ବିଧାନସଭା ପ୍ରଶ୍ନକାଳରେ ନିଜ ପ୍ରଶ୍ନରେ ନିଜେ ଘାଇଲା ହେଲେ ପ୍ରଦୀପ ମହାରଥୀ : ଶୀତଳ ଭଣ୍ଡାର ଉପରେ ପଚାରିଥିବା ପ୍ରଶ୍ନର ଓଲଟା ପ୍ରଶ୍ନ କଲେ ନିରଂଜନ ପୂଜାରୀ

353

କନକ ବ୍ୟୁରୋ : ଆଜି ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି ମନ୍ତ୍ରୀ ଓ ପୂର୍ବତନ ମନ୍ତ୍ରୀ । ପ୍ରଶ୍ନକାଳରେ ପ୍ରଦୀପ ମହାରଥୀ ନିଜ ପ୍ରଶ୍ନରେ ନିଜେ ଘାଇଲା ହୋଇଛନ୍ତି । ଆଜି ପ୍ରଶ୍ନକାଳରେ ଶୀତଳ ଭଣ୍ଡାର ଓ ଆଳୁ ମିଶନ ନେଇ କିଛି ପ୍ରଶ୍ନ କରିଥିଲେ ପୂର୍ବତନ ମନ୍ତ୍ରୀ । ରାଜ୍ୟରେ କେତେ ଶୀତଳ ଭଣ୍ଡାର ରହିଛି ଓ କେତେ ଅଚଳ ରହିଛି ବୋଲି ପ୍ରଶ୍ନ କରିଥିଲେ ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ । ତୈଳ ଓ ଡାଲି ଜାତୀୟ ଶଷ୍ୟ ଅଧିକ ଉତ୍ପାଦନ ହୋଇଛି କି ବୋଲି ମଧ୍ୟ ପ୍ରଶ୍ନ କରିଥିଲେ । ମହାରଥୀଙ୍କ ପ୍ରଶ୍ନର ଉତ୍ତର ଦେବାସହ ତାଙ୍କ ଉଦ୍ଦେଶ୍ୟରେ ତେରଛା ବାଣ ମାରିଛନ୍ତି ମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ପୂଜାରୀ କହିଛନ୍ତି, ଶୀତଳ ଭଣ୍ଡାର ପ୍ରସଙ୍ଗରେ ମହାରଥୀ ବାବୁ ଯେଉଁ ପ୍ରଶ୍ନ ପଚାରୁଛନ୍ତି, ପୂର୍ବରୁ ସେ ସେହି ବିଭାଗର ମନ୍ତ୍ରୀ ଥିଲେ । ଆଳୁ ମିଶନ ତାଙ୍କ ସମୟରେ ଆରମ୍ଭ ହୋଇ ଶେଷ ହୋଇଥିଲା । ୧୨୮ଟି ଶୀତଳ ଭଣ୍ଡାରରୁ ମହାରଥୀଙ୍କ ମନ୍ତ୍ରୀତ୍ୱ କାଳରେ ୮୦ ଟି ଶୀତଳ ଭଣ୍ଡାରବନ୍ଦ ହୋଇଯାଇଥିଲା । ବର୍ତ୍ତମାନ ସୁଦ୍ଧା ୪୮ ଟି ଶୀତଳ ଭଣ୍ଡାର ସଚଳ ରହିଛି । ବାକି ଶୀତଳ ଭଣ୍ଡାରର ପୁନରୁଦ୍ଧାର ଉଦ୍ୟମ ଚାଲିଛି । ମହାରଥୀ ଚାଷୀ ପୁଅ ଓ ଚାଷରେ ଡକ୍ଟରେଟ କରିଛନ୍ତି । ସବୁ କଥା ତାଙ୍କୁ ଜଣା ।

ସେପଟେ ପାଟକୁରା ନିର୍ବାଚନ ପାଇଁ ବିଧାନସଭାରେ ମନ୍ତ୍ରୀଙ୍କ ଏକପ୍ରକାର ମରୁଡି ଦେଖାଦେଇଛି । ସବୁଦଳର ନେତା ସେଠାରେ ଡେରା ପକାଇଛନ୍ତି । ମନ୍ତ୍ରୀଙ୍କ ବଦଳରେ ଉତ୍ତର ରଖୁଛନ୍ତ ଭାରପ୍ରାପ୍ତ ମନ୍ତ୍ରୀ । ଆଉ ଏହାକୁ ନେଇ ଆଜି ବିରୋଧୀ ଗୃହରେ ଅସନ୍ତୋଷ ପ୍ରକାଶ କରିଥିଲେ କଂଗ୍ରେସ ବିଧାୟକ ।