ଜୁଲାଇ ୧୮ ତାରିଖରୁ ସଂସଦର ମୌସୁମୀ ଅଧିବେଶନ : ସୁରୁଖୁରୁରେ ସଂସଦ ଚଲାଇବା ପାଇଁ ଚେଷ୍ଟା କରୁଛନ୍ତି ସରକାର

44

କନକ ବ୍ୟୁରୋ : ଆସନ୍ତା ୧୮ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହି ଅଧିବେଶନରେ ବିରୋଧୀମାନେ ବଜେଟ୍ ଅଧିବେଶନ ଭଳି ସରକାରଙ୍କୁ ଘେରିବା ଲାଗି ଅନେକ ଉପାୟ ଆପଣାଇ ପାରନ୍ତି । ତେବେ ପୂର୍ବ ପରି ଯଦି ଏଥର ମଧ୍ୟ ବାରମ୍ବାର ଗୃହକୁ ବନ୍ଦ କରାଯିବାର ଆଶଙ୍କା ରହିଛି । ଏହାସହ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହୋଇ ପାରିବ କି ନାହିଁ ବୋଲି ମଧ୍ୟ ଅଶାଙ୍କା କରାଯାଉଛି । ସରକାର ଗୃହକୁ ସ୍ୱାଭାବିକ ଭାବରେ ଚଲାଇବା ପାଇଁ ଚେଷ୍ଟା ଚଳାଇଛନ୍ତିି । କିନ୍ତୁ ବିରୋଧୀମାନେ ମଧ୍ୟ ସରକାରଙ୍କୁ ଘେରିବା ଲାଗି ପୁରା ପ୍ରସ୍ତୁତ ଅଛନ୍ତି । ଏହି ଅଧିବେଶନରେ ସଂସଦର କିଛି ମନ୍ତ୍ରୀଙ୍କ ଉପରେ ସାରା ଦେଶର ନଜର ।

କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ଉପରେ ସମସ୍ତଙ୍କ ନଜର ରହିଛି । ଦେଶର ସୁରକ୍ଷା ଓ ଲିଚିଂ ଘଟଣା ଉପରେ କୈଫତ୍ ମଗାଯିବା ସ୍ଥିର ହୋଇଛି । ତେଣୁ ଲିଚିଂ ସମସ୍ୟା ଉପରେ ସରକାର କଣ ପଦକ୍ଷେପ ନେଇଛନ୍ତି ତାହା ଜାଣିବା ଲାଗି ବିରୋଧୀମାନେ ଦାବି କରିପାରନ୍ତି । ବିଗତ ୨ ମାସ ମଧ୍ୟରେ କାଶ୍ମୀରରେ ୨୨ ଜଣ ପ୍ରାଣ ହରାଇଛନ୍ତି । ଏହାସହ ଏବେ କିଛି ଦିନ ମଧ୍ୟରେ ସୋସିଆଲ ମିଡିଆରେ କିପରି ଭାବରେ ଖୋଲାଖୋଲି ଅଶାଳୀନ ମନ୍ତବ୍ୟ ଦିଆଯାଉଛି ଏବଂ ଏହା ଉପରେ କଣ ସରକାର କରିଛନ୍ତି ତାହା ଜାଣିବା ଲାଗି ବିରୋଧୀ କହିପାରନ୍ତି ।

କାଶ୍ମୀର ପ୍ରସଙ୍ଗ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । କେତେ ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ଆନ୍ଦୋଳନକାରୀ ତ କେତେବେଳେ ପଥର ମାଡରେ ପୋଲିସ କର୍ମଚାରୀ ଆହତ ହେବା ସହ ଓ ପ୍ରାଣ ମଧ୍ୟ ଯାଉଛି । ଏହାସହ କାଶ୍ମୀରରେ ଏବେ ରାଜ୍ୟପାଳ ଶାସନ ଲାଗୁ କରାଯାଇଛି । ଏପରି ସମୟରେ ଆଉ କିଛି ଦିନ ମଧ୍ୟରେ ସାଧାରଣ ନିର୍ବାଚନ । ତେଣୁ କି ପ୍ରକାର ପଦକ୍ଷେପ ସରକାରଙ୍କ ପକ୍ଷରୁ ନିଆଯାଇଛି ତାହାର ସବିଶେଷ ବିବରଣୀ ଗୃହମନ୍ତ୍ରୀଙ୍କୁ ଉପସ୍ଥାପିତ କରିବା ପାଇଁ ଦାବଶ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।

ସରକାର ନିକଟରେ ଚାଷୀମାନଙ୍କ ଲାଗି ଧାନର ସର୍ବନିମ୍ନ ମାନ ବା ଏମଏସପି ୨୦୦ ଟଙ୍କା ବଢାଇଛନ୍ତି । ଏହାସହ ଚାଷୀମାନଙ୍କ ଋଣ ଛାଡ ସହିତ ସେମାନଙ୍କ ଜୀବନ ବୀମା, ପେନସନ ଆଦି ଚାଷୀଙ୍କୁ ଦେବା ଲାଗି ଦାବି ହୋଇପାରେ ।


ଅରୁଣ ଜେଟଲୀ ନିଜର ସ୍ୱାସ୍ଥ୍ୟଗତ କାରଣ ପାଇଁ ଛୁଟିରେ ଅଛନ୍ତି । କିନ୍ତୁ ସେ ଏବେ ସୁସ୍ଥ ହୋଇ ସୋସିଆଲ ମିଡିଆ ଜରିଆରେ ନିଜର ମନର କଥା ଲୋକମାନଙ୍କ ପାଖରେ ପହଞ୍ଚାଇବା ଲାଗି ଚେଷ୍ଟା କରୁଛନ୍ତି । ତାଙ୍କର ଅନୁପସ୍ଥିତିରେ ପୀୟୁଷ ଗୋଏଲ ଅର୍ଥ ବିଭାଗର ଦାୟିତ୍ୱରେ ରହିଛନ୍ତି । ଜେଟଲୀ ଏଥର ମୌସୁମୀ ଅଧୀବେଶନରେ ଯୋଗ ଦେବେ କି ନାହିଁ ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ । ତେବେ ଯଦି ଜେଟଲୀ ଆସନ୍ତି ତେବେ ଜେଟଲୀଙ୍କୁ କିମ୍ବା ପୀୟୁଷଙ୍କୁ ଅର୍ଥ ବିଭାଗର ପ୍ରଶ୍ନ ପଚାରାଯିବ ସେନେଇ ବି ବିରୋଧୀ କଟାକ୍ଷ କରିପାରନ୍ତି । ପୀୟୁଷ ଗୋଏଲଙ୍କୁ ରେଳ ବିଭାଗରେ ହେଉଥିବା ଅବ୍ୟବସ୍ଥା, ମୁମ୍ବାଇ – ଅହମ୍ମଦାବାଦ ବୁଲେଟ ଟ୍ରେନର ଅଗ୍ରଗତି, ଅସମ୍ପୂର୍ଣ୍ଣ ଭାବରେ ପଡିଥିବା ରେଳ ଲାଇନର ମରାମତି ଆଦି ବିଷୟରେ ବିରୋଧୀ ଘେରିବେ ବୋଲି ଏକ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

sushama swaraj
photo courtesy- ani

ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଦେଶରେ ଦେଖାଯାଉଥିବା ସ୍ଥିତି, ବିଦେଶ ନୀତି ଉପରେ ପ୍ରଶ୍ନ କରାଯାଇ ପାରେ । ତେଣୁ ଏହି ସମସ୍ତ ଘଟଣା ଉପରେ ସରକାରଙ୍କୁ ବିରୋଧୀମାନେ ଘେରିବାକୁ ଚେଷ୍ଟା କରିବେ, ତେଣୁ ସରକାର ମଧ୍ୟ ନିଜକୁ ପ୍ରସ୍ତୁତ କରୁଛନ୍ତି । ଏପରି ସମୟରେ ବିରୋଧୀମାନଙ୍କୁ ଉଚିତ୍ ଜବାବ ଦିଆଯିବା ସହ କିପରି ଭାବରେ ଲୋକମାନଙ୍କ ପାଇଁ ଜନହିତକର ଯୋଜନା ଓ ଦେଶରେ କିପରି ଭାବରେ ଶାସନ ଚାଲିଛି ତାହା ଉପରେ ଗୃହରେ ଆଲୋଚନା କରିବା ଲାଗି ସରକାର ଗୁରୁତ୍ୱ ଦେବେ ବୋଲି ଜଣାପଡିଛି ।