ବିବାହ ପରିବାରରେ ବଢିଲା ଅଡୁଆ : କଠୋର ହେଲା ଟଙ୍କା ଉଠାଣ ନିୟମ

34

କନକ ବ୍ୟୁରୋ : ଟଙ୍କା ଉଠାଣ ନିୟମ ଆହୁରି ହେବ କଠୋର । ବିମୁଦ୍ରାକରଣ ପରେ ବିବାହ ପାଇଁ ଅଢେଇ ଲକ୍ଷ ଟଙ୍କା ଉଠାଣରେ ଅନୁମତି ଥିବାବେଳେ ଏବେ ଏଥିପାଇଁ ସର୍ତଗୁଡିକୁ ଆହୁରୀ କାଠିକର କରାଯାଇଛି । ଏଣିକି ବିବାହ ପାଇଁ ଅଢେଇ ଲକ୍ଷ ଟଙ୍କା ହାସଲ କରିବା ଏତିକି ସହଜ ହେବ ନାହିଁ ।

ନୂଆ ନିୟମ ଅନୁଯାୟୀ ନଭେମ୍ବର ୮ପୂର୍ବରୁ ଖାତାରେ ଥିବା ଟଙ୍କା ବିବାହ ପାଇଁ ଉଠାଇ ହେବ କିନ୍ତୁ ନଭେମ୍ବର ୮ପରେ,ଜମା କରାଯାଇଥିବା ଟଙ୍କା ଉଠାଇ ହେବନାହିଁ । ବ୍ୟାଙ୍କରୁ ଉଠାଯାଇଥିବା ଟଙ୍କାକୁ କେବଳ ସେମାନଙ୍କୁ ନଗଦ ଆକାରରେ ଦିଆଯାଇପାରିବ ।

ଯେଉଁ ବ୍ୟକ୍ତିର ବ୍ୟାଙ୍କରେ ଖାତା ନଥିବ, ଟଙ୍କା ଉଠାଇବା ପାଇଁ ଆବେଦନ କରିବାବେଳେ ସେଭଳି ଲୋକମାନଙ୍କ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ପଡିବ ।

ବ୍ୟାଙ୍କରେ ଖାତା ନାହିଁ ବୋଲି ସେହି ବ୍ୟକ୍ତିମାନେ ଘୋଷଣାପତ୍ର ଦାଖଲ କରିବେ । ଏବଂ କେଉଁ ଉଦ୍ଦେଶ୍ୟରେ ତାଙ୍କୁ ଟଙ୍କା ଦିଆଯାଇଛି ତାହାର ବିବରଣୀ ମଧ୍ୟ ଦେବାକୁ ପଡିବ । ବିବାହ ପାଇଁ ଟଙ୍କା ଉଠାଣର ନୂଆ ନିୟମ ଗୁଡିକୁ ନେଇ ଆରବିିଆଇ ବିଜ୍ଞପ୍ତି ଜାରି କରିଛି ।

ବିବାହ ପାଇଁ ଟଙ୍କା ଉଠାଣ ଆବେଦନ ପତ୍ରରେ ବର, କନ୍ୟାଙ୍କ ନାମ, ସେମାନଙ୍କ ପରିଚୟ ପତ୍ର, ବିବାହ ତାରିଖ ଓ ଠିକଣା ଉଲ୍ଲେଖ ରହିବ । ଯଦି ବିବାହ ଡିସେମ୍ବର ୩୦ପୂର୍ବରୁ ହେବାର ଅଛି ତେବେ ଆପଣ ଟଙ୍କା ଉଠାଇ ପାରିବେ । ଏହାସହ ବର, କନ୍ୟା କିମ୍ବା ଅଭିଭାବକ ହିଁ ଟଙ୍କା ଉଠାଣ କରିପାରିବେ ।

କେବଳ ଏତିକି ନୁହେଁ ବିବାହ ପାଇଁ ଅଢେଇ ଲକ୍ଷ ଟଙ୍କା ଉଠାଣ ପାଇଁ ଆବେଦନପତ୍ରରେ ଆବେଦନକାରୀଙ୍କୁ ନିମନ୍ତ୍ରଣ ପତ୍ର, ହଲ୍ ବୁକିଂ ଓ କ୍ୟାଟରିଂ ପାଇଁ ପ୍ରଦାନ କରାଯାଇଥିବା ଅଗ୍ରୀମ ପେମେଂଟ ବିଷୟରେ ତଥ୍ୟ ପ୍ରଦାନ କରିବାକୁ ପଡିବ ।

ଯେଉଁମାନେ ବିବାହ ପାଇଁ ଟଙ୍କା ଉଠାଣ ପାଇଁ ଆବେଦନ କରୁଛନ୍ତି ସେମାନଙ୍କ ସମ୍ପୂର୍ଣ୍ଣ ବିବରଣୀ ତଥା କାଗଜପତ୍ରଗୁଡିକୁ ପ୍ରାମଣ ଭାବେ ସଂରକ୍ଷିତ ରଖିବାକୁ ବ୍ୟାଙ୍କ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ଆଗାମୀ ଦିନରେ ଏହି ନିୟମର ସମୀକ୍ଷା ହୋଇପାରେ ବୋଲି ଆରବିଆଇ କହିଛି ।