ଧବଳେଶ୍ୱର ଝୁଲାପୋଲ ଉପରେ ଆକ୍ରମଣ କରୁଛନ୍ତି ମାଙ୍କଡ ପଲ ! ସାବଧାନ୍ ପୋଷ୍ଟର ମାରିଦେଇ ଚୁପ୍ ବସିଛି ବନବିଭାଗ ।

40

କନକ ବ୍ୟୁରୋ: ଧବଳେଶ୍ୱର ଯିବାକୁ ଡର ମାଡୁଛି । କଟକ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଧବଳେଶ୍ୱରଙ୍କ ପୀଠରେ ଦେଖା ଦେଇଛି ମାଙ୍କଡ଼ ଆତଙ୍କ । ମାଙ୍କଡମାନେ ଆକ୍ରମଣ କରୁଥିବାରୁ ଝୁଲା ପୋଲରେ ଯାଉଥିବା ଯାତ୍ରୀମାନେ ଭୟଭୀତ ହୋଇ ପଡୁଛନ୍ତି । କିଛି ମାଙ୍କଡ଼ ପାଗଳ ହେଇଯିବାରୁ ଭକ୍ତ ଓ ପୂଜକ ମାନଙ୍କୁ କାମୁଡୁଛନ୍ତି । ମାଙ୍କଡ କାମୁଡାରେ ଫଳରେ ୪ ଜଣ ଗୁରୁତର ହୋଇଛନ୍ତି । ମାଙ୍କଡ ଭୟରେ ଭକ୍ତ ଓ ପୂଜକ ମାନେ କେହି ଚଲାବୁଲା କରି ପାରୁ ନାହାନ୍ତି । ଶହଶହ ମାଙ୍କଡ଼ ରହୁଥିବାରୁ ସମସ୍ତେ ହାତରେ ଠେଙ୍ଗା ଧରି ବାବା ଧବଳେଶ୍ୱରଙ୍କୁ ଦର୍ଶନ କରୁଛନ୍ତି । ତେବେ ମାଙ୍କଡ ପ୍ରତି ସାବଧାନ ଲେଖାଥିବା ଏକ ବୋର୍ଡ ଲଗାଇ ବନବିଭାଗ ଦାୟିତ୍ୱ ସାରିଦେଇଛି ।

ସୂଚନା ଅନୁଯାୟୀ, ଗତ କିଛିଦିନ ହେବ କଟକ ଜିଲ୍ଲାର ପ୍ରଶିଦ୍ଧ ଶୈବ ପୀଠ ଧବଳେଶ୍ୱରଙ୍କ ପୀଠରେ ମାଙ୍କଡର ଆତଙ୍କ ଖେଳିଯାଇଛି । ଦର୍ଶନ ପାଇଁ ଆସିଥିବା ଭକ୍ତମାନେ ମାଙ୍କଡ କାମୁଡାର ଶିକାର ହେଉଛନ୍ତି । କିଛି ଭକ୍ତଙ୍କୁ ମାଙ୍କଡ କାମୁଡି କ୍ଷେତାକ୍ତ ମଧ୍ୟ କରିଦେଇଛି । ତେବେ ଏନେଇ ବନବିଭାଗ କିମ୍ବା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷପ ନନିଆଯାଇଥିବା ବେଳେ ସେଠାରେ ମାଙ୍କଡ ପ୍ରତି ସାବଧାନ ରହିବା ପାଇଁ ଏକ ପୋଷ୍ଟର ଲଗାଇ ଦିଆଯାଇଛି । କେବଳ ଧବଳେଶ୍ୱର ମନ୍ଦିର ନୁହେଁ ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନମାନଙ୍କରେ ମଧ୍ୟ ମାଙ୍କଡମାନେ ଭକ୍ତମାନଙ୍କଠାରୁ ଭୋଗ ଛଡାଇନେବା ସହ ସେମାନଙ୍କ ଉପରେ ଆକ୍ରମଣ କରୁଛନ୍ତି । ଭକ୍ତମାନଙ୍କ ଉପରେ ମାଙ୍କଡଙ୍କ ଆକ୍ରମଣ ଦିନକୁ ଦିନ ବଢୁଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ପଦକ୍ଷପ ଗ୍ରହଣ କରାଯାଉନାହିଁ ।

ଧବଳେଶ୍ୱର ପୀଠରେ ମାଙ୍କଡ ଆତଙ୍କକୁ ରୋକିବା ଲାଗି ବିଜେଡି ମୁଖପାତ୍ର ସୁବାଷ ସିଂହ କହିଛନ୍ତି, ଧବଳେଶ୍ୱର ପୀଠରେ ମାଙ୍କଡ ଆତଙ୍କକୁ ରୋକିବା ପାଇଁ ଆମେ ଜିଲ୍ଲା ପ୍ରଶାସନ ଏବଂ ଫରେଷ୍ଟ ଡିପାର୍ଟମେଣ୍ଟ ସହ ଆଲୋଚନା କରି କିପରି ଏହାର ପ୍ରତିରୋଧ କରାଯାଇପାରିବ ସେନେଇ ପଦକ୍ଷପ ନିଆଯିବ ।