ଅର୍ଥାଭାବ ଯୋଗୁଁ ଧୂଳିସାତ୍ ହେବ କି ମେଧାବୀଙ୍କ ସ୍ୱପ୍ନ? ମାଟ୍ରିକରେ ୮୦ ପ୍ରତିଶତ ନମ୍ବର ରଖିଥିବା ନବରଙ୍ଗପୁର ଧବଳେଶ୍ୱରଙ୍କ ଉଚ୍ଚ ଶିକ୍ଷା ପାଇଁ ଅର୍ଥ ସାଜିଛି ବାଧକ

47

କନକ ବ୍ୟୁରୋ: ଅର୍ଥାଭାବ ଯୋଗୁଁ ଅଧାରେ ଅଟକି ଯିବ କି ମେଧାବୀ ଛାତ୍ରଙ୍କ ଭବିଷ୍ୟତ । ଧୂଳିସାତ୍ ହେବ କି ମେଧାବୀଙ୍କ ସ୍ୱପ୍ନ । ଏମିତି ଅନେକ ପ୍ରଶ୍ନ ଏବେ ଆନ୍ଦୋଳିତ କରୁଛି ମାଟ୍ରିକରେ ୮୦ ପ୍ରତିଶତ ନମ୍ବର ରଖିଥିବା ନବରଙ୍ଗପୁରର ଛାତ୍ର ଧବଳେଶ୍ୱର ପୂଜାରୀଙ୍କ ମନରେ ।

ଚଳିତ ମ୍ୟାଟ୍ରିକ ପରୀକ୍ଷା ରେ ୮୦ ପ୍ରତିଶତ ରୁ ଅଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ର ଜଣେ ଗରିବ ଘର ର ଛାତ୍ର ଧବଳେଶ୍ଵର ପୂଜାରୀ । ଭବିଷ୍ୟତରେ ଓଏଏସ ହେବାର ସ୍ଵପ୍ନ ରଖିଥିବା ଧବଳେଶ୍ଵର ଙ୍କ ଉଚ୍ଚ ଶିକ୍ଷା ଗ୍ରହଣ କରିବା ପାଇଁ ଅର୍ଥ ସାଜିଛି ପ୍ରତିବନ୍ଧକ । ଧବଳେଶ୍ଵରଙ୍କ ବାପା ପରିବାରକୁ ଛାଡି କେଉଁ ଆଡେ ଚାଲିଯାଇଥିବା ବେଳେ ପର ଘରେ ମୂଲ ଲାଗି ପରିବାର ଚଲାଉଥିବା ଧବଳେଶ୍ଵର ଙ୍କ ମା ଙ୍କ ପକ୍ଷେ ଘରର ଅର୍ଥ ଅଭାବରୁ ନିଜ ପୁଅର ଉଚ ଶିକ୍ଷା ପ୍ରଦାନ ନିମନ୍ତେ ସମ୍ଭବ ନଥିବାରୁ ବର୍ତମାନ ମେଧାବୀ ଛାତ୍ର ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେବାକୁ ଯାଉଛନ୍ତି ।

ତେବେ ଧବଳେଶ୍ୱର ୨ ବର୍ଷର ହୋଇଥିବା ବେଳେ ପରିବାର ଛାଡି କୁଆଡେ ପଳାଇଯାଇଛନ୍ତି ବାପା । ପର ଘରେ ପାଇଟି କରି ବୃଦ୍ଧା ବାପା ମାଆ ଓ ପୁଅ ମୁହଁରେ ଦାନା ଗଣ୍ଡାଏ ଦେବା ସହ ଧବଳେଶ୍ୱରଙ୍କୁ ମାଟ୍ରିକ ଯାଏଁ ବହୁ କଷ୍ଟରେ ପଢାଇଛନ୍ତି ମାଆ କାଂଚନ ପୂଜାରୀ । ଗୋଟିଏ ପଟେ ପରିବାର ପରିଚାଳନା ବୋଝ ଅନ୍ୟପଟେ ପୁଅର ଉଚ୍ଚଶିକ୍ଷା ଆଶା, କାଂଚନଙ୍କୁ ଅସହାୟ କରିଦେଇଛି । ପଛୁଆ ଅଂଚଳର ମେଧାବୀ ଛାତ୍ର ଉଚ୍ଚଶିକ୍ଷା ପାଇଁ ସରକାରୀ ସହାୟତାକୁ ଅପେକ୍ଷା କରିଥିବା ବେଳେ ପ୍ରଶାସନ ପକ୍ଷରୁ ପାରୁ ପର୍ଯ୍ୟନ୍ତ ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି ନବରଙ୍ଗପୁରର ଅତିରିକ୍ତ ଜିଲ୍ଲାପାଳ ।