ବର୍ଦ୍ଧିତ ପେଟ୍ରୋଲ ଦରକୁ ଦେଖି ଭାରତର ଅଭିବୃଦ୍ଧି ଆକଳନ କମାଇଲା ଅନ୍ତର୍ଜାତୀୟ ରେଟିଂ ସଂସ୍ଥା ! ମୁଡିସ କହିଲା ୨୦୧୮ରେ ଅଭିବୃଦ୍ଧି ହାର ରହିବ ୭ ଦଶମିକ ୩ ପ୍ରତିଶତ

56

କନକ ବ୍ୟୁରୋ : କେନ୍ଦ୍ରରେ ମୋଦି ସରକାରଙ୍କ ୪ବର୍ଷ ପୂର୍ତ୍ତିରେ ଉତ୍ସାହିତ ବିଜେପି ନେତାମାନଙ୍କ ପାଇଁ ଏକ ଖରାପ ଖବର । କାରଣ ଭାରତର ଅଭିବୃଦ୍ଧି ପୂର୍ବାନୁମାନକୁ କମାଇ ଦେଇଛି ଅନ୍ତର୍ଜାତୀୟ ରେଟିଂ ସଂସ୍ଥା-ମୁଡିସ । ପ୍ରଧାନମନ୍ତ୍ରୀଙ୍କ ସମେତ ବିଜେପି ନେତା, ମନ୍ତ୍ରୀମାନେ ବାରମ୍ବାର ମୁଡିସର ରେଟିଂ ବୃଦ୍ଧି କଥା ଉଦାହରଣ ଦେଉଥିବାରୁ ଏହା ସେମାନଙ୍କ ପାଇଁ ଚିନ୍ତାର ବିଷୟ । ୨୦୧୮ ମସିହା ପାଇଁ ମୁଡିସ ଆକଳନ କରିଥିବା ୭ଦଶମିକ ୫ ପ୍ରତିଶତର ଅଭିବୃଦ୍ଧି ଆକଳନକୁ କମାଇ ୭ଦଶମିକ ୩ ପ୍ରତିଶତ କରିଛି ।

ଅବଶ୍ୟ ୨୦୧୯ ପାଇଂ ସଂସ୍ଥା ତାର ଆକଳନ ୭ଦଶମିକ ୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି । ମୁଡିସ କହିଛି ଭାରତରେ ବର୍ଦ୍ଧିତ ତେଲଦର ଓ ଏହାକୁ କମ୍ ନକରିବା ପଛରେ ଥିବା ସରକାରଙ୍କ ଆର୍ଥିକ ଅସହାୟତା ମୁଖ୍ୟତଃ ଏଥିପାଇଁ ଦାୟୀ । କିନ୍ତୁ ଆଗକୁ ଆବଶ୍ୟକ ପରିମାଣର ମୌସୁମୀ ବର୍ଷା ହେଲେ, ଚାଷୀଙ୍କ ଉତ୍ପାଦର ଉପଯୁକ୍ତ ମୂଲ୍ୟ ଯୋଗାଇ ଦିଆଗଲେ ଓ ଗ୍ରାମାଂଚଳରେ ଖାଉଟିଙ୍କ ଚାହିଦା କମିଲେ ଏହା ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିପାରିବ ।

ସୂଚନାଯୋଗ୍ୟ ଭାରତରେ ପେଟ୍ରୋଲ ଓ ଡ଼ିଜେଲ ଦର ଆକାଶ ଛୁଇଁଲାଣି । ପେଟ୍ରୋଲ ଦର ବୃଦ୍ଧି କାରଣରୁ ଆବଶ୍ୟକୀୟ ସାମଗ୍ରୀର ଦର ମଧ୍ୟ ବଢିବାରେ ଲାଗିଛି । ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଉ ଏହାକୁ ନେଇ ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ସଡ଼କ ପର୍ୟ୍ୟନ୍ତ ବିରୋଧ ଦେଖିବାକୁ ମିଳୁଛି । ଗତ କିଛଇ ଦିନ ହେବ ପେଟ୍ରୋଲ ଦର ଲଗାତାର ବଢିବାରେ ଲାଗିଛି । ଏପରିକି ଭାରତରେ ତେଲ ଦର ଏବେ ସବୋର୍ଚ୍ଚ ସ୍ତରରେ ପହଞ୍ଚିବା ସହ ରେକର୍ଡ଼ ସୃଷ୍ଟି କରିଛି ।