ପରୀକ୍ଷା ବେଳେ ଚାପମୁକ୍ତ ରହିବାକୁ ପ୍ରଧାନମନ୍ତ୍ରୀଙ୍କ ଟିପ୍ସ : ପୁସ୍ତକ ‘ଏକଜାମ ୱାରିୟର୍ସ’ରେ ମୋଦିଙ୍କ ମନ୍ତ୍ର

55

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେଖିଥିବା ପୁସ୍ତକ ‘ଏକ୍ଜାମ ୱାରିୟର୍ସ’ । ଶନିବାର ଦିନ ଉନ୍ମୋଚନ ହୋଇଥିବା ପେଙ୍ଗୁଇନ୍ ରାଣ୍ଡମ୍ ହାଉସ ପ୍ରକାଶ କରିଥିବା ଏହି ପୁସ୍ତକରେ ଛାତ୍ରଛାତ୍ରୀମାନଙ୍କୁ ଟିପସ ଦେଇଛନ୍ତି ମୋଦି । ବିନା ଚାପରେ ମନ ଖୁସିରେ କିପରି ପରୀକ୍ଷା ହଲରେ ବସିବେ, ଏ ନେଇ ମୋଦି ଦେଇଛନ୍ତି ମନ୍ତ୍ର । ପରୀକ୍ଷାକୁ ଫେଷ୍ଟିଭାଲ ବୋଲି ଭାବିବାକୁ ପରାମର୍ଶ ଦେଇଛନ୍ତି ମୋଦି ।

ପରୀକ୍ଷା ଋତୁ ଆସିଲେ ଶିକ୍ଷାର୍ଥୀଙ୍କ ଉପରେ ଚାପ ବଢିଯାଏ । ଗବେଷଣାରୁ ଜଣାପଡିଛି ଭାରତରେ ପ୍ରତି ଘଂଟାରେ ପ୍ରାୟ ଜଣେ ଛାତ୍ର ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥାଏ । ୧୫ରୁ ୨୯ ବର୍ଷ ବୟସ ମଧ୍ୟରେ ଭାରତର ଆତ୍ମହତ୍ୟା ହାର ସାରା ବିଶ୍ୱରେ ସର୍ବାଧିକ । ଏଭଳି ସ୍ଥିତିରେ ପରୀକ୍ଷା ପୂର୍ବରୁ ଚାପ ମୁକ୍ତ ହେବାକୁ ମୋଦିଙ୍କ ମନ୍ତ୍ର କାମ ଦେବ ବୋଲି କହିଛନ୍ତି ସମୀକ୍ଷକ ।

 ‘ମନ୍ କି ବାତ୍’ ରେଡିଓ କାର୍ଯ୍ୟକ୍ରମରେ ପରୀକ୍ଷାର୍ଥୀମାନଙ୍କୁ ପ୍ରଧାନମନ୍ତ୍ରୀ ଦେଇଥିବା ଟିପସ ଓ ନିଜ ଜୀବନରେ ଥିବା ଅନୁଭୂତି ‘ଏକଜାମ ୱାରିୟର୍ସ’ରେ ସ୍ଥାନ ପାଇଛି । ଥରେ ସ୍କୁଲରେ ଏକ ଡ୍ରାମା ରିହିଅରସେଲ୍ ବେଳର ଅନୁଭୂତିକୁ ବଖାଣିଛନ୍ତି ମୋଦି ।
ମୋଦି ଲେଖିଛନ୍ତି- “ ମୁଁ ଡ୍ରାମାର ଗୋଟିଏ ନିର୍ଦ୍ଦିଷ୍ଟ ସଂଳାପ କହିବାକୁ ସଂଘର୍ଷ କରୁଥିଲି । ବାରମ୍ବାର ବିଫଳ ହେବା ପରେ ନିର୍ଦ୍ଦେଶକଙ୍କ ଧୈର୍ଯ୍ୟଚ୍ୟୁତି ଘଟିଥିଲା । ସେ କହିଥିଲେ, ମୋ ଦ୍ୱାରା ଏହି ସଂଳାପ କହିବା ସମ୍ଭବ ନୁହେଁ । ଏହା ମୋତେ ବାଧିଥିଲା, କାରଣ ମୁଁ ଭାବୁଥିଲି, ମୁଁ ଠିକ୍ କହୁଛି । ତା’ପର ଦିନ ସେହି ସଂଳାପ କହି ଅଭିନୟ କରି ମୋର ଭୁଲ କେଉଁଠି ହେଉଛି ଦର୍ଶାଇବାକୁ ମୁଁ ତାଙ୍କୁ ଅନୁରୋଧ କରିଥିଲି । କିଛି ସମୟ ମଧ୍ୟରେ ମୋର ତ୍ରୁଟି ମୁଁ ବୁଝିପାରିଲି ଏବଂ ଭୁଲକୁ ସୁଧାରିଥିଲି ।”

ପିଲାମାନଙ୍କ ସହ ବାପାମାଆ ଏବଂ ଶିକ୍ଷକଙ୍କୁ ଅନେକ ପରାମର୍ଶ ଦେଇଛନ୍ତି ମୋଦି । ପିଲାମାନଙ୍କୁ ମନୋଭାବକୁ ଭଲ ଭାବରେ ବୁଝି ସେମାନେ କିପରି ଖୁସି ମନରେ ଚାପ ମୁକ୍ତ ଭାବେ ପରୀକ୍ଷା ଦେବେ, ସେଥିପାଇଁ ଉଦ୍ୟମ କରିବାକୁ କହିଛନ୍ତି ମୋଦି । ଦେଶର ଭବିଷ୍ୟତ ନିର୍ମାଣ କରୁଥିବା ଭଳି ଗୁରୁଦାୟିତ୍ୱ ତୁଲାଉଥିବାରୁ ଶିକ୍ଷକମାନଙ୍କୁ ପ୍ରଶଂସା କରିଛନ୍ତି ମୋଦି । ଶିକ୍ଷକମାନଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଛନ୍ତି-
“ଏକଜାମ ୱାରିୟର୍ସ ବା ପରୀକ୍ଷା ପାଇଁ ଯୋଦ୍ଧା ପ୍ରସ୍ତୁତ କରିବାରେ ଆପଣମାନଙ୍କ ଭୂମିକା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ପରୀକ୍ଷା ଆସିବା ବେଳେ କିଛି ଛାତ୍ର ଭୟଭୀତ ହୋଇଯାଆନ୍ତି । ମୁଁ ନିଶ୍ଚିନ୍ତ ସେହି ଉଦବେଗଜନକ ସ୍ଥିତିରୁ ଆପଣ ସେମାନଙ୍କୁ ମୁକାଳିପାରିବେ । ଆପଣ, ସେମାନଙ୍କ ଭିତରେ ଥିବା ଶ୍ରେଷ୍ଠତ୍ୱକୁ ବାହାରକୁ ଆଣନ୍ତୁ । କେବଳ ବହି ପଢା ନୁହେଁ, ତା’ଠାରୁ ଉର୍ଦ୍ଧ୍ୱକୁ ଚିନ୍ତା କରନ୍ତୁ । ପିଲାମାନଙ୍କ ମୌଳିକ ଚିନ୍ତାଧାରା, ସୃଜନଶୀଳ ପ୍ରବୃତିକୁ ପ୍ରୋତ୍ସାହିତ କରନ୍ତୁ । ନମ୍ବର ନୁହେଁ ‘ନଲେଜ’କୁ ଗୁରୁତ୍ୱ ଦିଅନ୍ତୁ ।”

“ଏକଜାମ ୱାରିୟର୍ସ”ର ୨୫ଟି ଅଧ୍ୟାୟରେ ମୋଦି ଦେଇଛନ୍ତି ୨୫ ମନ୍ତ୍ର । ପ୍ରଥମ ଅଧ୍ୟାୟରେ ମୋଦି କହିଛନ୍ତି ‘ପରୀକ୍ଷାକୁ ଫେଷ୍ଟିଭାଲ ଭଳି ଉପଭୋଗ କର’ । ସେହିପରି କପି ନକରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । “୨୪ ଘଂଟିଆ ଦୈନିକ ଟାଇମ୍ ଟେବୁଲ୍”ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ମୋଦି । କେବଳ ପାଠପଢା ନୁହେଁ, ଖେଳିବା, ଶୋଇବା ଏବଂ ବିଭିନ୍ନ ସ୍ଥାନକୁ ବୁଲିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ।