କେରଳ ଛୁଇଁଲା ମୌସୁମୀ: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗର ସୂଚନା

760

କନକ ବ୍ୟୁରୋ: କେରଳ ଛୁଇଁଲା ମୌସୁମୀ। ଆଇଏମଡିର ପୂର୍ବାନୁମାନ ଅନୁଯାୟୀ ଆଜି ମୌସୁମୀ କେରଳ ଛୁଇଁଛି । ତେବେ ମୌସୁମୀ ଛୁଇଁବା ପରେ କେରଳର କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ସାଧାରଣତଃ ପ୍ରତିବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜୁନ୍ ପ୍ରଥମ ସପ୍ତାହରେ କେରଳ ଛୁଇଁଥାଏ ।

ହେଲେ ଚଳିତ ବର୍ଷ ଏହା ୮ ଦିନ ବିଳମ୍ବରେ ଭାରତରେ ପ୍ରବେଶ କରିଛିି । ତେବେ ଓଡିଶାରେ ମୌସୁମୀ ବାୟୁ ପ୍ରବେଶ ନେଇ ଅନିୟମିତତା ଲାଗି ରହିଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁଁ ଓଡିଶାର ଅଧିକାଂଶରେ ଆସନ୍ତା ଦୁଇ ଦିନ ଧରି ପ୍ରବଳ ବର୍ଷା ହେବ । ଜୁନ୍ ତୃତୀୟ ସପ୍ତାହ ଶେଷ ସୁଦ୍ଧା ମୌସୁମୀ ବାୟୁ ଓଡିଶାରେ ପହଂଚିବା ସମ୍ଭାବନା ନଥିବା ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ ।

ବିଭାଗ ଆହୁରି ପୂର୍ବାନୁମାନ କରିଛି ଯେ ଜୁନ୍ ୯ ବେଳକୁ କେରଳ ଓ କର୍ଣ୍ଣାଟକ ଉପକୂଳ ଆରବ ସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ। ଯାହାକି ମୌସୁମୀକୁ ଅଧିକ ସକ୍ରିୟ କରିବା ସହ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗକୁ ଅଗ୍ରସର ହେବ। ଏହି ସମୟ ମଧ୍ୟରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ବି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବ। ପ୍ରଭାବରେ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଓ ତ୍ରିପୁରାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିବ।

ସେପଟେ,ବଙ୍ଗୋପସାଗର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ପଶ୍ଚିମବଙ୍ଗ ଓ ଓଡ଼ିଶାର ଅଧିକାଂଶ ସ୍ଥାନରେ ଆସନ୍ତା ଦୁଇ ଦିନ ଧରି ପ୍ରବଳ ବର୍ଷା ହେବ। ଉପକୂଳରେ ଘଣ୍ଟାପ୍ରତି ୩୫ରୁ ୪୦ କିମି ବେଗରେ ପବନ ବହିପାରେ। ତେବେ ପଶ୍ଚିମ ଭାରତରେ କିନ୍ତୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ୧୦ ତାରିଖ ଯାଏ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ବିଦର୍ଭରେ ତାପମାତ୍ରା ୪୫ ଡିଗ୍ରି ଉପରେ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।