ରାସ୍ତା ବଢିଲା, ଗଛ ଗଡିଲା । ୩ ବର୍ଷରେ କଟିଗଲା ୪ ଲକ୍ଷରୁ ଅଧିକ ଗଛ ।

148

କନକ ବ୍ୟୁରୋ : ରାସ୍ତା ପାଇଁ ଗତ ୩ ବର୍ଷ ମଧ୍ୟରେ କଟାଗଲାଣି ୪ ଲକ୍ଷରୁ ଅଧିକ ଗଛ । ଗୋଟିଏ ପଟେ ଗଛ କଟାଯିବା କାରଣରୁ ଜଳବାୟୁରେ ସାଂଘାତିକ ପରିବର୍ତ୍ତନ ଦେଖାଯାଉଥିବା ବେଳେ ଅନ୍ୟପଟେ ବିକାଶ ନାଁରେ ଗତ ୩ ବର୍ଷ ମଧ୍ୟରେ ଲକ୍ଷ ଲକ୍ଷ ଗଛ କଟାଯାଇଛି । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ରାଜ୍ୟରେ ଗତ ୩ ବର୍ଷ ମଧ୍ୟରେ ରାସ୍ତା ପ୍ରଶସ୍ତିକରଣ, ଶିଳ୍ପାୟନ ଓ ପୁନଃବସତି କାରଣରୁ କେତେ ଗଛ କଟାଯାଇଛି । କେତେ ନୂଆ ଜଙ୍ଗଲ ସୃଷ୍ଟି କରାଯାଇଛି ଓ ଚୋରା ବେପାରୀଙ୍କ କବଳରୁ ଜଙ୍ଗଲର ସୁରକ୍ଷା ପାଇଁ ସରକାର କଣ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଆଜି ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ଏଭଳି କିଛି ପ୍ରଶ୍ନ ପଚାରିବା ସହ ଏହାର ଉତ୍ତର ଜାଣିବାକୁ ଚାହିଁଥିଲେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ ।

ଆଉ ଏହାର ଉତ୍ତରରେ ଗତ ୩ ବର୍ଷର ହିସାବ ଗୃହରେ ରଖିଥିଲେ ବିଭାଗୀୟ ମନ୍ତ୍ରୀ । ୨୦୧୬ରୁ ୨୦୧୯ ମଧ୍ୟରେ ରାସ୍ତା ପ୍ରଶସ୍ତିକରଣ ନିମନ୍ତେ ୪ ଲକ୍ଷ ୨୫ ହଜାର ୨୮୧ ଗଛ କଟା ଯାଇଥିବା ବେଳେ ଶିଳ୍ପାୟନ ପ୍ରତିଷ୍ଠା ନିମନ୍ତେ ୪୨,୪୩୭ଟି ଗଛ କଟାଯାଇଥିବା କହିଛନ୍ତି ମନ୍ତ୍ରୀ । ତେବେ ଏହାର ଭରଣା ପାଇଁ ବିଭିନ୍ନ ବନୀକରଣ ଯୋଜନାରେ ଗତ ୩ ବର୍ଷରେ ୧୦ କୋଟି ୫ ଲକ୍ଷ ୩୯ ହଜାର ବୃକ୍ଷଚାରା ରୋପଣ କରଯାଇଛି । ସେହିଭଳି ବାଡି ବଗିଚାରେ ରୋପଣ ପାଇଁ ପ୍ରାୟ ୬ କୋଟି ୬୪ ଲକ୍ଷ ୧୭ ହଜାର ବୃକ୍ଷଚାରା ହିତାଧିକାରୀ ମାନଙ୍କୁ ବିତରଣ କରାଯାଇଥିବା କହିଛନ୍ତି ମନ୍ତ୍ରୀ । ରାଜ୍ୟରେ ଦ୍ରୁତ ଗତିରେ ଜଙ୍ଗଲ ହ୍ରାସ ପାଉଥିବା ବେଳେ ଗତ ଫନି ବାତ୍ୟାରେ ମଧ୍ୟ ୨୨ ଲକ୍ଷରୁ ଅଧିକ ଗଛ ନଷ୍ଟ ହୋଇଛି । ତେଣୁ ବୃକ୍ଷରୋପଣ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ସରକାର ।

ସେହିଭଳି ଜଙ୍ଗଲର ସୁରକ୍ଷା ପାଇଁ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ୧୬୪ ଗୋଟି ଚେକ୍ ଗେଡ ସ୍ଥାପନ କରାଯାଇଛି । ଏହାଛଡା ଜଙ୍ଗଲ ସୁରକ୍ଷା ପାଇଁ ରାଜ୍ୟରେ ୧୧୨୧ଟି ବନରକ୍ଷୀ ଗୃହ, ୨୯୧ଟି ବନପାଳ ବାସଗୃହ, ୭୮ଟି ବନାଞ୍ଚଳ କାର୍ଯ୍ୟାଳୟ , ୯୭ଟି ଜଙ୍ଗଲ ବାରାକ୍, ୫୧ଟି ମାଲଖାନା ନିର୍ମାଣ କରଯାଇଛି ।