ସଡ଼କ ନେଉଛି ଜୀବନ । ଗତ ୩ ବର୍ଷ ମଧ୍ୟରେ ରାଜ୍ୟରେ ମୋଟର ଯାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୧୪୫୬୮ ଜଣ ଲୋକ ।

98

କନକ ବ୍ୟୁରୋ : ୨୦୧୬ରୁ ୨୦୧୮ ମଧ୍ୟରେ ରାଜ୍ୟରେ ମୋଟର ଯାନ ଦୁର୍ଘଟଣାରେ ପ୍ରାୟ ୧୪୫୬୮ ଜଣ ପ୍ରାଣ ହରାଇଛନ୍ତି । ରାଜ୍ୟରେ ଦିନକୁ ଦିନ ସଡକ ଦୁର୍ଘଟଣା ବଢି ଚାଲିଥିବା ବେଳେ ଏଭଳି ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଆଜି ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ରାଜ୍ୟରେ ମୋଟର ଯାନ ଦୁର୍ଘଟଣାରେ ଗତ ୩ ବର୍ଷ ମଧ୍ୟରେ କେତେ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି, କେତେ ବ୍ୟକ୍ତି ଆହତ ହୋଇଛନ୍ତି ଏବଂ କେତେ ଦୁର୍ଘଟଣା ହୋଇଛି ସେନେଇ ପ୍ରଶ୍ନ କରିଥିଲେ ବିଧାୟକ ମଦନ ମୋହନ ଦତ୍ତ । ଏହାଛଡା କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ ଅନୁଯାୟୀ ଯାତ୍ରୀବାହୀ ଗୁଡିକରେ speed governor ଲଗାଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି କି? ଯଦି ଦିଆଯାଇଛି ତେବେ ଏହି ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଏହାର ଉତ୍ତରରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗୃହରେ ଗତ ୩ ବର୍ଷର ସଡକ ଦୁର୍ଘଟଣାର ରିପୋର୍ଟ କାର୍ଡ ଦେଇଛନ୍ତି । ୨୦୧୬ରୁ ୧୮ ମଧ୍ୟରେ କେଉଁ ବର୍ଷ କେତେ ମୋଟର ଯାନ ଦୁର୍ଘଟଣା ହୋଇଛି ଓ କେତେ ଲୋକ ମୃତୁୂ୍ୟବରଣ କରିଛନ୍ତି ତାହାର ଉତ୍ତର ରଖିଛନ୍ତି । ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ, ପ୍ରତିବର୍ଷ ଦୁର୍ଘଟଣା ବଢିବା ସହ ମୃତ୍ୟୁସଂଖ୍ୟା ମଧ୍ୟ ହୁ ହୁ ହୋଇ ବଢିଛି ।

୨୦୧୬ରେ ପୂରା ରାଜ୍ୟରେ ୧୦୫୩୨ଟି ମୋଟର ଯାନ ଦୁର୍ଘଟଣା ହୋଇଥିବା ବେଳେ ଏଥିରେ ୪୪୬୩ ଜଣ, ୨୦୧୭ରେ ୧୦୮୫୫ଟି ଦୁର୍ଘଟଣା ହୋଇଥିବା ବେଳେ ୪୭୯୦ ଜଣ , ୨୦୧୮ରେ ୧୧୨୬୨ଟି ଦୁର୍ଘଟଣା ହୋଇଥିବା ବେଳେ ଏଥିରେ ୫୩୧୫ ଜଣଙ୍କର ମୃତ୍ୟୁ ହୋଇଛି । ଆଉ ଏହି ରିପୋର୍ଟ ହିଁ ଦର୍ଶାଉଛି ଯେ, ଲଗାତାର ଭାବେ ରାଜ୍ୟରେ ମୋଟର ଯାନ ଦୁର୍ଘଟଣା ବଢିଚାଲିଛି । ଏହାବାଦ୍ ବ୍ୟବସାୟୀ ଯାନ ଗୁଡିକରେ speed governor ଲଗାଯାଇନଥିଲେ ପରିବହନ ବିଭାଗର ଅଧିକାରୀ ମାନେ ଯାଞ୍ଚ କରିବା ସହ ଯାନର ମାଲିକଙ୍କ ଠାରୁ ଜରିମାନା ଆଦାୟ କରିଥାଆନ୍ତି ବୋଲି ପରିବହନ ମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି ।