ଓଦା ହେଲା ଓଡିଶା : ଉତର ଓ ଉପକୂଳ ଓଡିଶାରେ ହୋଇଛି ମୌସୁମୀ ବର୍ଷା

28

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍  : ଆସିଲା ମୌସୁମୀ, ଭିଜିଲା ଓଡିଶା । କଳିଙ୍ଗପଟ୍ଟନମ- କଟକ- ଜାମସେଦପୁର ଦେଇ ଯାଉଥିବା ମୌସୁମୀ ବାୟୁ ଯୋଗୁଁ ଉତର ଓ ଉପକୂଳ ଓଡିଶାରେ ହୋଇଛି ବର୍ଷା । ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା ଏବଂ ପୁରୀ ଜିଲ୍ଲାରେ ଏହାରି ପ୍ରଭାବରେ ବର୍ଷା ହୋଇଛି । ଅନ୍ୟପଟେ ଏହି ସବୁ ଜିଲ୍ଲାର ଆଖପାଖ ୭ଟି ଜିଲ୍ଲାକୁ ଆଂଶିକ ଭାବେ ମୌସୁମୀ ଛୁଇଁଛି । ତେଣୁ ଗଜପତି, ଗଂଜାମ, ଖୋର୍ଦ୍ଧା, ନୟାଗଡ, କଟକ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହୋଇଛି । ଆସନ୍ତା ୪୮ ଘଂଟା ମଧ୍ୟରେ ସାରା ଓଡିଶାରେ ମୋସୁମୀ ସକ୍ରୀୟ ହେବ ବୋଲି ସୂଚନା ଦେଇଛନ୍ତି ଆଂଚଳିକ ପାଣିପାଗ ବିଭାଗ ନିର୍ଦେଶକ ।

ଆସନ୍ତା ୨୪ ଘଂଟାରେ ଉପକୂଳ ଓଡିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଏହା ସହ ଆସନ୍ତା ୪୮ ଘଂଟା ମଧ୍ୟରେ ସାରା ଓଡିଶାରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ଏହି ବର୍ଷା ୨୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଏହା ପରେ ୨-୩ ଦିନ ସାମାନ୍ୟ ବର୍ଷା କମିବ ବୋଲି କହିଛନ୍ତି ପାଣିପାଗ କେନ୍ଦ୍ର ନିର୍ଦେଶକ । ଆଭ୍ୟନ୍ତରିଣ ଓଡିଶାରେ ଏବେ ବି ତାତି ପ୍ରାୟ ୪୦ ପାଖାପାଖି ରହୁଥିବା ବେଳେ ମୌସୁମୀ ଆସିବା ଖବର ସମସ୍ତଙ୍କୁ ଆଶ୍ୱସ୍ତ କରିଛି ।