ମୋଦିଙ୍କ ଗୁଗଲିକୁ ନେଇ ଚର୍ଚ୍ଚା । ଡିଏମକେ ପ୍ରତିଷ୍ଠାତା କରୁଣାନିଧିଙ୍କୁ ଭେଟିବା ପରେ ନୂଆ ସମୀକରଣକୁ ନେଇ ତର୍ଜମା

33

କନକ ବ୍ୟୁରୋ : ମୋଦିଙ୍କ ଗୁଗଲିକୁ ନେଇ ଜୋର ଧରିଛି ଚର୍ଚ୍ଚା । ଡିଏମକେ ମୁଖ୍ୟ କରୁଣାନିଧିଙ୍କୁ ମୋଦି ଭେଟିବା ପରେ ତାମିଲନାଡୁ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ଅସୁସ୍ଥ କରୁଣାନିଧିଙ୍କୁ ମୋଦି ସାକ୍ଷାତ କରିବା ପରେ ନୂଆ ସମୀକରଣ ନେଇ ତର୍ଜମା ଚାଲିଛି । ସୋମବାର ଦିନ ଚେନ୍ନାଇ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିଏମକେ ପ୍ରତିଷ୍ଠାତା କରୁଣାନିଧିଙ୍କୁ ଭେଟିଥିଲେ । କେନ୍ଦ୍ର ସରକାରଙ୍କ ନୀତିଗୁଡିକର ସବୁବେଳେ କଡା ସମାଲୋଚନା କରେ ଡିଏମକେ ।

ଏପରି ସମୟରେ କରୁଣାନିଧି ଓ ମୋଦିଙ୍କ ସାକ୍ଷାତକୁ ନେଇ ନୁଆ ସମୀକରଣର ଆଲୋଚନା ଜୋର ଧରିଛି । କେବଳ କରୁଣାନିଧିଙ୍କ ସହ ସାକ୍ଷାତ କରିନଥିଲେ ମୋଦି ବରଂ ଦିଲ୍ଲୀ ଆସି ପ୍ରଧାନମନ୍ତ୍ରୀ ନିବାସରେ ରହିବା ପାଇଁ ମଧ୍ୟ ନିମନ୍ତ୍ରଣ କରିଥିଲେ । ପ୍ରାୟ ୧୦ମିନିଟ ପର୍ଯ୍ୟନ୍ତ ମୋଦି ଓ କରୁଣାନିଧିଙ୍କ ଏହି ସାକ୍ଷାତକାର ହୋଇଥିଲା । ଏହାପରେ ତାମିଲନାଡୁରେ ବିଜେପି ନୂଆ ସମୀକରଣ ଖୋଜୁଥିବା ଚର୍ଚ୍ଚା ହେଉଛି । ତେବେ ବିଜେପି ପକ୍ଷରୁ ଏପରି ସମସ୍ତ ଆଲୋଚନାକୁ ଖଣ୍ଡନ କରାଯାଇଛି । ଏହା କେବଳ ଏକ ସିଷ୍ଟାଚାର ସାକ୍ଷାତକାର ଥିଲା ବୋଲି ବିଜେପି କହିଛି । ସେପଟେ ଡିଏମକେ ମଧ୍ୟ ଏପରି ଆଲୋଚନାକୁ ଖଣ୍ଡନ କରିଛି ।