ରାଜ୍ୟରେ ଫାଙ୍କା ପଡିଛି କେତେ ସରକାରୀ ପଦବୀ? ବିଧାନସଭାରେ ପୂରା ହିସାବ ଦେଲେ ସରକାର ।

1,038

କନକ ବ୍ୟୁରୋ : ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ବେକାରୀ ସଂଖ୍ୟା । ଯେଉଁଥିପାଇଁ ରାଜ୍ୟରୁ ହଜାର ହଜାର ସଂଖ୍ୟାରେ ଯୁବକ ଯୁବତୀ ନିଯୁକ୍ତି ଆଶାରେ ଅନ୍ୟ ରାଜ୍ୟକୁ ଚାଲି ଯାଉଛନ୍ତି । କିନ୍ତୁ ଏବେ ମଧ୍ୟ ରାଜ୍ୟରେ ଫାଙ୍କା ପଡିଛି ଲକ୍ଷାଧିକ ସରକାରୀ ପଦବୀ । ରାଜ୍ୟରେ ଏବେ ୧ ଲକ୍ଷ ୩୧ ହଜାର ୫୧୮ଟି ପଦବୀ ଖାଲି ଥିବା ବିଧାନସଭାରେ କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ରାଜ୍ୟରେ କେତେ ସରକାରୀ ପଦବୀ ରହିଛି, ସେଥିରୁ କେତେ ପଦବୀରେ ନିଯୁକ୍ତି ଦିଆଯାଇଛି ଓ କେତେ ପଦବୀ ଫାଙ୍କା ପଡିଛି । ଏହାଛଡା କେତେ ପଦବୀକୁ ଉଚ୍ଛେଦ କରାଯାଇଛି । ସେନେଇ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ବିଧାନସଭାରେ ପ୍ରଶ୍ନ ପଚାରିଥିବା ବେଳେ ଏହାର ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ରାଜ୍ୟରେ ମୋଟ ୪ ଲକ୍ଷ ୯୭ ହଜାର ୨୫୭ଟି ମଞ୍ଜୁରୀ ପ୍ରାପ୍ତ ପଦବୀ ସହ ମୋଟ ୫ ଲକ୍ଷ ୮୩ ହଜାର ୦୨୧ଟି ପଦବୀ ରହିଛି । ଯେଉଁଥିରେ ୬୫ ହଜାର ୭୬୪ ଗ୍ରାଣ୍ଟ ଇନ୍ ଏଡ୍ ପଦବୀ ରହିଥିବା ବେଳେ ୧୧,୦୦୬ଟି ପଦବୀ ଫାଙ୍କା ରହିଛି । ସେହିଭଳି ୧୯୯୯ରୁ ୨୦୦୮ ମଧ୍ୟରେ ବିଭିନ୍ନ ବିଭାଗରୁ ୪୧,୬୩୫ ପଦବୀ ଉଚ୍ଛେଦ କରାଯାଇଛି ବୋଲି ଗୃହରେ ଉତ୍ତର ରଖିଛନ୍ତି ନିରଞ୍ଜନ ।

ବିଭିନ୍ନ ବିଭାଗର ଭିନ୍ନ ଭିନ୍ନ ଗ୍ରେଡର କେତେ ପଦବୀ ଫାଙ୍କା ରହିଛି ତାହାର ଉତ୍ତର ରଖିଛନ୍ତି ନିରଞ୍ଜନ । ଗ୍ରେଡ ଏରେ ୮୬୨୨, ଗ୍ରେଡ ବିରେ ୨୫୨୩୧, ଗ୍ରେଡ ସିରେ ୬୩୭୩୩, ଗ୍ରେଡ ଡିରେ ୨୨୯୨୬ ଓ ଗ୍ରାଣ୍ଟଇନ୍ ଏଡରେ ୧୧୦୦୬ଟି ପଦବୀ ଫାଙ୍କା ରହିଛି । ସ୍କୁଲ ଓ ଗଣଶିକ୍ଷା ବିଭାଗରେ ସର୍ବାଧିକ ୩୦୨୯୯ଟି ପଦବୀ ଫାଙ୍କା ରହିଥିବା ଲିଖିତ ଉତ୍ତରରେ ଜଣାଇଛନ୍ତି ମନ୍ତ୍ରୀ ନିରଞ୍ଜନ ପୂଜାରୀ ।