ବର୍ଷା ସତ୍ୱେ ବି ଆସନ୍ତା ୨୪ ଘଂଟା ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ : ୨୫ରୁ ସକ୍ରିୟ ହେବ ମୌସୁମୀ

66

କନକ ବ୍ୟୁରୋ: ପ୍ରବଳ ଗରମ ଓ ଗୁଳୁଗୁଳି ପରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି । ତେବେ ବର୍ଷା ପରେ ମଧ୍ୟ ଆଭ୍ୟନ୍ତରୀଣ ଓଡିଶାରେ ଗ୍ରୀଷ୍ଣ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି । ଆସନ୍ତା ୨୪ଘଂଟା ମଧ୍ୟରେ ଏହା ଧିରେଧିରେ କମିବ । ଉପକୂଳ ଓଡିଶାର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ କେନ୍ଦ୍ର । ସେହିପରି ଆଭ୍ୟନ୍ତରୀଣ ଓଡିଶାର ଅଳ୍ପ କେତେକ ସ୍ଥାନରେ ବର୍ଷା ହୋଇପାରେ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ଆସନ୍ତା ୪୮ ଘଂଟା ମଧ୍ୟରେ ଉତର ଓ ଉପକୂଳ ଓଡିଶାରେ ଘଡଘଡି ସହ ବର୍ଷା ହେବା ସମ୍ଭାବନା ରହିଛି । ଏନେଇ ଖୋର୍ଦ୍ଧା, ପୁରୀ, ନୟାଗଡ, ଜଗତସିଂହପୁର, ସମେତ ୧୬ଟି ଜିଲ୍ଳାକୁ ସତର୍କ ସୂଚନା ଦିଆଯାଇଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଏପର୍ଯ୍ୟନ୍ତ ଓଡିଶାରେ ସକ୍ରିୟ ହୋଇନାହିଁ । ପୂର୍ବ ଭାରତରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ବି ସ୍ଥିର ରହିଛି । ତାହାର ପ୍ରଭାବରେ ୨୪ ତାରିଖ ବେଳକୁ ମୌସୁମୀ ପୁଣିଥରେ ସକ୍ରିୟ ହେବ । ୨୫ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ସେହିପରି ୨୬ରୁ ୨୮ ତାରିଖ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସବୁଠାରୁ ବଡ଼ କଥା ହେଲା ଗତକାଲି ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଅନୁଗୁଳରେ ଦେଶର ଦ୍ୱିତୀୟ ସବୁଠାରୁ ଅଧିକ ବର୍ଷା ହୋଇଛି। ଏଠାରେ ୧୧୦ ମି.ମି. ଅର୍ଥାତ୍ ୧୧ ସେ.ମି. ବର୍ଷା ରେକର୍ଡ କରାଯାଇଛି। ମହାରାଷ୍ଟ୍ରର ହରନାଇରେ ସର୍ବାଧିକ ୧୬ ସେ.ମି. ବର୍ଷା ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେହିପରି ବାଲେଶ୍ୱରରେ ୫ ସେ.ମି. ଓ ଚାନ୍ଦବାଲିରେ ୩ ସେ.ମି. ବର୍ଷା ହୋଇଛି, ଯାହାକି ଦେଶର ସବୁଠାରୁ ଅଧିକ ବର୍ଷା ହୋଇଥିବା ୬ଟି ସ୍ଥାନ ମଧ୍ୟରେ ରହିଛି।

ଭାରତୀୟ ପାଣିପାଗ ବିଭାଗ ଆହୁରି ଆକଳନ କରିଛି କି ଜୁନ୍ ୨୪ ଅପରାହ୍ନରୁ ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ। ୨୫ ତାରିଖ ବେଳକୁ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଉପକୂଳ ସମେତ ଉତ୍ତର ଓ ପଶ୍ଚିମ ସୀମାନ୍ତ ଜିଲ୍ଲାଗୁଡ଼ିକରେ ୫୦ ମି.ମି.ରୁ ଅଧିକ ବର୍ଷା ହେବ। ୨୬ରୁ ୨୮ ତାରିଖ ମଧ୍ୟରେ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ମୌସୁମୀ ସକ୍ରିୟ ହେବା ପୂର୍ବରୁ ଆସନ୍ତା ୨୨ ଓ ୨୩ ତାରିଖରେ ଉପକୂଳ, ଅଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ଓ ବଜ୍ରପାତର ଆଶଙ୍କା ରହିଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦେଶକ ଏଚ୍.ଆର. ବିଶ୍ୱାସ କହିଛନ୍ତି ଯେ ୨୨ ଓ ୨୩ ତାରିଖରେ ପୁରୀ, ଖୋର୍ଧା, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ଗଞ୍ଜାମ, ବାଲେଶ୍ୱର, ମୟୂରଭଞ୍ଜ ପ୍ରଭୃତି ଜିଲ୍ଲାରେ କାଳବୈଶାଖୀ ସହ ବଜ୍ରପାତ ହୋଇପାରେ। ମୌସୁମୀ ଏବେ ସକ୍ରିୟ ହୋଇ ନାହିଁ। ୨୪ ତାରିଖରେ ସକ୍ରିୟ ହେବା ପରେ ବର୍ଷା କିଭଳି ରହିବ ତାହା ଜଣାପଡ଼ିବ। ୨୫ ଓ ୨୬ ତାରିଖ ବେଳକୁ ବର୍ଷା ପରିମାଣ ବଢ଼ିବ।