ମୋଦି ସରକାରଙ୍କ ଶାସନ ସମୟରେ ହୋଇଛି ୩୫୦ରୁ ଅଧିକ ଟ୍ରେନ ଦୁର୍ଘଟଣା ! ସେହି ୧୦ଟି ରେଳ ଦୁର୍ଘଟଣା, ଯେଉଁଥିରେ ଚାଲି ଯାଇଥିଲା ଅନେକଙ୍କ ଜୀବନ

482

ବିହାରରେ ଆଜି ସକାଳୁ ବଡ ଟ୍ରେନ ଦୁର୍ଘଟଣା ହୋଇଛି । ସୀମାଂଚଳ ଏକ୍ସପ୍ରେସର ୧୧ଟି କୋଚ ଲାଇନଚ୍ୟୁତ ହେବା ଫଳରେ ୭ ଜଣ ପ୍ରାଣ ହରାଇଛନ୍ତି ଓ ୨୪ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ଆଜି ଭୋର ପ୍ରାୟ ୪ଟାରେ ହୋଇଛିା ସୀମାଂଚଳ ଏକ୍ସପ୍ରେସ ବିହାରର ଯୋଗବନୀରୁ ଦିଲ୍ଲୀ ଯାଉଥିଲା । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ଓ ରେଳବାଇର ବରିଷ୍ଠ ଅଧିକାରୀ ପହଞ୍ଚି ଉଦ୍ଧାରକାର୍ଯ୍ୟର ତଦାରଖ କରିଛନ୍ତି ।

ଦୁର୍ଘଟଣା ପରେ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ଅଧିକ କ୍ଷତିଗ୍ରସ୍ତ କୋଚ ମଧ୍ୟରେ ରହିଛି ଗୋଟିଏ ଜେନେରାଲ ବଗି, ଗୋଟିଏ ଏସି ବଗି ଓ ୩ଟି ସ୍ଲିପର ବଗି । ଭୋରରୁ ଦୁର୍ଘଟଣା ଘଟିଥିବାରୁ ଅନ୍ଧାର ଯୋଗୁଁ ବିଳମ୍ବରେ ଉଦ୍ଧାରକାରୀ ଟିମ ପହଂଚିଥିଲେ । ଏହି ରେଳ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ଉଦ୍ଧାର କାମରେ ଏନଡିଆରଏଫ ସାମିଲ ହୋଇଛନ୍ତି । ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୫ ଲକ୍ଷ ଲେଖାଁଏ ସହୟତା ଘୋଷଣା କରାଯାଇଛି । ସେହିଭଳି ଗୁରୁତରଙ୍କୁ ଲକ୍ଷେ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଁଏ ସହାୟତା ମିଳିବ । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ଦୁର୍ଘଟଣାର କାରଣ ଜଣାପଡିନଥିଲେ ବି ରେଳଟ୍ରାକରେ ଫାଟ ଥିବା ଜଣାପଡିଛି ।

ଆଉ ଏସବୁ ଭିତରେ ମୋଦି ସରକାରଙ୍କ ଶାସନ କାଳ ମଧ୍ୟରେ ୩୫୦ରୁ ଅଧିକ ଛୋଟବଡ ରେଳ ଦୁର୍ଘଟଣା ହୋଇଛି । ଆଉ ଏଥିମଧ୍ୟରୁ ୧୦ଟି ଏଭଳି ଦୁର୍ଘଟଣା ରହିଥିଲା ଯାହା ପୂରା ଦେଶବାସୀଙ୍କୁ ସ୍ୱବ୍ଧ କରି ଦେଇଥିଲା । ରେଳ ମନ୍ତ୍ରାଳୟରେ ରେକର୍ଡ ଥିବା ତଥ୍ୟ ଅନୁଯାୟୀ,୨୦୧୪-୧୫ରେ ୧୩୫ଟି, ୨୦୧୫-୧୬ରେ ୧୦୭ଟି, ୨୦୧୬-୧୭ରେ ୧୦୪ଟି ଛୋଟବଡ ଦୁର୍ଘଟଣା ହୋଇଥିଲା । ତେବେ ଏହାପରେ ରେଳ ବିଭାଗ ଏହି ଦୁର୍ଘଟଣା ରୋକିବାକୁ ତତ୍ପର ହୋଇ ଉଠିଥିଲା । ଆଧୁନିକ ସୁରକ୍ଷା ଉପକରଣ ସାହାଯ୍ୟରେ ରେଳ ଦୁର୍ଘଟଣାକୁ ହ୍ରାସ କରାଯାଇ ପାରିଛି । ଏପରିକି ୨୦୧୬-୧୭ରେ ରେଳ ଦୁର୍ଘଟଣା ରୋକିବାକୁ ମିଶନ ଜିରୋ ଆକ୍ସିଡେଣ୍ଟ ଅଭିଯାନର ଆରମ୍ଭ ହୋଇଥିଲା । ଯେଉଁଥିରେ ବିଭିନ୍ନ ଅତ୍ୟାଧୁନିକ ସୁରକ୍ଷା ପ୍ରଣାଳୀ ଦ୍ୱାରା ରେଳ ଦୁର୍ଘଟଣାକୁ ରୋକା ଯାଇ ପାରିଥିଲା । ତେବେ ମୋଦି ସରକାରଙ୍କ ଶାସନ ସମୟରେ ହୋଇଥିବା ୧୦ଟି ବଡ ରେଳ ଦୁର୍ଘଟଣା ଯାହା ପୂରା ଦେଶକୁ କନ୍ଦାଇଥିଲା ତାହା ଉପରେ ନଜର ପକାନ୍ତୁ ।

୨୦ ନଭେମ୍ବର ୨୦୧୬ : ଉତ୍ତର ପ୍ରଦେଶର କାନପୁରର ପୁଖରାୟାଂରେ ବଡ ଧରଣର ରେଳ ଦୁର୍ଘଟଣା ହୋଇଥିଲା । ଯେଉଁଥିରେ ୧୫୦ରୁ ଅଧିକ ଲୋକଙ୍କ ଜୀବନ ଚାଲି ଯାଇଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଥିଲେ ।
୧୯ ଅକ୍ଟୋବର ୨୦୧୮ : ପଞ୍ଚାବର ଅମୃତସର ନିକଟରେ ରାବଣ ପୋଡି ଉତ୍ସବ ଦେଖୁଥିବା ବେଳେ ଜଳନ୍ଧର-ଅମୃତସର ଡିଏମୟୁ ଏକ୍ସପ୍ରେସ ରେଳଟ୍ରାକରେ ଥିବା ଲୋକଙ୍କ ଉପରେ ଚଢି ଯାଇଥିଲା । ଯେଉଁଥିରେ ୬୦ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା ।
୨୨ ଜାନୁଆରୀ ୨୦୧୭ : ଆନ୍ଧ୍ରପ୍ରଦେଶର ବିଜୟନଗରମ ଠାରେ ହୀରାଖଣ୍ଡ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇ ଦୁର୍ଘଟଣାଗସ୍ତ ହୋଇଥିଲା । ଯେଉଁଥିରେ ୩୯ ଯାତ୍ରୀଙ୍କ ମୃତ୍ୟୁ ହେବା ସହ ୩୬ ଜଣ ଲୋକ ଗୁରୁତର ଆହତ ହୋଇଥିଲେ ।
୫ ଅଗଷ୍ଟ ୨୦୧୫ : ମଧ୍ୟପ୍ରଦେଶର ହରଦାରେ ୧୦ ମିନିଟ ମଧ୍ୟରେ ଦୁଇ ଦୁଇଟି ଟ୍ରେନ ଦୁର୍ଘଟଣା ହୋଇଥିଲା । ମୁମ୍ବାଇ-ବାରଣାସର, ପାଟନା-ମୁମ୍ବାଇ ଜନତା ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିଲା । ମାଚନ ନଦୀ ଉପରେ ରେଳ ଧାରଣା ଧସିଯିବାରୁ ଏହି ଦୁର୍ଘଟଣା ହୋଇଥିଲା ଓ ଏଥିରେ ୩୧ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା ।
୨୦ ମାର୍ଚ୍ଚ ୨୦୧୫ : ରାୟବରେଲୀର ବଛରାବାଂ ରେଳ ଷ୍ଟେସନ ନିକଟରେ ଡେରାଡୁନରୁ ବାରଣାସୀ ଯାଉଥିବା ଜନତା ଏକ୍ସପ୍ରେସ ଲାଇନଚ୍ୟୁତ ହୋଇ ଦୁର୍ଘଟଣାଗସ୍ତ ହୋଇଥିଲା । ଯେଉଁଥିରେ ୩୪ ଜଣ ଲୋକ ପ୍ରାଣ ହରାଇଥିଲେ ।
୨୫ ମେ ୨୦୧୫ : କୋଶାମ୍ବିର ସିରାଥୁ ରେଲୱେ ଷ୍ଟେସନ ନିକଟରେ ମୁରୀ ଏକ୍ସପ୍ରେସ ଲାଇନଚ୍ୟୁତ ହେବା ଫଳରେ ୨୫ ଜଣ ଯାତ୍ରୀ ମୃତ୍ୟୁବରଣ କରିଥିବା ବେଳେ ୩୦୦ରୁ ଅଧିକ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିଲେ ।
୧୯ ଅଗଷ୍ଟ ୨୦୧୭ : ଉତ୍ତର ପ୍ରଦେଶର ମୁଜ୍ଜଫରନଗରରେ ଉତ୍କଳ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇ ୨୨ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା ଓ ୧୫୬ରୁ ଅଧିକ ଲୋକ ଆହତ ହୋଇଥିଲେ ।
୨୬ ମେ ୨୦୧୪ : ଉତ୍ତର ପ୍ରଦେଶର ସନ୍ଥ କବୀର ନଗର ଜିଲ୍ଲାର ଚୁରେନ ରେଲୱେ ଷ୍ଟେସନ ନିକଟରେ ଗୋରଖଧାମ ଏକ୍ସପ୍ରେସ ଟ୍ରାକ ଉପରେ ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା । ଯେଉଁଥିରେ ୨୨ ଲୋକଙ୍କର ମୃତ୍ୟୁ ହୋଇଥିଲା ।
୨୫ ଜୁଲାଇ ୨୦୧୬ : ଭଦୋହି ଅଞ୍ଚଳରେ ମଡୁଆଡିହ-ଏହ୍ଲାବାଦ ପାସେଞ୍ଜର ଟ୍ରେନ ଏକ ମିନି ସ୍କୁଲ ଭ୍ୟାନକୁ ଧକ୍କା ଦେଇଥିଲା । ଆଉ ଏହି ଦୁର୍ଘଟଣାରେ ୧୦ ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା ।
୧୦ ଅକ୍ଟୋବର ୨୦୧୮ : ରାୟବରେଲିର ହରଚନ୍ଦପୁର ରେଲୱେ ଷ୍ଟେସନ ନିକଟରେ ନ୍ୟୁ ଫରକ୍କା ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣାଗସ୍ତ ହୋଇଥିଲା । ମାଲଦା ଟାଉନରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଟ୍ରାକରୁ ଲାଇନଚ୍ୟୁତ ହେବା ଫଳରେ ୭ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା ।