ଡାକଘରେ ଜମା ଟଙ୍କା ଗାଏବ । ଲୁଟ ପରେ ଡାକଘରେ ତାଲା । ଟଙ୍କା ଚଳୁ କରି ପୋଷ୍ଟ ମାଷ୍ଟର ଫେରାର!

38

କନକ ବ୍ୟୁରୋ: ଡାକଘରୁ ଟଙ୍କା ଚୋରୀ । ଶତାଧିକ ଜମାକାରୀଙ୍କ ଜମା ଟଙ୍କାକୁ ଚଂଚକତା କରି ହଡପ କରାଯାଇଥିବା ଅଭିଯୋଗ ହୋଇଛି । ଆଉ ଏ କାଣ୍ଡ କରିଛନ୍ତି ଖୋଦ ପୋଷ୍ଟ ମାଷ୍ଟର । ଜମାକାରୀଙ୍କ ଅଜାଣତରେ ପୋଷ୍ଟ ମାଷ୍ଟର ଚଂଚକତା କରି ଟଙ୍କା ହରିଲୁଟ କରିଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ବଲାଗିଂର ଜିଲ୍ଲା କନ୍ଦାଜୁରୀ ଗାଁରୁ ।

ଡାକଘରେ ଜମା ଟଙ୍କା ଲୁଟ ଭଳି ଗୁରୁତର ଅଭିଯୋଗ ଆସିଛି ବଲାଗିଂର ଜିଲ୍ଲା ଲୋଇସିଂହା ବ୍ଲକ କନ୍ଦାଜୁରୀ ଗାଁରୁ । ଗାଁରେ ଥିବା ଡାକଘରେ ଶତାଧିକ ଗରିବ ଲୋକ ନିଜର ବର୍ଷ ବର୍ଷର ଉପାର୍ଜିତ ପୁଞ୍ଜିକୁ ଜମା ରଖିଥିଲେ । ହେଲେ ଉଠାଇବାକୁ ଯାଇଥିବେ ଜାଣିବାକୁ ପାଇଛନ୍ତି ସେମାନଙ୍କ ଟଙ୍କା ଉଠି ସାରିଛି । କନ୍ଦାଜୁରୀ ଡାକଘରର ପୋଷ୍ଟମାଷ୍ଟର ଚଂଚକତା କରି, ୮୦ରୁ ଅଧିକ ଜମାକାରୀଙ୍କ ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଜମାକାରୀଙ୍କ ଟଙ୍କା ଗାଏବ ନେଇ ଜଣାପଡିବା ପରେ ପୋଷ୍ଟ ଅଫିସରେ ତାଲା ପକାଇ ଫେରାର ହୋଇଯାଇଛନ୍ତି ପୋଷ୍ଟମାଷ୍ଟର ।

ଏନେଇ ଲିଖିତ ଅଭିଯୋଗ ହୋଇନଥିବା ବେଳେ ବଲାଗିଂର ମୁଖ୍ୟ ଡାକଘର ଅଧିକ୍ଷକ ନିଜ ଆଡୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ସହକାରୀ ଅଧିକ୍ଷକ । ତେବେ କନ୍ଦାଜୁରୀ ଜମାକାରୀଙ୍କ ସମସ୍ୟା ସାମ୍ନାକୁ ଆସିବା ପରେ କାଠଗଡାରେ ଡାକଘର । ଏଥିରୁ ସ୍ପଷ୍ଟ ଯେ, କେବଳ ଚିଟଫଣ୍ଡ ସଂସ୍ଥା ନୁହେଁ, ଜମାକାରୀଙ୍କ ପାଇଁ ସୁରକ୍ଷିତ ନୁହେଁ ଡାକଘର ।