ଏଣିକି ଆଧାରରେ ନମ୍ବରରେ ଏଟିଏମରୁ ଉଠାଇପାରିବେ ଟଙ୍କା ! ପୂରା ଦେଶରେ ଲାଗିବ ୧ ଲକ୍ଷରୁ ଅଧିକ ମାଇକ୍ରୋ ଏଟିଏମ୍

45

ସାଧାରଣତଃ ଏଟିଏମରୁ ଟଙ୍କା ଉଠାଣ ପାଇଁ କେବଳ ଡ଼େବିଟ କାର୍ଡ଼ ଖୋଜା ପଡ଼ିଥାଏ । ବିନା ଡ଼େବିଟ କାର୍ଡ଼ରେ ଏଟିଏମରୁ ଟଙ୍କା ଉଠାଣ ସମ୍ଭବ ନୁହେଁ । କିନ୍ତୁ ଏବେ ଟଙ୍କା ଉଠାଣ ପାଇଁ ଆଉ ଡ଼େବିଟ କାର୍ଡ଼ର ଆବଶ୍ୟକତା ପଡ଼ିବ ନାହିଁ । ଆଧାର କାର୍ଡ଼ ସାହାଯ୍ୟରେ ମଧ୍ୟ ଏଟିଏମରୁ ଟଙ୍କା ଉଠାଇପାରିବେ ଗ୍ରାହକ । ଫିଟନେକ ଫାର୍ମ ମହାଗ୍ରାମ ଭାରତରେ ୧ ଲକ୍ଷରୁ ଅଧିକ ଆଧାର ଆଧାରିତ ଏଟିଏମ ମେସିନ ଲଗାଇବାକୁ ଯାଉଛି । ଏହି କମ୍ପାନିର ଲକ୍ଷ୍ୟ ହେଉଛି, ଯେଉଁଠି ବ୍ୟାଙ୍କ ଏଟିଏମ ସେବା ପହଞ୍ଚି ପାରିନାହିଁ, ସେଠାରେ ଏହି ଆଧାର ଏଟିଏମ ସେବା ପହଞ୍ଚା ଯାଇପାରିବ ।

ଏହି ମାଇକ୍ରୋ ଏଟିଏମ ଜରିଆରେ ଆପଣ ଟଙ୍କା ଉଠାଇ ପାରିବେ । ଏହାଛଡ଼ା ଟଙ୍କା ଡିପୋଜିଟ, ବାଲାନ୍ସ ଚେକ, ମିନି ଷ୍ଟେଟମେଣ୍ଟ ମଧ୍ୟ ଦେଖିପାରିବେ । ଏପରିକି ରଣ ଟଙ୍କା ମଧ୍ୟ ଏହି ଏଟିଏମରେ ଜମା କରିପାରିବେ । ପ୍ୟାନ କାର୍ଡ଼, ଇ-କେୱାଇସି ଓ ରଣ ବିତରଣ ଭଳି ସୁବିଧା ମଧ୍ୟ ଏହି ଏଟିଏମରେ ଉପଲବ୍ଧ ରହିବ । ଏହି ନୂଆ ସୁବିଧାକୁ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ) ପ୍ରସ୍ତୁତ କରିଛି । ଏହା ଜରିଆରେ ବ୍ୟାଙ୍କ ଓ ଅର୍ଥ ଯୋଗାଣକାରୀ ସଂସ୍ଥା ନିଜର ସେବା ଯୋଗାଇ ଦେବା ପାଇଁ ୧୨ ନମ୍ବର ବିଶିଷ୍ଟ ଆଧାର ନମ୍ବର ବ୍ୟବହାର କରିଥାନ୍ତି । ଯାହାକୁ ରିଜର୍ଭ ବ୍ୟାଙ୍କ ମଧ୍ୟ ମାନ୍ୟତା ପ୍ରଦାନ କରିସାରିଛି ।

କଣ ଏହି ମାଇକ୍ରୋ ଏଟିଏମ : ଆଧାର ମାଇକ୍ରୋ ଏଟିଏମ ବାସ୍ତବରେ ପଏଣ୍ଟ ଅଫ୍ ସେଲ୍ସ ମେସିନ ଭାବେ କାମ କରିଥାଏ । ଏହାକୁ ବ୍ୟାଙ୍କ ପ୍ରତିନିଧି ଅପରେଟ କରିଥାନ୍ତି । ଏହା ଏଇପିଏସ ଜ୍ଞାନକୌଶଳ ଦ୍ୱାରା କାର୍ଯ୍ୟ କରିଥାଏ । ଏହି ବ୍ୟବସ୍ଥାରେ ଆପଣଙ୍କ ଫିଙ୍ଗରପ୍ରିଣ୍ଟ ଓ ମୋବାଇଲ ନମ୍ବର ଡ଼େବିଟ୍ କାର୍ଡ଼ ଭଳି କାମ କରିଥାଏ । ଟଙ୍କା ଉଠାଇବା ପାଇଁ ଗ୍ରାହକଙ୍କୁ ପିନକୋର୍ଡ଼ ମଧ୍ୟ ଆବଶ୍ୟକ ହୋଇନଥାଏ ।

ଯଦି ଆପଣ ଟଙ୍କା ଉଠାଣ କରିବାକୁ ଚାହୁଁଥାନ୍ତି ତେବେ ବ୍ୟାଙ୍କ ପ୍ରତିନିଧିଙ୍କୁ ନିଜର ଆଧାର ନମ୍ବର ଦେବାକୁ ପଡ଼ିବ । ଆଧାର ନମ୍ବର ଦେବା ପରେ ପ୍ରତିନିଧି ଜଣକ ଆପଣଙ୍କ ଫିଙ୍ଗରପ୍ରିଣ୍ଟ ଭେରିଫିକେସନ କରିବେ । ଏହାପରେ ଅପାଣଙ୍କ ମୋବାଇଲକୁ ଏକ ଓଟିପି କୋର୍ଡ଼ ଆସିବ । ଓଟିପି କୋର୍ଡ଼ ଦେବା ପରେ ଆପଣ ଟଙ୍କା ଉଠାଇପାରିବେ । ଏବେ ଆଧାର ମାଇକ୍ରୋ ଏଟିଏମରୁ ଟଙ୍କା ଉଠାଇଲେ କୌଣସି ପ୍ରକାର ସର୍ଭିସ ଚାର୍ଜ ଦେବାକୁ ପଡ଼ିବ ନାହିଁ । ଗାଁ ଗୁଡ଼ିକୁ ନଜରରେ ରଖି ଏହି ନୂଆ ସୁବିଧା ଆରମ୍ଭ କରାଯାଇଛି । ଅଧିକାରୀଙ୍କ କହିବା ଅନୁଯାୟୀ, ଏବେପର୍ଯ୍ୟନ୍ତ ମୋଟ ୪ ଲକ୍ଷରୁ ଅଧିକ ଆଧାର ମାଇକ୍ରୋ ଏଟିଏମ ପ୍ରସ୍ତୁତ କରାଯାଇଛି । ଏହାଦ୍ୱାରା ଦେଶର ଅଧିକାଂଶ ଗାଁ ଗୁଡ଼ିକରେ ବ୍ୟାଙ୍କିଙ୍ଗ ସେବା ଉପଲବ୍ଧ କରାଯାଇପାରିବ ।