ରାଜ୍ୟରେ ମୌସୁମୀ ସକ୍ରିୟ ! ଆସନ୍ତା ୨୪ ଘଂଟାରେ ଉପକୂଳ ଅଂଚଳରେ ଜୋର ପବନ ସହ ବର୍ଷା ସମ୍ଭାବନା

67

କନକ ବ୍ୟୁରୋ : ସାରା ରାଜ୍ୟରେ ସକ୍ରିୟ ହୋଇ ସାରିଛି ମୌସୁମୀ । ଆଭ୍ୟନ୍ତରୀଣ ଓଡିଶାରେ ଅଧିକ ବର୍ଷା ହେଉଥିବା ବେଳେ ଉପକୂଳ ଓଡିଶାରେ ବର୍ଷାର ମାତ୍ରା କମ୍ ରହିଛି । ଆସନ୍ତା ୨୪ ଘଂଟା ମଧ୍ୟରେ ଉପକୂଳ ଓଡିଶାରେ ଘଂଟାକୁ ୪୫ରୁ ୬୦ କିଲୋମିଟର ବେଗରେ ପବନ ବୋହିବ । ଏଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରିଛି ପାଣିପାଗ ବିଭାଗ ।

ଆସନ୍ତା ୪୮ ଘଂଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ଗବେଷଣା କେନ୍ଦ୍ର । ହିମାଳୟରୁ ପଶ୍ଚିମ ବଙ୍ଗ ଦେଇ ଓଡିଶା ଆସିଥିବା ଟ୍ରଫ ଲାଇନ ଆସିଛି । ଏହା ସହ ବାୟୁମଣ୍ଡଳର ଉପରି ଭାଗରେ ମଧ୍ୟ ଆଉ ଏକ ଟ୍ରଫ ଲାଇନ ସୃଷ୍ଟି ହୋଇଛି । ଫଳରେ ରାଜ୍ୟରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ।

ଗତ ୨୪ ଘଂଟାରେ ମଧ୍ୟରେ ନବରଙ୍ଗପୁର ଜିଲ୍ଲା ଝରିଗାଁରେ ସର୍ବାଧିକ ୧୩୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ତା ତଳକୁ କଳାହାଣ୍ଡି ଜିଲ୍ଲାର ଜୟପାଟଣାରେ ୧୧୦ ମିଲିମିଟର ବର୍ଷା ହୋଇଛି । କଟକ, ଭୁବନେଶ୍ୱରରେ ସାମାନ୍ୟ ବର୍ଷା ହୋଇଛି ।