ମୋଦିଙ୍କ ଶିବ ଆରାଧନା !

47

ପ୍ରଧାନମନ୍ତ୍ରୀ ମୋଦିଙ୍କ ଶିବ ଆରାଧନା । ଦୁଇ ଦିନିଆ ଭୁବନେଶ୍ୱର ଗସ୍ତରେ ଥିବା ମୋଦି ଆଜି ଭୁବନେଶ୍ୱର ଲିଙ୍କରାଜ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ପ୍ରାୟ ୨୦ ମିନିଟ୍ ଧରି ମୋଦି ଲିଙ୍ଗରାଜ ମନ୍ଦିରରେ ଅରାଧନା କରିଛନ୍ତି । ତେବେ ମୋଦିଙ୍କ ଶିବ ଉପାସନା ପୂର୍ବରୁ ମଧ୍ୟ ଅନେକ ସମୟରେ ଦେଖିବାକୁ ମିଳିଛି । ନେପାଳ ଗସ୍ତରେ ଯାଇଥିବା ବେଳେ ମୋଦି ଦୀର୍ଘ ୪୫ ମିନିଟ୍ ଧରି ପଶୁପତିନାଥ ମନ୍ଦିରରେ ପୂଜାପାଠ କରିଥିଲେ ।

ପଶୁପତିନାଥ ମନ୍ଦିରରେ ସେ ଜଳାଭିଷେକ କରିବା ସହ ଜନମଙ୍ଗଳ ପାଇଁ କାମନା କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ୨ହଜାର ୫ଶହ କିଲୋଗ୍ରାମର ଚନ୍ଦନ କାଠ ମନ୍ଦିର ପ୍ରଶାସନକୁ ଦାନ କରିଥିଲେ । ଅନୁରୂପ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଉତ୍ତରପ୍ରଦେଶର ବାରଣାସୀ ସହରରେ । ଯେତେବେଳେ ମୋଦି ରୋଡ୍ ସୋ କରି ଗତ ବିଧାନସଭା ନିର୍ବାଚନ ପ୍ରଚାରରେ ମୋଦି ବାରଣାସୀ ଯାଇଥିଲେ ଠିକ୍ ସେହି ସମୟରେ ସେ କାଶୀ ବିଶ୍ୱନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ।

ପୁଷ୍ପ, କ୍ଷୀର, ଗଙ୍ଗାଜଳ ଏବଂ ଚନ୍ଦନ ଅର୍ପଣ କରି ଅରାଧନା କରିବା ସହ ଭୋଲାବାବାଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ଗତ ଫେବୃୟାରୀ ମାସରେ ପ୍ରଧାନମନ୍ତ୍ରୀ ଆଦିଯୋଗୀ ଶିବଙ୍କ ପ୍ରତିମୁର୍ତ୍ତୀ ଅନାବରଣ ପାଇଁ କେରଳ କୋଏମ୍ବାଟୋର ଯାଇଥିଲେ, ଠିକ୍ ସେହିସମୟରେ ମଧ୍ୟ ଯୋଗୀଙ୍କ ଶିବ ଆରାଧନାର ଚିତ୍ର ମଧ୍ୟ ସାମ୍ନାକୁ ଆସିଥିଲା । ଏହି ଅବସରରେ ମୋଦି ୧୧୨ ଫୁଟର ଏକ ବିଶାଳକାୟ ଶିବଙ୍କ ପ୍ରତିମୁର୍ତ୍ତୀ ଅନାବରଣ ପରେ ସେଠାରେ ସେ ଦୀର୍ଘ ସମୟ ଧରି ପୂଜାର୍ଚ୍ଚନା କରିଥିଲେ ।

ଭାରତୀୟ ପୂଜା ପରମ୍ପରାରେ ବିଶ୍ୱାସ କରୁଥିବା ମୋଦି ଅନେକ ସମୟରେ ଠିକ୍ ଏମିତି ବିଭିନ୍ନ ମନ୍ଦିରରେ ପୂଜାପାଠ କରୁଥିବା ଦୃଶ୍ୟ ସବୁ ଦେଖିବାକୁ ମିଳେ । ଶିବରାତ୍ରୀ ସମୟରେ ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ ଥିବା ମନ୍ଦିରକୁ ଯାଇ ପୂଜାପାଠ କରିନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଆଜି ଭୁବନେଶ୍ୱରରେ ମଧ୍ୟ ଏପରି ଦେଖିବାକୁ ମିଳିଲା, ତାହା ପ୍ରଧାନମନ୍ତ୍ରୀଙ୍କ ଶିବଭକ୍ତିକୁ ପୁଣି ଥରେ ପ୍ରମାଣିତ କରିଛି ।