୫ ବର୍ଷରେ ଜବତ ହେଲାଣି ୧୦ କିଲୋ । ଧଳା ପାଉଡର ପାଇଁ ପାଗଳ ଓଡ଼ିଶାର ଯୁବଗୋଷ୍ଠୀ! ବିଧାନସଭାରେ ଉତ୍ତର ରଖିଲେ ଅବକାରୀ ମନ୍ତ୍ରୀ ।

261

କନକ ବ୍ୟୁରୋ : ବର୍ଷ ପରେ ବର୍ଷ ବିତୁଛି, ଧଳାଜହର ବ୍ୟବସାୟ ବଢି ବଢି ଚାଲିଛି । ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ କାୟା ମେଳାଇ ସାରିଲେଣି ଧଳାଜହର ବା ବ୍ରାଉନସୁଗାର ବ୍ୟବସାୟୀ । ରାଜ୍ୟର ବିଭିନ୍ନ ସ୍ଥାନରୁ ଏବେ ଧଳା ଜହର କାରବାରର ଘଟଣା ସାମ୍ନାକୁ ଆସୁଛି । ତେବେ ଏହି ବ୍ୟବସାୟୀଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଓ ରାଜ୍ୟରେ ଏହି ବ୍ୟବସାୟର ମୂଳୋତ୍ପାଟନ ପାଇଁ କଣ ବ୍ୟବସ୍ଥା କରାଯାଇଛି । ବିଧାନସଭାରେ ବିଜେଡି ବିଧାୟକ ମହୋଷଧୀ ବାଗ ଏଭଳି ପ୍ରଶ୍ନର ଉତ୍ତର ଦେଇଛନ୍ତି ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ଉତ୍ତରରେ ନିରଞ୍ଜନ କହିଛନ୍ତି, ଗତ ୫ ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୧୦ କିଲୋରୁ ଉଦ୍ଧ୍ୱର୍ ଧଳାଜହର ଜବତ କରାଯାଇଛି । ୨୦୧୮-୧୯ ମଧ୍ୟରେ ସର୍ବାଧିକ ୪୫୭୧.୫୫୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ୫୩ ଜଣଙ୍କୁ ଏହି ମାମଲାରେ ଗିରଫ କରିଛି ଅବକାରୀ ବିଭାଗ । ସେହିଭଳି ବିଗତ ୪ ବର୍ଷ ମଧ୍ୟରେ ୧୩୬ ଜଣଙ୍କୁ ଏହି ମାମଲାରେ ଗିରଫ କରାଯାଇଛି ।

ଏହାଛଡା ବ୍ରାଉନସୁଗାର କାରବାରରେ ଧରାପଡୁଥିବା ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ଏହାଛଡା ଧଳା ଜହର କାରବାରକୁ ରୋକିବାକୁ ସରକାର ମଧ୍ୟ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

– ପ୍ରତ୍ୟେକ ଜିଲ୍ଲାରେ ଅବକାରୀ, ପୋଲିସ, ରାଜସ୍ୱ ଓ ଜଙ୍ଗଲ ଅଧିକାରୀଙ୍କୁ ନେଇ ଟିମ୍ ଗଠନ କରାଯିବା ସହ ଗୁପ୍ତ ତଥ୍ୟ ଆଧାରରେ ଚଢାଉ କରାଯାଇ ଆସାମୀ ମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଉଛି ।
– କଟକ, ସମ୍ବଲପୁର, ବ୍ରହ୍ମପୁରର ୩ଟି ଅବକାରୀ ଗୁଇନ୍ଦା ସଂସ୍ଥା ସହ ରାଜ୍ୟ ଅବକାରୀ ଗୁଇନ୍ଦା ସଂସ୍ଥା ମାଧ୍ୟମରେ ରେଳଷ୍ଟେସନ, ବସଷ୍ଟାଣ୍ଡ ଏବଂ ବିଭିନ୍ନ ସନ୍ଦେହପୂର୍ଣ୍ଣ ସ୍ଥାନରେ ଦୃଷ୍ଟି ରଖାଯିବା ସହ ଚଢାଉ କରାଯାଇ ଏନଡିପିଏସ ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।
– ପୋଲିସ, ଏସଟିଏଫ୍ ଏବଂ ଏନସିବି ଦ୍ୱାରା ବିଭିନ୍ନ ସମୟରେ ଚଢାଉ କରି ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।
– ପ୍ରତ୍ୟେକ ଜିଲ୍ଲାରେ ଜନ ସଚେତନତା ସୃଷ୍ଟି କରାଯାଇ ଯୁବପିଢିଙ୍କ ମଧ୍ୟରେ ନିଶାନିବାରଣ ନିମନ୍ତେ ସଚେତନତା ସୃ୍ଷ୍ଟି କରାଯାଉଛି ।
– ବ୍ରାଉନସୁଗାର ବାବଦରେ ସୂଚନା ଦେଉଥିବା ବ୍ୟକ୍ତି ଓ ନିଶା କାରବାର ବିରୋଧରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ପୁରସ୍କୃତ କରିବାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର ।