ଛତୁ ଫୁଟିଲା ପରି ଖୋଲୁଛି ଇଞ୍ଜିନିୟରିଂ କଲେଜ, କିନ୍ତୁ ପଢିବା ପାଇଁ ପିଲା ନାହାନ୍ତି ।  ଫାଙ୍କା ପଡିପାରେ ୨୪ ହଜାର ଇଞ୍ଜିନିୟରିଂ ସିଟ୍ ।

205

କନକ ବ୍ୟୁରୋ: ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରତି କମୁଛି ଆଗ୍ରହ । କଲେଜରେ ଖାଲି ପଡୁଛି ହଜାର ହଜାର ସିଟ୍ । ଛତୁଫୁଟିବା ଭଳି ଇଞ୍ଜିନିୟରିଂ କଲେଜ ଖୋଲୁଥିବା ବେଳେ ପିଲା, ନାମ ଲେଖାଇବାକୁ ଆସୁନାହାନ୍ତି । ଘରୋଇ ଏବଂ ସରକାରୀ ଇଞ୍ଜିନିୟରିଂ କଲେଜରେ ୩୪ ହଜାରରୁ ଅଧିକ ସିଟ ଥିବା ବେଳେ ପ୍ରାୟ ୧୦ ହଜାର ସିଟରେ ଆଡମିଶନ ହେବ । ବାକି ୨୪ ହଜାର ସିଟ ଖାଲିପଡିବାର ସମ୍ଭାବନା ସୃଷ୍ଟି ହୋଇଛି ।

ଇଂଜିନିୟରିଂ କଲେଜକୁ ଘାରିଛି ଶନି ଦଶା । ବର୍ଷକୁ ବର୍ଷ ଖାଲିପଡିବାରେ ଲାଗିଛି ରାଜ୍ୟର ଇଂଜିନିୟରିଂ କଲେଜ ସିଟ  । ସିଟ ଖାଲି ପଡୁଥିବାରୁ ଘରୋଇ ଓ ସରକାରୀ କଲେଜର ସିଟ ସଂଖ୍ୟା କମିଥିଲା । ୮ ସରକାରୀ କଲେଜରେ ୧୨୦ ସିଟ କମାଯାଇଥିଲାବେଳେ ବେସରକାରୀ କଲେଜରେ ତିନି ହଜାର ୯ ଶହ ୫୩ଟି ସିଟ କମାଯାଇଥିଲା  । ଏହାସତ୍ୱେ ଚଳିତବର୍ଷ ୨୪ ହଜାରରୁ ଅଧିକ ସିଟ ଫାଙ୍କା ପଡିବ ବୋଲି ଅନୁମାନ କରାଯାଉଛି  ।

ଚଳିତବର୍ଷ ରାଜ୍ୟରେ ଘରୋଇ ଏବଂ ସରକାରୀ କଲେଜରେ ମୋଟ ୩୪ ହଜାର ୨୨୩ଟି ସିଟ ରହିଛି । ଓଜେଇଇ ପ୍ରବେଶିକା ପରୀକ୍ଷାରେ ମୋଟ ୧୧ହଜାର ୬ଶହ ଏଲିଜିବଲ କ୍ୟାଣ୍ଡିଡେଟ ହୋଇଛନ୍ତି  । ସେଥରୁ ୧୦ହଜାର ୩ଶହଙ୍କୁ ପ୍ରଥମ ଆଲଟମେଂଟ ଓଜେଇଇ ପକ୍ଷରୁ ଦିଆଯାଇଛି । ଏହା ମଧ୍ୟରେ ରହିଛନ୍ତି ବିଟେକ ସହିତ ବିଆର୍କର ଛାତ୍ରଛାତ୍ରୀ । ତେଣୁ ଚଳିତବର୍ଷ ପ୍ରାୟ ୨୪ହଜାରରୁ ଅଧିକ ସିଟ ଫାଙ୍କା ପଡିବାର ସମ୍ଭାବନା ରହିଛି ।

ଗତବର୍ଷ ୨୦ହଜାରରୁ ଅଧିକ ସିଟ ଖାଲି ପଡିଥିଲା, ଚଳିତବର୍ଷ ଏହି ସଂଖ୍ୟା ଅଧିକ ହୋଇପାରେ ବୋଲି ଅନୁମାନ କରାଯାଉଛି  । ଆଗାମୀ ୨୧ ତାରିଖରେ ହେବାକୁ ଥିବା ସ୍ୱତନ୍ତ୍ର ଓଜେଇଇରେ ଫାଙ୍କା ପଡିଥିବା ସିଟ ବ୍ୟବଧାନ କମିବା ନେଇ ଆଶା କରାଯାଉଛି ।