ବିଶ୍ୱକପ ପାଇଁ ବିରାଟ ବାହିନୀଙ୍କୁ ମୋଦିଙ୍କ ଶୁଭେଚ୍ଛା ଓ ଶୁଭକାମନା । ଟ୍ୱିଟ୍ କରି କହିଲେ, ବିଶ୍ୱକପ ସାଙ୍ଗକୁ ହୃଦୟ ମଧ୍ୟ ଜିତୁ ଟିମ୍ ଇଣ୍ଡିଆ ।

133

ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ସହ ଆଜି ବିଶ୍ୱକପ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ବିଶ୍ୱକପର ପ୍ରଥମ ମ୍ୟାଚରେ ଦମଦାର ଆରମ୍ଭ କରିଛି ଭାରତ । ଟସ୍ ହାରି ପ୍ରଥମେ ବୋଲିଂ କରୁଥିବା ଟିମ୍ ଇଣ୍ଡିଆର ବୋଲରଙ୍କ ଘାତକ ବୋଲିଂ ଆଗରେ ମୁଣ୍ଡ ନୁଆଁଇଛି ଦକ୍ଷିଣ ଆଫ୍ରିକାର ଟପ୍ ଅର୍ଡର । ପ୍ରଥମ ମ୍ୟାଚ ବିଜୟ ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇଛି ବିରାଟ ବାହିନୀ । ତେବେ ମ୍ୟାଚ୍ ଆରମ୍ଭର କିଛି ସମୟ ପରେ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି ଟିମ୍ ଇଣ୍ଡିଆକୁ ବିଶ୍ୱକପର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରିବା ସହ ଲେଖିଛନ୍ତି ଯେ, ଆଜି ଟିମ ଇଣ୍ଡିଆ ମିଶନ ବିଶ୍ୱକପର ଅଭିଯାନ ଆରମ୍ଭ କରିଛି । ତେଣୁ ପୂରା ଟିମକୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇବାକୁ ଚାହୁଁଛି । ଏହି ଟୁର୍ଣ୍ଣାମେଣ୍ଟରେ ଭଲ କ୍ରିକେଟ ଓ ଖେଳୁଆଡ ମନୋଭାବର ପରିଚୟ ଦେଖିବାକୁ ମିଳିବ ବୋଲି ଆଶା । ଟିମ୍ ଇଣ୍ଡିଆ ଖେଳ ଜିତୁ ତାହା ସମସ୍ତଙ୍କର ହୃଦୟ ମଧ୍ୟ ଜିତୁ ବୋଲି କହିଛନ୍ତି ମୋଦି ।

ଚଳିତ ଥର ବିରାଟଙ୍କ ନେତୃତ୍ୱରେ ବିଶ୍ୱକପ ଟାଇଟଲ ହାତେଇବାକୁ ମୈଦାନକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ବିଶ୍ୱକପ ଅଭିଯାନ ଭାରତ ଆରମ୍ଭ କରିଥିବା ବେଳେ ଆଗକୁ ଆହୁରି ଅନେକ ଚ୍ୟାଲେଞ୍ଜ ରହିଛି । ଅଷ୍ଟ୍ରେଲିଆ ସହ ଜୁନ୍ ୯ ଓ ପାକିସ୍ତାନ ସହ ଜୁନ ୧୬ରେ ହେବାକୁ ଥିବା ମ୍ୟାଚ୍ ଉପରେ ସମସ୍ତଙ୍କର ନଜର ରହିଛି । ଭାରତ ପୁଣିଥରେ ଇଂଲଣ୍ଡ ମାଟିରେ ବିଜୟୀ ହୋଇ ତୃତୀୟ ଥର ବିଶ୍ୱକପ ହାତେଇବାକୁ ଲକ୍ଷ୍ୟ ରଖିଛି ।