ସେତୁ ବାନ୍ଧିବେ ଯୋଗଗୁରୁ । ମୋଦି- ନବୀନଙ୍କୁ ଏକାଠି କରିବେ ରାମଦେବ !

50

କନକ ବ୍ୟୁରୋ: ରାଜନୀତିରେ ଶତ୍ରୁ ହୋଇପାରନ୍ତି ମିତ୍ର । ଅର୍ଥାତ୍ ବିଜେଡି ଓ ବିଜେପି ମଧ୍ୟରେ ହୋଇପାରେ ବୁଝାମଣା । ଏକାଠି ହୋଇପାରନ୍ତି ମୋଦି ଓ ନବୀନ । ମଧ୍ୟସ୍ଥି କରିବେ ବାବା ରାମଦେବ । ଭୁବନେଶ୍ୱର ଆସିଥିବା ବେଳେ ଗଣମାଧ୍ୟମକୁ କିଛି ଏଭଳି ଦିଗରେ ଇଙ୍ଗିତ କରିଛନ୍ତି ଯୋଗଗୁରୁ । ରାମଦେବଙ୍କ ହିସାବରେ, ସେ ଯୋଗରେ ବିଶ୍ୱାସ କରନ୍ତି ଓ ଉଭୟ ନେତା ମିଶି କାମ କଲେ ରାଜ୍ୟ ଓ ଦେଶ ଆଗେଇବ । ଉଭୟ ବିଜେଡି ଓ ବିଜେପି କ୍ୟାମ୍ପ ସହ ନିବିଡ ସଂପର୍କ ରଖୁଥିବା ବାବା ରାମଦେବଙ୍କ ଏହି ବୟାନ ପୁଣି ରାଜ୍ୟ ରାଜନୀତି ଓ ମେଂଟର ବାତାବରଣକୁ ସରଗରମ କରିଛି ।

ପୂର୍ବ ଭାରତରେ ରାଜୁତି କରିବାକୁ ରଣନୀତି ପ୍ରସ୍ତୁତ କରୁଛି ଭାରତୀୟ ଜନତା ପାର୍ଟି । ଯେଉଁଥିପାଇଁ ଅନ୍ୟ ପ୍ରାନ୍ତ ସହ ପୂର୍ବ ଭାରତକୁ ମଧ୍ୟ ବିକଶିତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର ନିଜ ଭାଷଣରେ କହିଛନ୍ତି । ଏପରିକି ଓଡିଶାରେ ବିକାଶ ହେଉନାହିଁ ଏବଂ ବିଜେପି ଶାସନକୁ ଆସିଲେ ବିକାଶ ହେବ ବୋଲି ବିଭିନ୍ନ ସମୟରେ ବିଜେପି ନେତାମାନେ ମଧ୍ୟ କହିଛନ୍ତି । ହେଲେ ସବୁବେଳେ ଶାସକ ଦଳ ଏହି ଅଭିଯୋଗକୁ ଖଣ୍ଡନ କରିଆସିଛି । କାଗଜପତ୍ରରେ ନୁହେଁ ବରଂ ନବୀନଙ୍କ ନେତୃତ୍ୱରେ ବିଜେଡି ପ୍ରକୃତ ବିକାଶ କରିଛି ବୋଲି ଯୁକ୍ତିି ବାଢ଼ିଛି ।

ତେବେ ରାମଦେବଙ୍କ ଆଜିର ବୟାନ ପରେ ପୁଣି ମେଂଟ ଚର୍ଚ୍ଚା ଆରମ୍ଭ ହୋଇଛି । କୁହାଯାଉଛି, ଆଗାମୀ ସାଧାରଣ ନିର୍ବାଚନ ବେଳେ ହୁଏତ ଏହାର ରୁପାୟନ ଦେଖିବାକୁ ମିଳିପାରେ । ନବୀନଙ୍କ ସହ ହାତ ମିଳାଇ ପାରନ୍ତି ମୋଦି । ୨୦୧୯ ନିର୍ବାଚନରେ ଓଡିଶାରେ ଏକାକି ସରକାର ଗଠନ କରିବାର ସ୍ୱପ୍ନ ଦେଖାଇଥିବା ତଥା ୧୨୦ ଆସନ ଜିତିବାକୁ ଦୃଢୋକ୍ତି ପ୍ରକାଶ କରିଥିବା ଅମିତ ଶାହାଙ୍କ ଗଣିତକୁ ନେଇ ଗୋଟିଏ ପଟେ ରାଜନୀତି ସରଗରମ ରହିଛି ଆଉ ଅନ୍ୟପଟେ ମଧ୍ୟସ୍ଥି ପାଇଁ ରାମଦେବ ହାତ ବଢାଇବା ପୁଣି ଅନ୍ୟ ଏକ ଦିଗକୁ ସାମ୍ନାକୁ ଆଣିଛି । ଉଭୟ ଦଳ ମଧ୍ୟରେ ଆସନ ବୁଝାମଣା ହେବ ନା ନିର୍ବାଚନ ପରବର୍ତ୍ତୀ ପର୍ଯ୍ୟାୟରେ ମେଂଟ ହେବ?

ପତଂଜଳି ଡିଷ୍ଟ୍ରିବ୍ୟୁଟର କନଭେନସନରେ ଯୋଗଦେବା ପାଇଁ ଓଡିଶା ଆସିଛନ୍ତି ଯୋଗଗୁରୁ । ବିମାନବନ୍ଦରରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଉଦେଉ ବାବା କହିଛନ୍ତି ମୁଁ ଯୋଗବାଲା । ତେଣୁ ମୁଁ ଚାହୁଁଛି ନବୀନ ଓ ମୋଦି ଏକାଠି ମିଶି ଯାଆନ୍ତୁ । ମୁଁ ଯୋଡିବାରେ ବିଶ୍ୱାସ ରଖେ ବୋଲି କହି ପରୋକ୍ଷରେ ବାବା ଇଙ୍ଗିତ କରିଛନ୍ତି ମେଣ୍ଟକୁ । ଯାହାକୁ ନେଇ ଏବେ ରାଜନୈତିକ ମହଲରେ ଉଷ୍ମ ପବନ ବୋହିବା ଆରମ୍ଭ ହୋଇଛି ।

ପୂର୍ବରୁ ବିଜେପିର ବରିଷ୍ଠ ନେତା, ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅତ୍ୟନ୍ତ ଅନ୍ତରଙ୍ଗ ଭାବେ ଦେଖିବାକୁ ମିଳିଛି ବାବାଙ୍କୁ । ତେଣୁ ଓଡିଶାରେ ନିଜର ସ୍ଥିତି ଜାହିର କରିବାକୁ ଦଳ ବାବାଙ୍କୁ ବ୍ୟବହାର କରିପାରେ ବୋଲି ଚର୍ଚ୍ଚା ଯୋର ଧରିଛି । ଉଭୟ ନବୀନ ଓ ମୋଦିଙ୍କ ସହ ଉତ୍ତମ ସଂପର୍କ ରଖିଥିବା କାରଣରୁ ବାବା ରାମଦେବ ଏବେ ଶଙ୍ଖ ଓ ପଦ୍ମକୁ ଏକାଠି କରିବାକୁ ରାମସେତୁ ଭଳି କାମ କରିବେ ବୋଲି ଆଶା କରାଯାଉଛି ।

ହେଲେ ଏନେଇ ଉଭୟ ରାଜନୈତିକ ଦଳ ମାପିଚୁପି ବୟାନ ଦେଉଛନ୍ତି । ବିଜେପି ସଫାସଫା କହିଦେଇଛି, ବିଜେଡି ସହ କୈାଣସି ବି ପରିସ୍ଥିତିରେ ମେଂଟ ହେବାର ପ୍ରଶ୍ନ ଉଠୁନାହିଁ । ଦଳ ଏକାକି ସରକାର ଗଠନ କରିବାକୁ ସମର୍ଥ । ଆଉ ଏହି ଦିଗରେ ଦଳ ଅଙ୍କ କଷିବା ସହ କାର୍ଯ୍ୟ କରୁଛି । ସେପଟେ ବିଜେଡି ମଧ୍ୟ ସମାନ କଥା ଦୋହରାଇଛି । ଲଗାତର ଚାରି ଚାରି ଥର ଶାସନ କ୍ଷମତାକୁ ଦଳ ଆସିଛି । ଲୋକଙ୍କ ବିଶ୍ୱାସ ଜିତି ଓଡିଶାକୁ ୧ ନମ୍ବର ରାଜ୍ୟ କରିବାକୁ ସରକାର କାମ କରୁଛନ୍ତି । ଆଗାମୀ ଦିନରେ ମଧ୍ୟ ଦଳ ସରକାର ଗଠନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେଡି ନେତା ।

ତେବେ ବଡ କଥା ହେଉଛି, ରାଜନୀତିର ଗଣିତ ସଂପୁର୍ଣ୍ଣ ଅଲଗା । ଏଠି ପ୍ରତି ମୁହୁର୍ତ୍ତରେ କିଛି ନା କିଛି ଘଟିଥାଏ । ଯାହାର ଉଦାହରଣ ଭାବେ ବିହାର ରାଜନୀତିକୁ ଦେଖାଯାଇପାରେ । ତେଣୁ ଆଗାମୀ ସାଧାରଣ ନିର୍ବାଚନ ପରେ ଯଦି କେନ୍ଦ୍ରରେ ମ୍ୟାଜିକ ନମ୍ବର ହାସଲ କରିବାକୁ ବିଜେପି ବିଫଳ ହୁଏ, ସେଠି ମେଂଟର କଥା ଉଠିବ । ଆଉ ଏଭଳି କ୍ଷେତ୍ରରେ ମୋଦି-ଶାହା ଯୋଡିଙ୍କ ପାଇଁ ନବୀନ ସାଜିବେ ସଂକଟମୋଚକ । ତେଣୁ ଆଜିର ପରିସ୍ଥିତିରେ ହୁଏତ ଉଭୟ ଦଳ ମେଂଟ କଥାକୁ ଖଣ୍ଡନ କରୁଛନ୍ତି, କିନ୍ତୁ ନିର୍ବାଚନ ପାଖେଇଲେ ସ୍ଥିତିରେ ବରାବର ପରିବର୍ତ୍ତନ ଆସିବ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି ।