ରାଜ୍ୟରୁ ବିଦାୟ ନେଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ : ବିଧିବଦ୍ଧ ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ

45

କନକ ବ୍ୟୁରୋ : ଓଡ଼ିଶାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେଇଛି । ଭାରତର ପାଣିପାଗ ବିଭାଗ ଆଜି ବିଧିବଦ୍ଧ ଭାେବ ଏ ସଂପର୍କରେ ଘୋଷଣା କରିଛନ୍ତି । ଏକଥା ବି ପୂର୍ବାନୁମାନ କରାଯାଇଛି ଯେ ମୌସୁମୀ ଓଡ଼ିଶା ଛାଡ଼ିଥିଲେ ହେଁ ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ ଏବଂ ଏହା ଅଧିକ ଘନୀଭୂତ ହୋଇ ୭୨ ଘଣ୍ଟା ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ପହଞ୍ଚିବ । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବ।

ଜୁନ୍ ପ୍ରଥମ ସପ୍ତାହରେ ଓଡ଼ିଶାକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଥିଲା । ତା ପୂର୍ବରୁ ପାଣିପାଗ ବିଜ୍ଞାନୀ ଏବର୍ଷ ପାଇଁ ସ୍ୱାଭାବିକ ବର୍ଷ ଆକଳନ କରିଥିଲେ । ସେମାନଙ୍କ ଭବିଷ୍ୟବାଣୀ ପାଖାପାଖି ସତ ହୋଇଛି । ସ୍ୱାଭାବିକ ବର୍ଷା ଠାରୁ ୧୧.୩% ଅଧିକ ବର୍ଷା ଏବର୍ଷ ଓଡ଼ିଶା ପାଇଛି । ଅର୍ଥାତ୍ ଓଡ଼ିଶାରେ ୧୧୬୨.୮ମିଲିମିଟର ବର୍ଷା ହେବା କଥା, ହୋଇଛି ୧୨୯୩.୦୯ ମିଲିମିଟର ।ମାତ୍ର ଅନିୟମିତତା ବର୍ଷାର ଗଭୀର ପ୍ରଭାବ ପଡିଛି ଓଡ଼ିଶା ଉପରେ । ରାଜ୍ୟର ୧୪ଟି ଜିଲ୍ଲା ଅନ୍ତର୍ଗତ ୩୪ଟି ବ୍ଲକରେ ନିଅଣ୍ଟିଆ ବର୍ଷା ବା ଅନାବୃଷ୍ଟି ହୋଇଛି ଓ ଚାଷୀ ମରୁଡିକୁ ସାମ୍ନା କରିଛନ୍ତି ।

ଯଦିଓ ରାଜ୍ୟରେ ବଡ଼ ବନ୍ୟା ଆସିନାହିଁ, ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ତଥ୍ୟ ଅନୁସାେର, ଗତ ସେପ୍ଟେମ୍ବର ୨୬ ତାରିଖ ସୁଦ୍ଧା, ରାଜ୍ୟ ଉତ୍ତର ଓ ଦକ୍ଷିଣାଞ୍ଚଳରେ ହୋଇଥିବା ବନ୍ୟାରେ ୨୦ଜଣଙ୍କର ମୃତ୍ୟୁ ହୋଇଛି । ଏବର୍ଷ ବଜ୍ରପାତରେ ୨୬୫ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ, ୨୭୫ଜଣ ପାଣିରେ ବୁଡି ମରିଛନ୍ତି । ୨୬୬ଜଣଙ୍କର ସାପକାମୁଡାରେ ମୃତ୍ୟୁ ହୋଇଛି । ୨୨ଜଣଙ୍କର ଅଗ୍ନିକାଣ୍ଡରେ, କୁଆପଥର ବର୍ଷା କାରଣରୁ ୧୧ଜଣ, ବୋଟ୍ ବୁଡି ୬ଜଣ ଏହିପରି ମୋଟ ୮୭୪ଜଣଙ୍କର ମୃତ୍ୟୁ ଘଟିଛି । ଇତିମଧ୍ୟରେ ରାଜ୍ୟର ଆଉ କିଛି ଜିଲ୍ଲାରେ ଶିଶୁ, ଛାତ୍ର ପ୍ରମୁଖ ପାଣିରେ ବୁଡି ମୃତ୍ୟବରଣ କରିଛନ୍ତି। ଏସବୁକୁ ମିଶାଇଲେ ଏହି ସଂଖ୍ୟା ୯୦୦ ଛୁଇଁପାରେ ।

ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟରୁ ମିିଳିଥିବା ତଥ୍ୟ ଅନୁସାରେ, ଏବର୍ଷ କଳାହାଣ୍ଡି ଜିଲ୍ଲା (୫୮.୪%) ରେ ସର୍ବାଧିକ ବର୍ଷା ହୋଇଛି । ଏହା ପଛକୁ ମାଲକାନଗିରି (୪୫%) ରହିଛି । ପୁରୀ, କେନ୍ଦ୍ରାପଡା, ଯାଜପୁର, ଖୋର୍ଧା, ଜଗତସିଂହପୁର, ଭଦ୍ରକ, କଟକ, କୋରାପୁଟ ଓ ରାୟଗଡ଼ାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ରେକର୍ଡ ହୋଇଛି । ବାକି ୧୯ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି । ସବୁଠାରୁ ବଡ଼କଥା ହେଉଛି, ଯେଉଁ ଜିଲ୍ଲାରେ ଅତିବୃଷ୍ଟି ହୋଇଛି, ଯେଉଁଠି ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି, ସେହି ଜିଲ୍ଲାର କିଛି ବ୍ଲକରେ ମଧ୍ୟ ଅନାବୃଷ୍ଟି ହୋଇଥିବା ଜଣାପଡିଛି । ଚାଷୀ ଘୋର କ୍ଷତିଗ୍ରସ୍ତ ହୋଇଛନ୍ତି । ଏମିତି ମିଶି ସମୁଦାୟ ୧୪ଟି ଜିଲ୍ଲାର ୩୪ଟି ବ୍ଲକରେ ନିଅଣ୍ଟିଆ ବର୍ଷା ହୋଇଛି ।