ଡ୍ରାଗନକୁ ଡର ନାହିଁ ! ଗୁମର ଖୋଲିଲେ ପ୍ରତିରକ୍ଷା ବିଶେଷଜ୍ଞ, ୧୯୬୨ ପରାଜୟ ପରେ ଚୀନ୍ ସୀମାରେ ପ୍ରସ୍ତୁତି ଆରମ୍ଭ କରିଥିଲା ଭାରତ

53

କନକ ବ୍ୟୁରୋ : ଚୀନ ସୀମାରେ ଗତ ୫୦ ବର୍ଷ ଧରି ସମରସଜ୍ଜାର ପ୍ରସ୍ତୁତି କରି ଆସୁଛି ଭାରତ । ୧୯୬୨ ଯୁଦ୍ଧ ପରଠାରୁ ଭାରତ ନିଜକୁ ଏହି ସ୍ଥାନରେ ପ୍ରସ୍ତୁତ କରି ରଖିଆସିଛି । ସିକିମରୁ ଅରୁଣାଚଳଯାଏଁ ପ୍ରାୟ ୧୪ଶହ କିଲୋମିଟରର ଚୀନ ସୀମାରେ ଏହି ପ୍ରସ୍ତୁତି ହୋଇ ଆସୁଛି । ଭାରତୀୟ ସେନାର ବରିଷ୍ଠ ପଦବୀରେ କାମ କରିଥିବା ପୂର୍ବତନ ସାମରିକ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ସେପଟେ ଗତ କିଛି ଦିନ ଧରି ଏହି ଚୀନ ସୀମାକୁ ବହୁ ସଂଖ୍ୟାରେ ଭାରତୀୟ ସୈନିକଙ୍କୁ ମୁତୟନ କରାଯାଇଛି ।

ଡୋକଲାମକୁ ନେଇ ଚୀନର ଗଣମାଧ୍ୟମ ଯୁଦ୍ଧର ଦେଇ ଓ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବଢୁଥିବା ବେଳେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଚୀନ୍ ସୀମାକୁ ଅଧିକରୁ ଅଧିକ ସୈନିକ ପଠାଇଛି ଭାରତ । ପ୍ରତିରକ୍ଷା ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ନିଜ ନାଁ ଗୋପନ ରଖି ଏହି ତଥ୍ୟ ଦେଇଛନ୍ତି । ହେଲେ କେତେ ସଂଖ୍ୟାରେ ଗ୍ରୁପ୍ ପଠାଯାଇଛି ସେ ନେଇ ସବିଶେଷ ତଥ୍ୟ ମିଳିପାରିନାହିଁ ।

ଚୀନ୍ ଆଡକୁ ଅଧିକ ସୈନ ପଠାଇବା ଘଟଣା, ଭାରତ ପ୍ରସ୍ତୁତି ଆଡକୁ ସଙ୍କେତ ଦେଇଛି । ଅର୍ଥାତ୍ ଯଦି କୌଣସି ସମୟରେ ଚୀନ୍ ଆକ୍ରମଣ କରେ ତେବେ ଭାରତୀୟ ସୈନ୍ୟ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି ।

୧୯୬୨ରେ ହଠାତ୍ ଚୀନର ଆକ୍ରମଣ ଭାରତକୁ ଅଡୁଆରେ ପକାଇଦେଇଥିଲା । ହିନ୍ଦୀ – ଚୀନ୍ ଭାଇ ଭାଇର ନାରା ଚାଲିଥିବା ବେଳେ ଏଭଳି ଆକ୍ରମଣ ନେଇ କେହି ଚିନ୍ତା ବି କରିନଥିଲେ । କିନ୍ତୁ ଚୀନର ବିଶ୍ୱାସ ଘାତକତା ଭାରତକୁ ସତର୍କ କରିଦେଲା । ଆଉ ସେବେଠାରୁ ଏହି ସୀମାରେ ଶତ୍ରୁପକ୍ଷର ମୁକାବିଲା ପାଇଁ ପ୍ରସ୍ତୁତି ହେଉଛି ଭାରତ ।

ମିଲିଟାରୀ ଥମ୍ବରୁଲ୍ ଅର୍ଥାତ୍ ସବୁ ଦେଶର ସାମରିକ ବାହିନୀ ଏହାକୁ ଗ୍ରହଣ କରନ୍ତି ଯେ ସମତଳ ଅଂଚଳରେ ଆକ୍ରମଣ କରିବା ପାଇଁ ପ୍ରତି ସୈନିକ ପାଇଁ ୩ ଜଣ ଆବଶ୍ୟକ । ଏବଂ ପାହାଡିଆ ଅଂଚଳରେ ଆକ୍ରମଣ ପାଇଁ ୯ ଗୁଣା ଅଧିକ ସୈନ୍ୟ ଆବଶ୍ୟକ । ଆଉ ୧୪ଟି ପଡୋଶୀ ଦେଶ ସହ ଶତ୍ରୁତା ରହିଥିବା ଚୀନ୍ କେବଳ ଭାରତ ସୀମାରେ ଏତେ ସଂଖ୍ୟାରେ ସେନା ମୂତୟନ କରିବା ସମ୍ଭବ ନୁହେଁ ବୋଲି ପ୍ରତିରକ୍ଷା ବିଶେଷଜ୍ଞ ମାନେ କହିଛନ୍ତି ।

ସେପଟେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଆମେରିକାର ୟୁଏସ୍ ନାଭାଲ୍ ୱାର୍ କଲେଜର ପ୍ରଫେସର୍ କହିଛନ୍ତି ଡୋକଲାମ୍ ବିବାଦରେ ଭାରତ ଏକ ଅନୁଭବୀ ଶକ୍ତି ସଂପନ୍ନ ରାଷ୍ଟ୍ର ଭାବେ ବ୍ୟବହାର କରୁଛି । କିନ୍ତୁ ଚୀନ୍ ଏକ ଉଦ୍ଧତ ଯୁବକ ଭଳି ଆଚରଣ କରୁଛି ।