ସାପ୍ତାହିକ ହାଟ ପାଇଁ ସରକାରୀ ନିୟମକୁ ଅଣଦେଖା : ରବିବାର ସ୍କୁଲ ଖୋଲା, ସୋମବାର ସ୍କୁଲ ବନ୍ଦ

467

କନକ ବ୍ୟୁରୋ : ହାଟ ପାଇଁ ରବିବାର ସ୍କୁଲ ଖୋଲା, ହେଲେ ସୋମବାର ସ୍କୁଲ ବନ୍ଦ । ସାପ୍ତାହିକ ହାଟ ପାଇଁ ବଦଳିଯାଇଛି ସରକାରୀ ନିୟମ । ସୋମବାର ହାଟ ବସୁଥିବାରୁ ଏହି ଦିନ ସ୍କୁଲ ବନ୍ଦ ରହୁଛି । ରବିବାର ସକାଳୁଆ ସ୍କୁଲ ହେଉଛି । ମାସେ କି ବର୍ଷେ ନୁହେଁ ବର୍ଷ ବର୍ଷ ଧରି କେନ୍ଦୁଝର ଅନ୍ତର୍ଗତ ଘସିପୁରା ବ୍ଲକର ୩୦ଟି ପ୍ରାଥମିକ ବିଦ୍ୟାଳୟ ଏମିତି ଚାଲିଛି । ସୋମବାର ସ୍କୁଲ ବନ୍ଦ ନେଇ କୌଣସି ସରକାରୀ ନିୟମ ନଥିବାବେଳେ ଏଠାରେ ଦୀର୍ଘ ବର୍ଷ ଧରି ଏଭଳି ବିଚିତ୍ର ବ୍ୟବସ୍ଥା କିଭଳି ଲାଗୁ କରାଯାଇଛି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି  ।

ସୂଚନା ଅନୁସାରେ, ଦେଓଗାଁରେ ସୋମବାର ଏକ ସାପ୍ତାହିକ ହାଟ ବସୁଛି । ଏହାକୁ ଦୃଷ୍ଟିରେ ରଖି ଦେଓଗାଁ, ଦରଡ଼ିପାଳ, କେଶଦୁରାପାଳ ଓ କଅଁସ ସିଆର୍ସିର ୩୦ରୁ ଊର୍ଦ୍ଧ୍ବ ପ୍ରାଥମିକ ବିଦ୍ୟାଳୟ ସୋମବାର ବନ୍ଦ ରହୁଛି । ରବିବାର ଛୁଟିଦିନ ଥିଲେ ମଧ୍ୟ ସକାଳୁଆ ସ୍କୁଲ ହେଉଛି । କିଛି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକ ସ୍ବାଭାବିକ ଭାବେ ଖୋଲା ରହୁଛି । ଏଭଳି ବ୍ୟବସ୍ଥା ବହୁଦିନରୁ ଚାଲି ଆସୁଥିବାବେଳେ ଶିକ୍ଷା ବିଭାଗର କୌଣସି ଅଧିକାରୀ ସୋମବାର ସ୍କୁଲ ପରିଦର୍ଶନରେ ଆସିଲେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଦେଓଗାଁରେ ସାପ୍ତାହିକ ହାଟ ପାଇଁ ପୂର୍ବରୁ ଏହି ସର୍କଲ ଅଧୀନରେ ଥିବା ବିଦ୍ୟାଳୟ ଗୁଡ଼ିକ ସୋମବାର ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବନ୍ଦ ରହୁଛି ବୋଲି କିଛି ଲୋକ ପ୍ରକାଶ କରିଛନ୍ତି। କିନ୍ତୁ କେହି କୋର୍ଟ ନିର୍ଦ୍ଦେଶ ଦେଖାଇ ପାରୁନାହାନ୍ତି । ସୋମବାର ସ୍କୁଲ ବନ୍ଦ ରହୁଥିଲେ ମଧ୍ୟ ଏହି ଦିନ ପାଠପଢ଼ା ହେଉଥିବା ଦର୍ଶାଯାଇ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ସମ୍ପର୍କିତ ଅନଲାଇନ୍  ମେସେଜ ପଠାଯାଉଛି ।

ଏ ସମ୍ପର୍କରେ ଘସିପୁରା ବିଇଓ କ୍ଷେତ୍ରମୋହନ ହାଁସଦା କହିଛନ୍ତି, ରବିବାର ସ୍କୁଲ ଖୋଲାଯାଇ ସୋମବାର ବନ୍ଦ ରଖିବା ଭଳି କୌଣସି ସରକାରୀ ନିୟମ ନାହିଁ । ଦେଓଗାଁ ସାପ୍ତାହିକ ହାଟ ପାଇଁ ଏଠାରେ ଏଭଳି ପରିବର୍ତ୍ତନ ସମ୍ପର୍କରେ ତାଙ୍କ କାର୍ଯ୍ୟାଳୟରେ କୌଣସି ରେକର୍ଡ ନଥିବା ସେ କହିଛନ୍ତି  ।