ଓଡ଼ିଶାରେ ମଧ୍ୟ ଟଙ୍କା ସଙ୍କଟ ରହିଛି । ଭୁବନେଶ୍ୱରଠାରୁ ଆରମ୍ଭ କରି ଅନ୍ୟ ପ୍ରମୁଖ ସହରଗୁଡ଼ିକରେ ଅଧିକାଂଶ ଏଟିଏମ୍ ଫାଙ୍କା ରହୁଛି । କିନ୍ତୁ ଛୋଟ ସହରଗୁଡ଼ିକରେ ସମସ୍ୟା ଅଧିକ ଗମ୍ଭୀର ରହିଛି। ଯେଉଁ ସ୍ଥାନଗୁଡ଼ିକରେ ୭-୮ଟି ଏଟିଏମ୍ ରହିଛି ସେଠାରେ ଅଧିକାଂଶ ଏଟିଏମରୁ ଟଙ୍କା ବାହାରୁ ନାହିଁ । ଷ୍ଟେଟ୍ ବ୍ୟାଙ୍କ ଏଟିଏମଗୁଡ଼ିକ ଶୀଘ୍ର ଫାଙ୍କା ହୋଇଯାଉଛି । କିଛି ଘରୋଇ ବ୍ୟାଙ୍କର ଏଟିଏମକୁ ବାଦ ଦେଲେ ଅନ୍ୟ ସବୁ ବ୍ୟାଙ୍କର ଏଟିଏମ୍ ଫାଙ୍କା ରହୁଥିବା ଜଣାପଡ଼ିଛି । ଏହି ସମସ୍ୟା ବିଷୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ରାଜ୍ୟରେ ଟଙ୍କା ସମସ୍ୟା ନିଶ୍ଚିତରୂପେ ରହିଛି । କିନ୍ତୁ ଅନ୍ୟ ରାଜ୍ୟଗୁଡ଼ିକ ଭଳି ଓଡ଼ିଶାରେ ଏହି ସମସ୍ୟା ସେତେଟା ଗମ୍ଭୀର ନୁହେଁ । ଏବେ ବି ଅଧିକାଂଶ ଏଟିଏମ୍ରୁ ଟଙ୍କା ବାହାରୁଛି । ଅଧିକ ଲୋକ ବ୍ୟବହାର କରୁଥିବା ଏଟିଏମଗୁଡ଼ିକ ଶୀଘ୍ର ଫାଙ୍କା ହୋଇଯାଉଛି। ଯେଉଁ ଏଟିଏମଗୁଡ଼ିକର ବ୍ୟବହାର କମ୍ ରହୁଛି ସେଠାରେ ଟଙ୍କା ମିଳିଯାଉଛି । ଜନଗହଳିପୂର୍ଣ୍ଣ ସ୍ଥାନରେ ଥିବା ଏଟିଏମଗୁଡ଼ିକରେ ଟଙ୍କା ସମସ୍ୟା ଅଧିକ ରହିଛି ବୋଲି ସେ କହିଛନ୍ତି ।

ରିଜର୍ଭ ବ୍ୟାଙ୍କର ଅନ୍ୟ ଜଣେ ଅଧିକାରୀ କିନ୍ତୁ ଭିନ୍ନ କଥା କହିଛନ୍ତି । ସେ କହିଛନ୍ତି, ସରକାରଙ୍କ ନୀତି ଯୋଗୁଁ ଏହି ସମସ୍ୟା ଦେଖାଦେଇଛି। ବିମୁଦ୍ରାକରଣ ପରେ ସରକାର ଡିଜିଟାଲ୍ ପେମେଣ୍ଟ୍ କଥା କହିଥିଲେ। କମ୍ ନଗଦ ଅର୍ଥ ବ୍ୟବହାର କରିବା ଓ ଡିଜିଟାଲ୍ କାରବାର ବଢ଼ାଇବା ଉପରେ ଜୋର ଦେଇଥିଲେ । ସେହି ନୀତି ଅନୁଯାୟୀ ନଗଦ ଟଙ୍କା ଛପାଇବା ପରିମାଣ କମ୍ କରାଯାଇଥିଲା । ରିଜର୍ଭ ବ୍ୟାଙ୍କ ପାଖକୁ କମ୍ ଟଙ୍କା ଆସୁଥିଲା ଓ ବ୍ୟାଙ୍କଗୁଡ଼ିକ ପାଖରେ ମଧ୍ୟ କମ୍ ଟଙ୍କା ପହଞ୍ଚୁଥିଲା ।

କିନ୍ତୁ ଡିଜିଟାଲ୍ ପେମେଣ୍ଟରେ ସେଭଳି ଅଗ୍ରଗତି ହେଲାନାହିଁ । ଲୋକମାନେ ନଗଦ ଟଙ୍କାକୁ ବହୁଳ ଭାବେ ବ୍ୟବହାର କରିବା ଆରମ୍ଭ କରିଦେଇଛନ୍ତି । ସେଥିପାଇଁ ଟଙ୍କାର ଚାହିଦା ବହୁତ ବଢ଼ିଯାଇଛି। ହଠାତ୍ ଟଙ୍କା ଚାହିଦା ବଢ଼ିଯିବାରୁ ଯେଉଁ ଅଭାବ ଦେଖାଦେଇଛି ତାହାକୁ ସରକାର ପୂରଣ କରିପାରୁନାହାନ୍ତି । ପୁଣି ଟଙ୍କା ଛପାଇବା ପରିମାଣ ବୃଦ୍ଧି କରାଯାଇଛି । ଯୁଦ୍ଧକାଳୀନ ଭିତ୍ତିରେ ଟଙ୍କା ଛପାଇ ବିଭିନ୍ନ ସ୍ଥାନକୁ ପଠାଇବାକୁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ସେ କହିଛନ୍ତି। ରାଜ୍ୟରେ ରିଜର୍ଭ ବ୍ୟାଙ୍କର ୧୨୮ଟି କରେନ୍ସି ଚେଷ୍ଟ୍ ରହିଛି । ସବୁ କରେନ୍ସି ଚେଷ୍ଟରେ ଆବଶ୍ୟକ ପରିମାଣର ନଗଦ ଅର୍ଥ ଅଛି ନା ନାହିଁ ତାହା ଆକଳନ କରିବା ସହଜ ନୁହେଁ ବୋଲି ସେ କହିଛନ୍ତି । କିନ୍ତୁ ବିମୁଦ୍ରାକରଣ ପରେ ସବୁ କରେନ୍ସି ଚେଷ୍ଟରେ କମ୍ ପରିମାଣର ଟଙ୍କା ରହୁଥିବା ସେ ସ୍ୱୀକାର କରିଛନ୍ତି ।