ରୋଗିଣା ମା’ ଆଗରେ ଟଙ୍କା ହେଲା ବଡ ! ପେନସନ୍ ପାସବୁକ୍ , ଚେକ୍ ବୁକ୍ , ଗହଣା ଛଡାଇ ନେଇ ଡାକ୍ତରଖାନା ବେଡ୍ ରେ ବୁଢୀ ମା’କୁ ଛାଡିଲା ସେକ୍ରେଟାରୀଙ୍କ ପୁଅ । 

169

ବୟସ୍କ ଲୋକମାନେ କୁହନ୍ତି ଯେତେ ଆଭିଜାତ୍ୟ,ସମ୍ଭ୍ରାନ୍ତ ହୋଇଥିଲେ ମଧ୍ୟ କୂଳପ୍ରଦିପ ଯଦି ଅଯୋଗ୍ୟ ହୋଇ ବାହାରିଲା ତେବେ କାନମୁଣ୍ଡ ଆଉଁଶି କେବଳ ଭାଗ୍ୟକୁ ନିନ୍ଦିବା ହିଁ ସାର ହେବ । ଆଜିକାଲି ସମାଜରେ କେଉଁଠି ସମ୍ପତି ପାଇଁ ମା’କୁ କିଏ ଗାଇଗୋରୁ ଭଳି ରାସ୍ତାକଡରେ ଛାଡି ଯାଉଛନ୍ତି ତ ଆଉ କିଏ ଶୀତରାତିରେ ବାହାରେ ଠିଆ କରାଇ ଦେଉଛନ୍ତି । ଏଭଳି ଭିଡିଓ ପ୍ରତିଦିନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବାର ଆପଣ ଦେଖିବାକୁ ପାଉଥିବେ । ସବୁ ଏକାଭଳି ଖବର ହୋଇଥିଲେ ପଢୁଥିବା ପାଠକ ଉପରେ ଏହାର ଯେତେ ପ୍ରଭାବ ପଡେ ଯଦି ଏଭଳି କୁକର୍ମ କରୁଥିବା ଲୋକଟି ଉପରେ ଏହାର ପ୍ରଭାବ ପଡିଥିଲେ କାଳେ କେଉଁ ମା’ ଆଖିରୁ ଆଜି ଲୁହ ବୋହିନଥାନ୍ତା ।

ଖବରଟି ହେଉଛି ଦିଲ୍ଲୀ ନୋଏଡାର । ଏଠାରେ ୮୭ ବର୍ଷୀୟା ଉର୍ମିଳା ଗର୍ଗ ନାମକ ଜଣେ ବୁଢୀ ମା’କୁ ତାଙ୍କର ହିଁ ପୁଅ ଡାକ୍ତରଖାନା ବେଡ୍ ରେ ଛାଡି ଚାଲିଗଲେ ଏବଂ ପୁନର୍ବାର ନେବାକୁ ମଧ୍ୟ ଆସିଲେ ନାହିଁ । ୬ ଦିନ ପରେ ଯେତେବେଳେ ଡାକ୍ତରଖାନା କର୍ତ୍ତୁପକ୍ଷ ଉକ୍ତ ମହିଳାଙ୍କ ଠିକଣା ବିଷୟରେ ଖୋଜାଖୋଜି କଲେ ସେ ରକ୍ଷା ମନ୍ତ୍ରାଳୟ ପୂର୍ବ ଅଣ୍ଡର ସେକ୍ରେଟାରୀ ସତ୍ୟ ପ୍ରକାଶଙ୍କ ପତ୍ନୀ ବୋଲି ଜାଣିବାକୁ ପାଇଲେ । ଏହାପରେ ମହିଳାଙ୍କ ଝିଅକୁ ଫୋନ୍ କରାଗଲା ଏବଂ ମା’ଙ୍କୁ ହସପିଟାଲରୁ ଝିଅ ଘରକୁ ନେଇଥିଲେ ।

ଘଟଣା ଅନୁସାରେ ପତୀ ସତ୍ୟପ୍ରକାଶ ମୃତ୍ୟୁ ପୂର୍ବରୁ ପୁଅ ରମାକାନ୍ତ ନାଁରେ ନିଜ ଘର ଲେଖିଯାଇଥିଲେ ।  ପୁଅ ରମାକାନ୍ତ ଏହି ଘରଟିକୁ ପରେ ବିକ୍ରି କରିଦେଇଥିଲେ ଏବଂ ଏକ ନୂଆ ଫ୍ଲାଟ୍ କିଣି ମା’ ଏବଂ ସ୍ତ୍ରୀଙ୍କ ସହ ରହୁଥିଲେ । କିନ୍ତୁ କିଛି ସମୟ ଯିବାପରେ ମା’ଙ୍କୁ ଖାଇବାପିଇବାକୁ ନଦେଇ ତାଙ୍କୁ ହଇରାଣ କରୁଥିଲେ । ସେ ବଳପୂର୍ବକ ପେନସନ୍ ପାସବୁକ୍ , ଚେକ୍ ବୁକ୍ , ଗହଣା ଏବଂ ୩୦ ହଜାର ଟଙ୍କା ମଧ୍ୟ ନେଇଯାଇଥିଲେ । ଜାନୁଆରୀ ମାସର ପ୍ରାରମ୍ଭରେ ତାଙ୍କୁ ଗମ୍ଭୀର କାଶ ଏବଂ ଜ୍ୱର ହୋଇଥିଲା ଏବଂ ତାଙ୍କୁ ହସପିଟାଲରେ ଆଡମିଟ୍ କରାଯାଇଥିଲା । ଏହାପରେ ତାଙ୍କ ପୁଅ ଡାକ୍ତରଖାନାରୁ ତାଭ୍କୁ ନେବାକୁ ହିଁ ଆସିନଥିଲେ । ଅନ୍ୟପକ୍ଷରେ ପୋଲିସ୍ ର କହିବାନୁସାରେ ରମାକାନ୍ତ କହିଥିଲେ ଯେ ମା’ ନିଜ ଝିଅକୁ ହିଁ ପେନସନ୍ ଟଙ୍କା ଦେଉଥିଲେ ଏଥିପାଇଁ ସେ ନିଜ ଝିଅ ସହ ରହିବା ଦରକାର । ସେ ନିଜେ ବୃଦ୍ଧ ହେବାକୁ ବସିଲେଣି ତେଣୁ ମାଙ୍କ ଖର୍ଚ୍ଚ ଉଠାଇ ପାରୁନାହାନ୍ତି ।