ପୁଣି ମାତିଲେ ମାଓବାଦୀ ! ମାଲକାନଗିରି–ଛତିଶଗଡ ସୀମାରେ ୩ ବସ୍ ସମେତ ୬ ଗାଡିକୁ ପୋଡିଲେ ନକ୍ସଲ, ଜଣେ ଯାତ୍ରୀଙ୍କୁ ନିର୍ମମ ଭାବେ ହତ୍ୟା

28

କନକ ବ୍ୟୁରୋ : ମାଲକାନଗିରି ସୀମାରେ ୬ଟି ଗାଡି ପୋଡିଲେ ମାଓବାଦୀ । ୩ଟି ବସ୍ ଓ ୩ଟି ଟ୍ରକକୁ ସେମାନେ ପୋଡି ଦେଇଛନ୍ତି । ମାଲକାନଗିରିରୁ ହାଇଦ୍ରାବାଦ ଯାଉଥିବା ଯାତ୍ରୀବାହୀ ବସ୍କୁ ଅଟକାଇ ଏଭଳି କାଣ୍ଡ କରିଥିବା ଜଣାପଡିଛି । ପ୍ରଥମ ଥର ପାଇଁ ଏହି ବସ୍ ଯାତ୍ରା ଶୁଭାରମ୍ଭ କରାଯାଇଥିଲା । ଏପରିକି ଜଣେ ଯାତ୍ରୀଙ୍କୁ ମାଓବାଦୀ ମାନେ ନିର୍ମମ ଭାବେ ହତ୍ୟା କରିଥିବା ସୂଚନା ମିଳିଛି । ତେଲେଙ୍ଗାନା ସୀମାରେ କିଛିଦିନ ତଳେ ଏନକାଉଂଟରରେ ୧୨ ଜଣ ମାଓବାଦୀଙ୍କୁ ହତ୍ୟା କରିଥିବାର ଘଟଣାର ପ୍ରତିବାଦରେ ଏଭଳି କାଣ୍ଡ କରିଥିବା ଛାଡିଯାଇଥିବା ପୋଷ୍ଟର ଓ ବ୍ୟାନରରେ ଉଲ୍ଲେଖ ରହିଛି ।

ସୂଚନାଯୋଗ୍ୟ ଗତ ୨ ତାରିଖ ଦିନ ଜଙ୍ଗଲ ଭିତରେ ଲୁଚି ରହିଥିବା ମାଓବାଦୀଙ୍କୁ ଖୋଜି ମାରିଥିଲା ପୁଲିସ୍ । ମାଲକାନଗିରି ସୀମାନ୍ତ ଛତିଶଗଡରେ ବଡ ଧରଣର ମାଓ ବିରୋଧୀ ଅପରେସନ ହୋଇଥିଲା । ତେଲେଙ୍ଗାନା ଓ ଛତିଶଗଡ ପୁଲିସର ମିଳିତ ଅଭିଯାନରେ ଟଳିପଡିଥିଲେ ୧୨ ମାଓବାଦୀ । ବସ୍ତରରେ ମାଓ ବିରୋଧୀ ଅପରେସନକୁ ଜୋରଦାର କରିବା ପରେ ବିଜାପୁର ପୂଜାରୀ କାଙ୍କେର ଜଙ୍ଗଲରେ ଛପି ରହିଥିଲେ ମାଓବାଦୀ । ଗୁଇନ୍ଦା ସୂଚନା ଆଧାରରେ ୨ ତାରିଖ ଭୋରରୁ ଆରମ୍ଭ ହୋଇଥିଲା ବିରାଟ ଅପରେସନ୍ । ତେବେ ଉକ୍ତ ଘଟଣାର ପ୍ରତିଶୋଧ ନେଇଛନ୍ତି ମାଓବାଦୀ ।