ଜାନୁଆରୀ ୫ : ମୋଦି ବନାମ ନବୀନ  । ବାରିପଦାରେ ସମାବେଶ କରିବେ ମୋଦି, ଅନ୍ୟପଟେ ନବୀନଙ୍କ କାର୍ଯ୍ୟକ୍ରମରେ ଏକାଠି ହେବେ ୬୦ ହଜାର ମହିଳା 

300

କନକ ବ୍ୟୁରୋ : ମୋଦିଙ୍କ ବାରିପଦା ସମାବେଶ ବନାମ ନବୀନଙ୍କ ପୁରୀ କାର୍ଯ୍ୟକ୍ରମ । ଯାହାକୁ ନେଇ ସରଗରମ ହେଉଛି ରାଜ୍ୟ ରାଜନୀତି । ଡିସେମ୍ବର ଶେଷ ସପ୍ତାହ ଭଳି ନୂଆବର୍ଷ ଆରମ୍ଭରୁ ଦେଖିବାକୁ ମିଳିବ ଦୁଇ ଦଳର ସର୍ବୋଚ୍ଚ ନେତାଙ୍କ ମଧ୍ୟରେ ଟକ୍କର । କାରଣ ଜାନୁଆରୀ ୫ ତାରିଖରେ ବାରିପଦା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଜାତୀୟ ରାଜପଥ ଲୋକାର୍ପଣ ସହ ଦଳୀୟ ସମାବେଶରେ ଯୋଗ ଦେବେ ମୋଦି । ଏପଟେ ସେହି ୫ ତାରିଖରେ ପୁରୀରେ ନବୀନଙ୍କ ବିଶାଳ କାର୍ଯ୍ୟକ୍ରମ । ଯେଉଁଥିରେ ପ୍ରାୟ ୬୦ ହଜାର ମହିଳା ସାମିଲ ହେବେ । ଏହି ଦୁଇ କାର୍ଯ୍ୟକ୍ରମକୁ ନେଇ ଆରମ୍ଭ ହୋଇଯାଇଛି ବିଜେପି-ବିଜେଡି କଥା କଟାକଟି ।

ନୂଆବର୍ଷର ଉତ୍ସବର ମାହୋଲ ଭିତରେ ଦେଖିବାକୁ ମିଳିବ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଟକ୍କର । ମୋଦିଙ୍କ ବାରିପଦା ବନାମ ନବୀନଙ୍କ ପୁରୀ । ନିର୍ବାଚନ ବର୍ଷ ଆରମ୍ଭରୁ ଦୁଇ ନେତାଙ୍କ ଦୁଇଟି ବଡ଼ କାର୍ଯ୍ୟକ୍ରମ । ୫ ଜାନୁଆରୀ ୨୦୧୯ । ମୋଦିଙ୍କ ବାରିପଦା ସମାବେଶ ।୫ ଜାନୁଆରୀ ୨୦୧୯ । ନବୀନଙ୍କ ପୁରୀ କାର୍ଯ୍ୟକ୍ରମ ।

ମାତ୍ର ୧୫ ଦିନ ମଧ୍ୟରେ ଦ୍ୱିତୀୟ ଥର ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଆସନ୍ତା ୫ ତାରିଖ ଦିନ ବାରିପଦା ଗସ୍ତରେ ଆସି ଜାତୀୟ ରାଜପଥ ଲୋକାର୍ପଣ ଆଦି କାର୍ଯ୍ୟକ୍ରମରେ ସାମିଲ ହେବେ ମୋଦି । ପରେ ଦଳୀୟ ସାଧାରଣ ସଭାରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ । ଏପଟେ ସେହି ୫ ତାରିଖରେ ପୁରୀ ଇନଡୋର ହଲରେ ନବୀନ ଖେଳିବେ ମହିଳା କାର୍ଡ । ବିଶାଳ ସମାବେଶରେ ଏକାଠି ହେବେ ପ୍ରାୟ ୬୦ ହଜାର ମହିଳା । ଜିଲ୍ଲାର ପ୍ରାୟ ୪୨ ହଜାର ସ୍ୱୟଂ ସହାୟକ ଗୋଷ୍ଠୀକୁ ଏହି ସମାବେଶକୁ ନିମନ୍ତ୍ରଣ କରାଯାଇଛି । ପୂର୍ବ ଘୋଷଣା ମୁତାବକ ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୫ ହଜାର ଟଙ୍କା ଓ ମୋବାଇଲ୍ ଦିଆଯିବ । ତେବେ ୫ ତାରିଖର ଏହି ଦୁଇ କାର୍ଯ୍ୟକ୍ରମକୁ ନେଇ ଜୋରଦାର ହୋଇଛି ବିଜେଡି-ବିଜେପି କଥା କଟାକଟି ।

ବର୍ଷ ଆରମ୍ଭରୁ ରାଜ୍ୟର ରାଜନୈତିକ ପାଣିପାଗ ଉଷୁମ ହେବାରେ ଲାଗିଛି । କେନ୍ଦ୍ରୀୟ ନେତାଙ୍କ ଟାର୍ଗେଟରେ ରହିଛି ଓଡ଼ିଶା । ଡିସେମ୍ବର ୨୪ରେ ଖୋର୍ଦ୍ଧା ସମାବେଶରେ ବିଜେଡି ସରକାରଙ୍କୁ ୮ଟି ପ୍ରଶ୍ନ ପଚାରିଥିଲେ ମୋଦି । ଡିସେମ୍ବର ୨୬ରେ ଏହାର ଦୃଢ଼ ଜବାବ ଦେଇ ପାଲଟା ୯ଟି ପ୍ରଶ୍ନ ପଚାରିଥିଲେ ନବୀନ । ଆଉ ଏସବୁ ଭିତରେ ପୁଣି ଥରେ ଜାନୁଆରୀ ୫ ତାରିଖରେ ଦେଖିବାକୁ ମିଳିବ ଦୁଇ ଦଳର ସର୍ବୋଚ୍ଚ ନେତାଙ୍କ ଟକ୍କର ।