ଟଙ୍କା ନ ଦେଲେ ଲିଭିବନି ନିଆଁ ! କାକଟପୁର ମନ୍ଦିରରେ ଲାଗିଗଲା ନିଆଁ, କିନ୍ତୁ ଆସିଲାନି ଦମକଳ ଗାଡି! ନିୟମକୁ ନେଇ ଉଠିଲା ପ୍ରଶ୍ନ

51

କନକ ବ୍ୟୁରୋ : ଅଗ୍ନି ନିରାପତା ସୁରକ୍ଷା ପାଇଁ ଟଙ୍କା ନେଉଛନ୍ତି ସରକାର । ଆଗୁଆ ୧୦ ହଜାର ଟଙ୍କା ପୈଠ ନକଲେ ମେଳା ମହୋତ୍ସବକୁ ଆସିବନି ଦମକଳ ଗାଡି । ଆପଣଙ୍କୁ ମିଳିବନି ଅଗ୍ନି ନିରାପତା ସୁରକ୍ଷା । ଏଭଳି ସର୍ତ ରଖି ଲୋକଙ୍କ ଜୀବନକୁ ବିପଦ ମୁହଁକୁ ଠେଲି ଦିଆଯାଇଛି । ସିଧାସଳଖ କହିବାକୁ ଗଲେ ଟଙ୍କା ନାହିଁ ତ ସୁରକ୍ଷା ନାହିଁ ।

୧୩ ମାର୍ଚ୍ଚ ୨୦୧୮ । ଚୈତ୍ର ମାସ ଦ୍ୱିତୀୟ ମଙ୍ଗଳବାର ହୋଇଥିବାରୁ ମା’ ମଙ୍ଗଳା ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଭକ୍ତ ମାନେ ପୂଜାର୍ଚ୍ଚନା କରୁଥିବା ବେଳେ ହଠାତ୍ ଦୀପଷ୍ଟାଣ୍ଡ ଜଳି ଉଠିଥିଲା । ଭକ୍ତମାନେ ଭୟଭୀତ ହୋଇ ଏଣେ ତେଣେ ଦୌଡି ପଳାଇଗଲେ । ଆଉ ନିଆଁକୁ ଆୟତ କରିବା ପାଇଁ ଆଗେଇ ଆସିଥିଲେ ମନ୍ଦିର ଟ୍ରଷ୍ଟ ବୋର୍ଡର କର୍ମକର୍ତା । ବାଲି ପକାଇ ନିଆଁକୁ ଆୟତ କରିଥିଲେ । ଫଳରେ ଏକ ବଡ ଧରଣର ଅଘଟଣକୁ ଏଡାଇ ଦିଆଯାଇଥିଲା । କିନ୍ତୁ ନିଆଁ ଲିଭାଇବାକୁ ଦମକଳ ଗାଡିର ଦେଖା ମଧ୍ୟ ମିଳିନଥିଲା ।

ସାଧାରଣତଃ ଅଗ୍ନିକାଣ୍ଡକୁ ଆୟତ୍ତ କରିବା ପାଇଁ ଦମକଳ ଗାଡି ଆସିଥାଏ । ଆପଣମାନେ ଭାବୁଥିବେ ଏଠାରେ ମଧ୍ୟ ନିଆଁକୁ ଆୟତ କରିବା ପାଇଁ ଅଗ୍ନିଶମ ବିଭାଗର ଦମକଳ ଗାଡି ଆସିଥିବ । ହେଲେ ଏଠାକୁ ଆସିନଥିଲା । କାରଣ ଆଗୁଆ ୧୦ ହଜାର ଟଙ୍କା ଜମା କରିନଥିଲା ମଙ୍ଗଳା ମନ୍ଦିରର ଟ୍ରଷ୍ଟ ବୋର୍ଡ । ସୁରକ୍ଷା ଯୋଗାଇବା ପାଇଁ ସରକାରଙ୍କ ନୂଆ ନିୟମ ହେଉଛି, ଆଗୁଆ ଟଙ୍କା ଦେଲେ ମିଳିବ ସୁରକ୍ଷା । ନଚେତ୍ ଅଗ୍ନି ନିରାପତା ପାଇଁ ଆସିବନି ଦମକଳ ଗାଡି । ମେଳା ମହୋତ୍ସବରେ ଯେଉଁଠି ହଜାର ହଜାର ଲୋକ ଏକାଠି ହୁଅନ୍ତି, ଯେ କୌଣସି ଅଘଟଣ ଘଟିବାର ଯଥେଷ୍ଟ ସମ୍ଭାବନା ରହିଥାଏ, ସେଠି ବାଜିରେ ଲାଗୁଛି ସୁରକ୍ଷା । ଟଙ୍କା ପୈଠ କରିବାର ସର୍ତ ସହ ସେବା ଯୋଗାଇ ଦେଉଛନ୍ତି ସରକାର । ଆଉ ଟଙ୍କା ଦେଇନପାରିଲେ ଲୋକଙ୍କ ଜୀବନକୁ ବିପଦ ମୁହଁକୁ ଠେଲି ଦିଆଯାଉଛି ।