ଆସନ୍ତାକାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି : ୬ଟି ପ୍ରକଳ୍ପର କରିବେ ଉଦଘାଟନ ଓ ଶିଳାନ୍ୟାସ

41

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର (୨୨ ତାରିଖ) ଦିନ ରାଜ୍ୟରେ ୫ଟି ପ୍ରକଳ୍ପର ଉଦଘାଟନ ଓ ଗୋଟିଏ ପ୍ରକଳ୍ପର ଶିଳାନ୍ୟାସ କରିବେ। ସେ ତାଳଚେର ସାର କାରଖାନାର ଶିଳାନ୍ୟାସ କରିବେ। ଝାରସୁଗୁଡ଼ା ବିମାନ ବନ୍ଦରକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଓ ସେଠାରୁ ଉଡ଼ାନ୍ ସେବାର ଶୁଭାରମ୍ଭ କରିବେ। ସେହିପରି ମହାନଦୀ କୋଲଫିଲ୍ଡସ ଲିମିଟେଡ୍ (ଏମ୍ସିଏଲ୍)ର ଝାରସୁଗୁଡ଼ା-ସେରଡ଼େଗା ୫୩.୧ କିଲୋମିଟର ରେଳ ଲାଇନ୍ ଓ ଏହାର ଗର୍ଜନବାହାଲ୍ ଖଣିକୁ ମଧ୍ୟ ଉଦଘାଟନ କରିବେ। ସେହିପରି ଏନ୍ଟିପିସିର ଡୁଲାଙ୍ଗ ଖଣିକୁ ମଧ୍ୟ ଦେଶ ପ୍ରତି ସମର୍ମିତ କରିବେ।

 

ହୋଟେଲ୍ ମେ’ ଫେୟାର୍ କନଫରେନ୍ସରେ ଏମ୍ସିଏଲ୍, ଏନ୍ଟିପିସି, ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ୍ ଓ ଭାରତୀୟ ବିମାନବନ୍ଦର କର୍ତୃପକ୍ଷ (ଏଏଆଇ) ତରଫରୁ ଆୟୋଜିତ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ପ୍ରଦାନ କରାଯାଇଛି।ଏହି ଅବସରରେ ଏମସିଏଲର ନିର୍ଦେଶକ (ଅପରେସନ) ଜେ ପି ସିଂହ, ନିର୍ଦେଶକ (ଅର୍ଥ) କେ ଆର୍ ବାସୁଦେବନ୍, ଏନ୍ଟିପିସିର ଆଞ୍ଚଳିକ ନିର୍ବାହୀ ନିର୍ଦେଶକ (ପୂର୍ବ-୨) ଏମ୍ ପି ସିହ୍ନା, , ତାଳଚେର ଫର୍ଟିଲାଇଜର୍ ଲିମିଟେଡର ଅଧ୍ୟକ୍ଷ ୟୁ ଭି ଧତ୍ରକ୍ ଓ ଏଏଆଇର ସଦସ୍ୟ (ଯୋଜନା) ଏ କେ ପାଠକ ଉପସ୍ଥିତ ଥିଲେ।