ବିଶ୍ୱାସରେ ବିଷ ! ଆଦିବାସୀଙ୍କ ଆକାଉଂଟରୁ ୩୨ ଲକ୍ଷ ଗାଏବ

21

କନକ ବ୍ୟୁରୋ : ଆଦିବାସୀଙ୍କ ଆକାଉଂଟରୁ ୩୨ ଲକ୍ଷ ଗାଏବ । ସୁନ୍ଦରଗଡରେ ଗୋଟିଏ ଦମ୍ପତିଙ୍କୁ ଠକି ନେଇଛନ୍ତି ସେହି ଗାଁର କିଛି ବ୍ୟକ୍ତି । ବ୍ୟାଙ୍କକୁ କେବେ ଯାଇନଥିବା ଏହି ଆଦିବାସୀ ପରିବାର, ଆକାଉଂଟରୁ ଟଙ୍କା ଉଠାଇବାକୁ ଅନ୍ୟ ଦୁଇ ବ୍ୟକ୍ତିଙ୍କ ସହାୟତା ଲୋଡିଥିଲେ । ଆଉ ଏମାନଙ୍କ ବିଶ୍ୱାସରେ ବିଷ ମିଶାଇ ସବୁତକ ଟଙ୍କା ଚଳୁ କରିଦେଇଛନ୍ତି । ଏକଥା ଜାଣିବା ପରେ ଏହି ସରଳ ଆଦିବାସୀଙ୍କ ମୁଣ୍ଡରେ ଛିଡି ପଡିଛି ଆକାଶ ।

ମଉଳି ଯାଇଛି ମୀନାଙ୍କ ମନ । କାରଣ ଦିନେ ସିଏ ଥିଲେ ଲକ୍ଷପତି, ଆଉ ଏବେ ଫକିର । ଆଦିବାସୀ ଅଧୁଷିତ ସୁନ୍ଦରଗଡ ଜିଲ୍ଲାର ଏହି ୫୦ ବର୍ଷୀୟ ମହିଳାଙ୍କୁ ଏମସିଏଲ ଦେଇଥିଲା ୩୨ ଲକ୍ଷ ଟଙ୍କା । ମୀନା ବୁଡାଙ୍କ ଜମି ଏମସିଏଲ ଖଣି ଅଂଚଳରେ ପଡିବାରୁ ବିସ୍ଥାପନ ବାବଦ କ୍ଷତିପୂରଣ ଦେଇଥିଲା କମ୍ପାନି । ଏହାକୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଦର୍ଲିପାଲି ଶାଖାରେ ଥିବା ନିଜ ଆକାଉଂଟରେ ଜମା କରିଥିଲେ ସେ । ହେଲେ ଲେଖାପଢା ଜାଣିନଥିବାରୁ ଠକିଗଲେ । ଚଂଚକତା କରି ସାଇତା ଟଙ୍କାକୁ ଲୁଟିନେଲେ ଗାଁର କିଛି ବ୍ୟକ୍ତି ।

ବ୍ୟାଙ୍କ କଣ ଜାଣିନଥିବା, ଆକାଉଂଟରୁ କେବେ ଟଙ୍କା ଉଠାଇ ନଥିବା ମୀନାଙ୍କ ଟଙ୍କା ଆବଶ୍ୟକ ପଡିବାରୁ ସେହି ଗାଁର ଉପମା ତାଜନ ଓ ବିହାରି ଲାଲ ତାଜନଙ୍କ ସହାୟତା ଲୋଡିଥିଲେ । ଆଉ ତାଙ୍କ ସରଳତାର ସୁଯୋଗ ନେଇ ଟଙ୍କା ହରିଲୁଟ କରିବାକୁ ହୋଇଥିଲା ଷଡଯନ୍ତ୍ର । ଟଙ୍କା ଉଠାଇବାକୁ ହେଲେ କାନାରା ବ୍ୟାଙ୍କରେ ଖାତା ଖୋଲିବାକୁ ପଡିବ ଏବଂ ସମସ୍ତ ଚେକରେ ଦସ୍ତଖତ କରିବାକୁ ପଡିବ ବୋଲି କହିଥିଲେ ଏମାନେ । ଆଉ ମୀନାଙ୍କ ଅଜାଣତରେ ଟଙ୍କା ଉଠାଇ ଚାଲିଥିବାବେଳେ ତାଙ୍କୁ ଆଉ ଧରାଛୁଆଁ ଦେଇନଥିଲେ ।

ସେପଟେ ଟଙ୍କା ଉଠାଇ ପାରିନଥିବା ମୀନା, ଗାଁର ଅନ୍ୟ ଲୋକଙ୍କୁ କୁହାବୋଲା କରି ବ୍ୟାଙ୍କରେ ଉଠାଣ ପାଇଁ ଆବେଦନ କଲା ବେଳକୁ ତାଙ୍କ ମୁଣ୍ଡ ଉପରେ ଆକାଶ ଛିଡି ପଡିଥିଲା । କାରଣ ୩୨ ଲକ୍ଷ ଟଙ୍କାରୁ ଆଉ ଗୋଟିଏ ପଇସା ବି ଆକାଉଂଟରେ ନଥିଲା । ଏକାଧିକ କିସ୍ତିରେ ଏ ଦୁଇଜଣ ସବୁ ଟଙ୍କାକୁ ଚଳୁ କରିସାରିଥିଲେ । ଚେକରେ ମୀନାଙ୍କ ଦସ୍ତଖତ ଥିବାରୁ ବ୍ୟାଙ୍କ ଅଧିକାରୀ ବି ସବୁଟଙ୍କା ଦେଇଦେଇଥିଲେ ।