ଜୁନ୍ ୧୦ ସୁଦ୍ଧା ଓଡ଼ିଶା ଛୁଇଁପାରେ ମୌସୁମୀ : ତାତିରୁ ତ୍ରାହି ପାଇବେ ଲୋକେ

57

କନକ ବ୍ୟୁରୋ : କେରଳ ଛୁଇଁଲା ମୌସୁମୀ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ମୌସୁମୀ ପ୍ରଭବାରେ କେରଳର ଅନେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ତାମିଲନାଡୁ ଓ ଲାକ୍ଷାଦୀପ ଉପକୂଳରେ ବର୍ଷା ଜାରି ରହିଛି । ଆସନ୍ତା ୪୮ ଘଂଟା ମଧ୍ୟରେ ଆଭ୍ୟନ୍ତରୀଣ କର୍ଣ୍ଣାଟକ ଛୁଇଁବା ସମ୍ଭାବନା ରହିଛି । ଜୁନ୍ ୧୦ ସୁଦ୍ଧା ଓଡ଼ିଶା ଛୁଇଁପାରେ ମୌସୁମୀ । ଜୁନ ପ୍ରଥମ ସପ୍ତାହରୁ ବର୍ଷା ଓଡିଶାରେ ଆରମ୍ଭ ହୋଇଯିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ପୂର୍ବ ଆକଳନ ଅନୁଯାୟୀ ନିର୍ଦ୍ଧାରିତ ସମୟର ତିନି ଦିନ ପୂର୍ବରୁ ଆଜି କେରଳ ଛୁଇଁଛି ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ଛୁଇଁଥିବା ନେଇ ଭାରତୀୟ ପାଣିପାଗ ବିଭାଗ ମଧ୍ୟ ସରକାରୀ ଭାବେ ଘୋଷଣା କରିଛି । ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁର ଗତି ଓ ପ୍ରବାହକୁ ଦୃଷ୍ଟିରେ ରଖି ଜୁନ୍‌ ୬ ପରେ ଯେ କୌଣସି ସମୟରେ ମୌସୁମୀ ଓଡ଼ିଶା ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ସମେତ ଘରୋଇ ପଣିପାଗ ଆକଳନ ସଂସ୍ଥା ସ୍କାଇମେଟ୍‌ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ଜୁନ ୧୦ ସୁଦ୍ଧା ଓଡ଼ିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଓଡ଼ିଶାର ଅଧିକାଂଶ ସ୍ଥାନରେ ଜୁନ ଦ୍ୱିତୀୟ ସପ୍ତାହ ସୁଦ୍ଧା ମୌସୁମୀ ବର୍ଷା ହେବା ନେଇ ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଜୁନ୍‌ ପ୍ରଥମ ସପ୍ତାହ ପରେ ପରେ ଜୁନ୍‌ ୧୦ ସୁଦ୍ଧା ଓଡ଼ିଶାର ଦକ୍ଷିଣ ସୀମାନ୍ତ ଦେଇ ଓଡ଼ିଶାରେ ପ୍ରବେଶ କରିବ ମୌସୁମୀ ବାୟୁ । ଏହାର ପ୍ରଭାବରେ ସମଗ୍ର ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ବର୍ଷା ହେବା ସମ୍ଭାବନା ରହିଛି । ତେବେ ଜୁନ ପ୍ରଥମ ସପ୍ତାହରୁ ପ୍ରାକ୍‌ ମୌସୁମୀ ବର୍ଷାରେ ରାଜ୍ୟର ଅଧିକାଂଶ ଅଞ୍ଚଳ ଭିଜିବ । ପ୍ରାକ୍‌ ମୌସୁମୀ ବର୍ଷା ଓ ମୌସୁମୀ ବାୟୁ ପ୍ରଭାବରେ ସାରା ଓଡ଼ିଶାରେ ତାପମାତ୍ରାରେ ଏଣିକି ହ୍ରାସ ପରିଲକ୍ଷିତ ହେବ ବୋଲି କହିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ, ଜୁନ୍‌ ପ୍ରଥମ ସପ୍ତାହ ଅର୍ଥାତ୍‌ ରାଜ୍ୟରେ ମୌସୁମୀର ପ୍ରବେଶ ପର୍ଯ୍ୟନ୍ତ ଦକ୍ଷିଣ ଓ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଓ ପରେ ପରେ ପ୍ରାକ୍‌ ମୌସୁମୀ ଜନିତ ବର୍ଷା ଲାଗିରହିବ ।

Odisha rain
image courtesy-https://www.google.co.in

ଉଲ୍ଲେଖଯୋଗ୍ୟ, ଗତ ୨୫ ତାରିଖରେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପ୍ରବେଶ କରିଥିଲା ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ । ଏବେ ବଙ୍ଗୋପସାଗରରେ ଅନୁକୂଳ ସ୍ଥିତି ସୃଷ୍ଟି ହୋଇଥିବାରୁ ଭାରତର ମୁଖ୍ୟ ଭୂଖଣ୍ଡ ଆଡକୁ ଗତି କରୁଛି ମୌସୁମୀ ବାୟୁ । ଏହାଦ୍ୱାରା ଲକ୍ଷାଦ୍ୱୀପ, କେରଳ, କର୍ଣ୍ଣାଟକ, ତାମିଲନାଡ଼ୁ, ପଣ୍ଡିଚେରିରେ ପ୍ରବଳ ବର୍ଷା ହେବବୋଲି ଆକଳନ କରାଯାଇଛି । ତେବେ ଏବର୍ଷ ମୌସୁମୀ ସ୍ୱାଭାବିକ ରହିବ, ସାରା ଦେଶର ଭଲ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।