ପିତୃତୁଲ୍ୟ ବାଜପେୟୀଙ୍କ ଅନ୍ତିମଯାତ୍ରାରେ ପ୍ରଧାନମନ୍ତ୍ରୀଙ୍କ ପଦଯାତ୍ରା ! ୪ କିଲୋମିଟର ଚାଲି ଚାଲି ଗଲେ ମୋଦି, ରାଷ୍ଟ୍ରମୁଖ୍ୟଙ୍କ ସହ ଚାଲିଲେ ଦଳର ମୁଖିଆ ।

43

କନକ ବ୍ୟୁରୋ : ବାଜପେୟୀଙ୍କ ଅନ୍ତିମ ଯାତ୍ରାରେ ପାଦରେ ଚାଲି ଚାଲି ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସମେତ ବହୁ ତୁଙ୍ଗ ନେତା । ହେଲେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମୋଦି ଏବଂ ଅମିତ ସାହା ଏହି ବିରାଟ ଶୋଭାଯାତ୍ରାରେ ସ୍ମୃତି ସ୍ଥଳ ପର୍ଯ୍ୟନ୍ତ ଚାଲି ଚାଲି ଯାଇଥିଲେ । ଏହା ହିଁ ଥିଲା ଷ୍ଟେଟମ୍ୟାନ ବାଜପେୟୀଙ୍କ ପାଇଁ ସବୁଠୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ।

ମହାନ ରାଷ୍ଟ୍ରନେତା ଅଟଳ ବିହାରୀ ବାଜପେୟୀଙ୍କ ମହାଯାତ୍ରାରେ କିଛିି ଚିର ସ୍ମରଣୀୟ ଦୃଶ୍ୟ ରହିଥିଲା । ବିଜେପି ମୁଖ୍ୟାଳୟରୁ ବିରାଟ ପଟୁଆରରେ ଅନ୍ତିମ ଯାତ୍ରାରେ ବାହାରିଥିଲେ ଭାରତର ଅମୂଲ୍ୟ ରତ୍ନ । ଦିଲ୍ଲୀର ରାଜରାସ୍ତାରେ ଚାଲିଥାଏ ଏହି ମହାନ ନେତାଙ୍କ ପଟୁଆର । ଦୁଇ ପାଶ୍ୱର୍ରେ ହଜାର ହଜାର ଶୋକାକୂଳ ଜନତା । ସମୁଦ୍ରର ଲହଡି ଭଳି ଲୋକଙ୍କ ପଟୁଆର ।

ଆଉ ଏହି ଅନ୍ତିମ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ନିଜ ପ୍ରିୟ ନେତାଙ୍କ ସହ ଏକାଠି ଚାଲିବାର ଏ ଥିଲା ଶେଷ ସୁଯୋଗ । ବିଜେପି ମୁଖ୍ୟାଳୟରୁ ରାଷ୍ଟ୍ରୀୟ ସ୍ମୃତି ସ୍ଥଳ ପର୍ଯ୍ୟନ୍ତ ଦୂରତା ଥିଲା ପ୍ରାୟ ୪ କିଲୋମିଟର । ଆଉ ଏହି ରାସ୍ତାରେ ଚାଲି ଚାଲି ଶବାଧାର ସହ ଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ର ମୁଖ୍ୟ ଯେତେବେଳେ ରାଷ୍ଟ୍ର ନାୟକଙ୍କ ଅନ୍ତିମ ଯାତ୍ରାରେ ଚାଲି ଚାଲି ଯାଉଥିଲେ, ସାରା ଦେଶ, ସାରା ବିଶ୍ୱ ଏହି ଶୋଭାଯାତ୍ରାକୁ ସଲାମ କରୁଥିଲା । ଆଉ ଇତିହାସ ପୃଷ୍ଠାରେ ଯୋଡି ହୋଇ ଯାଇଥିଲା ପୂଜ୍ୟ ପୂଜାର ଆଉ ଏକ ଅଧ୍ୟାୟ ।

ତାଙ୍କ ସହ ଚାଲୁଥିଲେ ଦେଶର ଅନେକ ରାଜନେତା, ମନ୍ତ୍ରୀ, ସମର୍ଥକ ଆଉ ସାଧାରଣ ଜନତା । ଚାରିଆଡେ ଶୁଭୁଥିଲା ସେହି ଗୋଟିଏ ସ୍ୱର । ଅଟଳ ଜୀ ଅମର ରହେ,ବାଜପେୟୀ ଜୀ ଅମର ରହେ । ଜନସମୁଦ୍ର ହୋଇଯାଇଥିଲା ଅଟଳଙ୍କ ଅନ୍ତିମ ଯାତ୍ରା । ସେହି ଦୃଶ୍ୟ ଜଣାଇ ଦେଉଥିଲା ନେତା ଓ ଜନତାଙ୍କ ସଂପର୍କ । ସେହି ଦୃଶ୍ୟ ଜଣାଇ ଦେଉଥିଲା ଜଣେ ଜନନେତାଙ୍କ ଲୋକପ୍ରିୟତା । ସେହିି ଦୃଶ୍ୟ ଥିଲା ଚଳିତ ଶତାବ୍ଦୀର ଅନ୍ୟତମ ଶ୍ରେଷ୍ଠ ପୁରୁଷଙ୍କ ଶେଷ ଯାତ୍ରା ।