ହିନ୍ଦୀ ହାର୍ଟ ଲ୍ୟାଣ୍ଡରେ ବିଜେପିର ହାର୍ଟ ବ୍ରେକ୍ ପରେ ମୋଦିଙ୍କ ଫୋକସରେ ଓଡ଼ିଶା ! କାଲି ଆସିବେ ପ୍ରଧାନମନ୍ତ୍ରୀ, କ’ଣ ରହିବ ଆଭିମୁଖ୍ୟ ?

122

କନକ ବ୍ୟୁରୋ : ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ  । ମୋଦିଙ୍କ ଏହି ଗସ୍ତକୁ ନେଇ ଚଳଚଂଚଳ ବିଜେପି ଶିବିର । ହିନ୍ଦୀ ହାର୍ଟ ଲାଣ୍ଡରେ ବିଜେପିର ହାର୍ଟ ବ୍ରେକ୍ ହେବା ପରେ ମୋଦିଙ୍କ ଏହି ଗସ୍ତ ବେଶ ଗୁରୁତ୍ୱ ରଖୁଛି । କାରଣ ଆଉ ମାସ କେଇଟା ପରେ ସାଧାରଣ ନିର୍ବାଚନ । ୩ଟି ରାଜ୍ୟରୁ ଶାସନ ଭାର ଯିବା ପରେ ଏବେ ପୂର୍ବଭାରତ ଉପରେ ବିଜେପିର ନଜର । ଏଭଳି ସ୍ଥିତିରେ କ’ଣ କହିବେ ମୋଦି ? ତାକୁ ନେଇ ଏବେ ଜୋରଧରିଛି ଚର୍ଚ୍ଚା ।

ଓଡ଼ିଶାରେ କ’ଣ କହିବେ ମୋଦି? କ’ଣ ରହିବ ବିଜେପିର ଆଭିମୁଖ୍ୟ? ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ର ନିର୍ବାଚନ ଫଳାଫଳ ବିଜେପିକୁ ଯେତିକି ବଡ ଝଟକା ଦେଇଛି, ୨୦୧୯ ନିର୍ବାଚନ ପାଇଁ ସେମିତି ବଡ ଆହ୍ୱାନ ସୃଷ୍ଟି କରିଛି । ଆଉ ଠିକ୍ ଏଭଳି ଏକ ଘଡିସନ୍ଧି ମୂହୁର୍ତରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ହିନ୍ଦୀ ହାର୍ଟ ଲ୍ୟାଣ୍ଡର ନିର୍ବାଚନ ଫଳାଫଳ ବିଜେପିର ହାର୍ଟ ବ୍ରେକ୍ କରିଦେଇଥିବା ବେଳେ ଏବେ ବିଜେପିର ଫୋକସରେ ପୂର୍ବ ଭାରତ । ଆଉ ପୂର୍ବ ଭାରତରେ ବିଜେପିର ଗେରୁଆବାନା ଉଡାଇବାକୁ ହେଲେ ନବୀନ ଏବଂ ମମତାଙ୍କୁ ସାମ୍ନା କରିବାକୁ ହେବ ।

– ନବୀନଙ୍କୁ ନେଇ ନରମ ହେବେ ନା’ ସିଧାସଳଖ ଆକ୍ରମଣ କରିବେ ମୋଦି

– ମୋଦିଙ୍କ ଗସ୍ତରୁ ଆରମ୍ଭ ହୋଇଯିବ କି ବିଜେପିର ୨୦୧୯ କ୍ୟାମ୍ପେନ୍

– ଆୟୁଷ୍ମାନ ଯୋଜନାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବେ କି ପ୍ରଧାନମନ୍ତ୍ରୀ?

-ରାଫେଲ୍ ଡିଲ୍ ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ୍ କରିବେ କି ମୋଦି ?

ବିଜେଡି ଗଡ଼ରେ ବିଜେପି ମିଶନ୍ ୧୨୦ର ନାରା ଦେଉଥିବା ବେଳେ ପୂର୍ବରୁ ବିଜେଡି ସରକାର ଏବଂ ନବୀନଙ୍କ ବିରୋଧରେ ଖୋଲାଖୋଲି ମୁହଁ ଖୋଲିଛନ୍ତି ମୋଦି । ପିସି କାରବାରକୁ ନେଇ ମୋଦି ନବୀନ ସରକାରକୁ ଯେମିତି ଟାର୍ଗେଟ୍ କରିଥିଲେ, ମହାନଦୀ ପ୍ରସଙ୍ଗରେ ମଧ୍ୟ ଓଡ଼ିଶା ମୁଣ୍ଡରେ ଅଠା ଲଗାଇବାକୁ ଭୁଲି ନଥିଲେ ମୋଦି ।

କିନ୍ତୁ ପ୍ରଶ୍ନ ହେଉଛି, ଏଥର କେମିତି ରହିବ ମୋଦିଙ୍କ ଆଭିମୁଖ୍ୟ? କାରଣ ପୂର୍ବ ସ୍ଥିତିରେ ନାହିଁ ଭାରତୀୟ ଜନତା ପାର୍ଟି । ହାତରୁ ଚାଲିଯାଇଛି ୩-୩ଟି ପ୍ରମୁଖ ରାଜ୍ୟ । ଏଭଳି ସ୍ଥିତିରେ ଖୋଲାଖୋଲି ନବୀନଙ୍କୁ ସମାଲୋଚନା କରିବା ହୁଏତ ମୋଦିଙ୍କ ପାଇଁ ଏତେ ସହଜ ହୋଇନପାରେ । ଏହି ସବୁ ଚର୍ଚ୍ଚା ଆଲୋଚନା ଭିତରେ ଆସନ୍ତାକାଲି ଖୋର୍ଦ୍ଧାରେ ଜନସଭା, ଆଇଆଇଟି ଏବଂ ନାଇଜର କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Comments are closed.