ପଶ୍ଚିମବଙ୍ଗରେ ସୁଧୁରୁନି ସ୍ଥିତି, ଇସ୍ତଫା ଦେଲେଣି ୧୫୦ରୁ ଅଧିକ ଡାକ୍ତର! ଚିନ୍ତାରେ ମମତା ସରକାର ।

444

ଇସ୍ତଫା ଦେଲେଣି ୧୫୦ରୁ ଅଧିକ ଡାକ୍ତର । ପଶ୍ଚିମବଙ୍ଗରେ ଏବେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଲୋକସଭା ନିର୍ବାଚନରୁ ଆରମ୍ଭ ହୋଇଥିବା ହିଂସକ ସ୍ଥିତି ଧୀରେ ଧୀରେ ହସ୍ପିଟାଲ ଆଡକୁ ମୁହାଁଇଛି । ପଶ୍ଚିମବଙ୍ଗରେ ଜଣେ ଜୁନିୟର ଡାକ୍ତରଙ୍କୁ ଆକ୍ରମଣ ପ୍ରତିବାଦରେ ଏବେ ମୁହାଁମୁହିଁ ହୋଇଛନ୍ତି ପଶ୍ଚିମବଙ୍ଗ ସରକାର ଓ ଡାକ୍ତର ସଂଘ । ଏପରିକି ଏହି ଘଟଣାରେ ଏବେ ଏଣ୍ଟ୍ରି ମାରିଛି ଇଣ୍ଡିଆନ ମେଡିକାଲ ଆସୋସିଏସନ । ମାଡ ପ୍ରତିବାଦରେ ଡାକ୍ତର ମାନେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ମମତା ସରକାର ଧମକ ଚମକ ଦେବା ଆରମ୍ଭ କରିଛନ୍ତି । ଆଉ ଏସବୁ ଭିତରେ ପ୍ରାୟ ୧୫୦ରୁ ଅଧିକ ଡାକ୍ତର ଏବେ ଇସ୍ତଫା ଦେଇଥିବା ଜଣାପଡିଛି ।

ପଶ୍ଚିମବଙ୍ଗରେ ଆରମ୍ଭ ହୋଇଥିବା ଏହି ବିକ୍ଷୋଭ ଏବେ ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ଦେଖିବାକୁ ମିଳିଲାଣି । ଦିଲ୍ଲୀ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ସମେତ ଦେଶରେ ଅନେକ ରାଜ୍ୟରେ ଡାକ୍ତର ମାନେ ଏବେ କାମ କରିବାକୁ ମନା କରିବା ଆରମ୍ଭ କଲେଣି । ଏପରିକି କିଛି ଡାକ୍ତର ମାନେ ବିକ୍ଷୋଭ ପ୍ରଦର୍ଶନ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଡାକ୍ତରଙ୍କ ଏଭଳି ଆନ୍ଦୋଳନ ଯୋଗୁୁଁ ରୋଗୀ ସେବାରେ ବାଧା ଉପଜୁଛି ।

ଏଭଳି ସମୟରେ ଆସନ୍ତା ୧୭ ତାରିଖରେ ଦେଶର ସମସ୍ତ ଡାକ୍ତର ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ କୁହାଯାଇଛି । ଡାକ୍ତରଙ୍କ ସୁରକ୍ଷା ଦାବି ସହ ଆକ୍ରମଣକାରୀଙ୍କ ବିରୋଧରେ କଡା କର୍ଯ୍ୟାନୁଷ୍ଠାନ ଓ ଆକ୍ରମଣ ଘଟଣା ପାଇଁ ନୂଆ ଆଇନ ଆଣିବା ଦାବିରେ ରାଜରାସ୍ତାକୁ ଓହ୍ଲାଇବେ ଡାକ୍ତର । ଏନେଇ ଏମସର ଡାକ୍ତର ମାନେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଦିଲ୍ଲୀରେ ଭେଟିବା ସହ ଦାବି ଜଣାଇଛନ୍ତି ।

କୋଲକାତାରେ ଜୁନିୟର ଡାକ୍ତରଙ୍କୁ ଆକ୍ରମଣ ଘଟଣାରେ ଗତକାଲି ଏମ୍ସ ଡାକ୍ତର ମାନେ ମୁହଁରେ ପଟି ବାନ୍ଧି ପ୍ରର୍ଦଶନ କରିଥିଲେ । ଏହି ମାମଲା ଏବେ କୋର୍ଟରେ ପହଞ୍ଚିଥିବା ବେଳେ ମମତା କହିଛନ୍ତି ଏହା ବିଜେପିର ଚାଲ । ମମତା କହିଛନ୍ତି, ଏବେ ବିଜେପି ଡାକ୍ତର ମାନଙ୍କୁ ନିଜ ଜାଲରେ ଫଶାଉଛି । ବିଜେପି ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଥିବା ଅମିତ ଶାହା ପଶ୍ଚିମବଙ୍ଗରେ ସାଂପ୍ରଦାୟିକ ମାହୋଲ ସୃଷ୍ଟି କରିବାକୁ ଚାହୁଁଛନ୍ତି ।