ଅସହାୟ ଗରିବ ପିଲାଙ୍କୁ ପାଠ ପଢ଼ାଇ ଉଦାହରଣ ପାଲଟିଥିବା କଟକର ଡି. ପ୍ରକାଶ ରାଓଙ୍କୁ ମନ କି ବାତ୍ ଜରିଆରେ ଶୁଭେଚ୍ଛା ଦେଲେ ପ୍ରଧାନମନ୍ତ୍ରୀ ମୋଦି ।

64

ମୋଦି ସରକାର ଚତୁର୍ଥବର୍ଷ ପୁର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ମନ କି ବାତ୍ ଜରିଆରେ ସମ୍ବୋଧିତ କରିଛନ୍ତି । ଆଜି ଦିନ ୧୧ ଟାରୁ ମନ କି ବାତ୍ ମାଧ୍ୟମରେ ଦେଶର ବିଭିନ୍ନ ସମସ୍ୟାରେ ହୋଇଥିବା ଉନ୍ନତି, ମହିଳାଙ୍କ ସମ୍ବନ୍ଧୀୟ, ପ୍ଲାଷ୍ଟିକ ବ୍ୟବହାର କମ୍ କରିବା ଭଳି ଅନେକ ବିଷୟରେ ଆଲୋକପାତ କରିଛନ୍ତି ମୋଦି । ତେବେ ଏହାରି ମଧ୍ୟରେ ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ କଥା ହେଲା ଯେ ମୋଦି କଟକର ଚା’ ବିକାଳି ଡି.ପ୍ରକାଶ ରାଓଙ୍କ ବିଷୟରେ ଦେଶବାସୀଙ୍କୁ ଜଣାଇଥିଲେ । ରେଡିଓରେ ପ୍ରସାରିତ ଏହି ମନ କି ବାତ କାର୍ଯ୍ୟକ୍ରମ ଜରିଆରେ ଏହି ଚା ବିକାଳୀ ପ୍ରକାଶ ରାଓଙ୍କୁ ତାଙ୍କର ଅବଦାନ ପାଇଁ ଶୁଭେଚ୍ଛା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ମୋଦିଙ୍କ ମନ କି ବାତରେ କଟକର ଚା ବିକାଳୀ ଡି. ପ୍ରକାଶ ରାଓଙ୍କ ନାଁ ଶୁଣି ଦେଶବାସୀ ମଧ୍ୟ ତାଙ୍କ ବିଷୟରେ ଜାଣିବା ପାଇଁ ଉତ୍କଣ୍ଠିତ ହୋଇଥିବେ ନିଶ୍ଚିନ୍ତ । କିନ୍ତୁ ମୋଦି ଆଜିର ମନ କି ବାତ୍ ଅଭିଭାଷଣ ଜରିଆରେ ଡି.ପ୍ରକାଶ ରାଓଙ୍କ ବିଷୟରେ କହିଛନ୍ତି ଯେ ଶ୍ରୀମାନ୍ ପ୍ରକାଶ ରାଓ ଗତ ୫୦ ବର୍ଷ ହେବ କଟକରେ ଚା ବିକ୍ରୀ କରୁଛନ୍ତି । କିନ୍ତୁ ଜଣେ ବଦାନ୍ୟ ବ୍ୟକ୍ତି ଯିଏ କି ଚା ବିକ୍ରୀ କରି ମଧ୍ୟ ୭୦ରୁ ଉଦ୍ଧ୍ୱର୍ ଅସହାୟ ପିଲାଙ୍କୁ ଶିକ୍ଷିତ କରିବା ପାଇଁ ନିଜର ସବୁ କିଛି ସମର୍ପିତ କରିଦେଇଛନ୍ତି । ଏବଂ କଟକ ସହରର ବସ୍ତି ଓ ଝୁଡି ତଳେ ବସବାସ କରୁଥିବା ପିଲାମାନଙ୍କ ପାଇଁ ‘ଆଶା ଆଶ୍ୱାସନ’ ନାଁରେ ଏକ ସ୍କୁଲ ଖୋଲିଛନ୍ତି । ଯେଉଁଥିରେ ସେ ନିଜର ରୋଜଗାର କରୁଥିବା ୫୦ ପ୍ରତିଶତ ଅର୍ଥକୁ ସ୍କୁଲରେ ପଢ଼ୁ୍ଥିବା ପିଲାଙ୍କ ପାଇଁ ଖର୍ଚ୍ଚ କରନ୍ତି । କେବଳ ସେତିକି ନୁହେଁ ସ୍କୁଲରେ ପଢ଼ୁଥିବା ସମସ୍ତ ପିଲାମାନଙ୍କ ପାଇଁ ଦେବତା ଭଳି ସେମାନଙ୍କର ସ୍ୱାସ୍ଥ୍ୟ, ଶିକ୍ଷା ଓ ଖାଦ୍ୟ ପେୟର ସମସ୍ତ ବ୍ୟବସ୍ଥା ପ୍ରକାଶ ରାଓ ତୁଲାଇଛନ୍ତି । ପ୍ରକାଶ ରାଓଙ୍କ ଏଭଳି ପରିଶ୍ରମ, ନିଷ୍ଠାପରତା ଏବଂ ଅସହାୟ ଗରିବ ପିଲାଙ୍କ ପାଇଁ ତାଙ୍କର ଅବଦାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଦେଇଛନ୍ତି ।