ଫିଲିପାଇନ୍ସରେ ଘୂର୍ଣ୍ଣିଝଡ଼ ଟେମ୍ବିନ୍ ତାଣ୍ଡବ ! ପ୍ରବଳ ବର୍ଷା ଓ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୧୮୦କୁ ବୃଦ୍ଧି, ଶତାଧିକ ନିଖୋଜ

21

କନକ ବ୍ୟୁରୋ: ଫିଲିପାଇନ୍ସରେ ଟେମ୍ବିନ୍ ତାଣ୍ଡବ । ଫିଲିପାଇନ୍ସରେ ଘୂର୍ଣ୍ଣିଝଡ ଟେମ୍ବିନରେ ମୃତ୍ୟୁସଂଖ୍ୟା ୧୮୦କୁ ବୃଦ୍ଧି ପାଇଛି । ନଦୀ ଗର୍ଭରୁ ଅନେକ ମୃତଦେହ ଉଦ୍ଧାର କରାଯାଇଛି । ଘୂର୍ଣ୍ଣିଝଡ ଓ ପ୍ରବଳ ବର୍ଷା ଯୋଗୁ ନଦୀରେ ଅଚାନକ ବନ୍ୟା ଆସିବା ଫଳରେ ଅନେକ ଲୋକ ନଦୀରେ ଭାସି ଯାଇଛନ୍ତି । ସୋଲୋଗ ନଦୀରୁ ୩୬ଟି ମୃତଦେହ ଉଦ୍ଧାର କରାଯାଇଛି ।

ସେଲଭାଡୋର ଓ ଜାମ୍ବୋଆଙ୍ଗାରୁ ମଧ୍ୟ ଅନେକ ମୃତଦେହ ଉଦ୍ଧାର କରାଯାଇଛି । ଏହା ସହ ଭୂସ୍ଖଳନ ଘଟି ଅନେକ ମୃତାହତ ହୋଇଛନ୍ତି । ୮୦ରୁ ଅଧିକ ଲୋକ ନିଖୋଜ ଥିବା ଜଣାପଡିଛି । ଫିଲିପାଇନ୍ସରେ ଘୂର୍ଣ୍ଣିଝଡ ଟେମ୍ବିନ୍ ଯୋଗୁ ପ୍ରାୟ ୫୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତାହତଙ୍କ ସଂଖ୍ୟା ବୃଦ୍ଧି ହେବା ଆଶଙ୍କା କରାଯାଉଛି ।

ସୂଚନା ମୁତାବକ, ଦକ୍ଷିଣ ଫିଲିପାଇନ୍ସର ମୁଖ୍ୟ ଦ୍ୱୀପ ମିଣ୍ଡାନାଓରେ ଝଡ଼ତୋଫାନ ସାଙ୍ଗକୁ ଭୀଷଣ ବର୍ଷା ହେବା ଫଳରେ ବନ୍ୟା କାଦୁଅରେ ପୋତିହୋଇ ଅତି କମରେ ଶହେ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୧୦୦ରୁ ଅଧିକ ମଧ୍ୟ ନିଖୋଜ ଥିବା ସରକାରୀ ସୂତ୍ରରୁ ଜଣାଯାଇଛି । ଅବିଶ୍ରାନ୍ତ ବନ୍ୟା ଯୋଗୁଁ ଶୁକ୍ରବାର ବିଳମ୍ବିତ ରାତିରେ ଛୋଟ ଛୋଟ ନଦୀମାନଙ୍କରେ ଆସିଥିବା ବ୍ୟାପକ ବନ୍ୟାସ୍ରୋତ ବହୁ ସଂଖ୍ୟାରେ କୂଳବାସୀଙ୍କୁ ସମୁଦ୍ରକୁ ତଡ଼ିନେଇଥିଲା । କେହି କେହି ଭୀଷଣ କାଦୁଅରେ ପୋତିହୋଇଯାଇଥିଲେ ତ କେହି କେହି କରାଳ ସୁଅମୁହଁରୁ ନିଜକୁ ମୁକୁଳାଇପାରିନଥିଲେ ।

ଅପରପକ୍ଷେ, ତୁରନ୍ତ କୂଳ ଛାଡ଼ିବା ପାଇଁ ସ୍ଥାନୀୟ ପ୍ରଶାସନ ଜାରି କରିଥିବା ସତର୍କତାକୁ ଲୋକେ ମାନିନଥିବାରୁ ଏଭଳି ଅଘଟଣ ହୋଇଛି ବୋଲି କୁହାଯାଉଛି । ସୂଚନା ଥାଉ କି, ପ୍ରତିବର୍ଷ ଫିଲିପାଇନ୍ସ ୨୦ରୁ ଅଧିକ ଝଡ଼ତୋଫାନକୁ ସାମନା କରୁଥିବା ବେଳେ ହଜାର ହଜାର ଦୁର୍ବଳ ଶ୍ରେଣୀ ଲୋକଙ୍କ ଜୀବନହାନି ଘଟୁଛି । ଗତ ସପ୍ତାହରେ ମଧ୍ୟ କେନ୍ଦ୍ରୀୟ ଫିଲିପାଇନ୍ସରେ ଦେଖାଦେଇଥିବା ଝଡ଼ରେ ୪୬ ଜଣଙ୍କର ମୃତ୍ୟୁ ହୋଇଥିଲା ।