେ ଶିକ୍ଷକମାନେ ପିଲାମାନଙ୍କ ସହିତ ପାଠ୍ୟ ଖସଡ଼ା ଉପରେ ପୁଣି ଥରେ ଆଲୋଚନା କରିବେ। ଏହାସହ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲରେ ପାନୀୟ ଜଳ ବ୍ୟବସ୍ଥା କରିବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ପିଲାଙ୍କୁ ପାଣି ବୋତଲ ଓ ଛତା ଆଣିବାକୁ ପରାମର୍ଶ ଦେବାକୁ ସରକାରଙ୍କ ଚିଠିରେ ଉଲ୍ଲେଖ ରହିଛି । ବିଦ୍ୟାଳୟରେ ଗ୍ରୀଷ୍ମ ସମୟରେ ଶାରୀରିକ ପ୍ରଶିକ୍ଷଣ ପିଲାମାନଙ୍କର ଇଚ୍ଛାଧୀନ ରହିବ। ଆସନ୍ତା ମେ ୪ ତାରିଖରୁ ସ୍କୁଲ ଗୁଡିକର ଗ୍ରୀଷ୍ମ ଅବକାଶ ଆରମ୍ଭ ହେବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି ।