ରାଜଧାନୀର ରାଜରାସ୍ତାରେ ଚାଲିଲେ ପ୍ରଧାନମନ୍ତ୍ରୀ ! ସୁରକ୍ଷା କବଚ ଭାଙ୍ଗି ଲୋକଙ୍କ ସହ ମିଶିଲେ ମୋଦି

21

କନକ ବ୍ୟୁରୋ : ରାଜଧାନୀର ରାଜରାସ୍ତାରେ ଚାଲିଲେ ପ୍ରଧାନମନ୍ତ୍ରୀ । ସୁରକ୍ଷା କବଚ ଡେଇଁ ଲୋକଙ୍କ ସହ ମିଶିବା ପାଇଁ ବାହାରି ଆସିଲେ ନରେନ୍ଦ୍ର ମୋଦି । ବୁଲେଟ୍ ପ୍ରୁଭ୍ ଏସ୍ୟୁଭି କାର ଛାଡ଼ି ଚାଲି ଚାଲି ଲୋକଙ୍କୁ ଅଭିବାଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅବସରରେ ଭୁବନେଶ୍ୱର ଆସିଥିବା ମୋଦିଙ୍କୁ ଆଜି ଏଭଳି ଏକ ରୁପରେ ଦେଖିବାକୁ ମିଳିଛି ।

ଭୁବନେଶ୍ୱର ବିମାନ ବନ୍ଦରୁ ଜନତା ମୈଦାନ ଅଭିମୁଖେ ଏକ ରୋଡ୍ ସୋ କରି ଆସୁଥିବା ବେଳେ ମୋଦି ହଠାତ୍ ଜୟଦେବ ବିହାର ଛକ ନିକଟରେ ଅଟକି ଥିଲେ । ଯେଉଁଠି ଥିଲେ ହଜାର ହଜାର ବିଜେପି ସମର୍ଥକ ଏବଂ ସାଧାରଣ ଜନତା । ମୋଦିଙ୍କ ପ୍ରତି ଲୋକଙ୍କ ଥିବା ଭଲ ପାଇବାକୁ ଦେଖି ନିଜ ବୁଲେଟ୍ ପ୍ରୁଭ୍ କାରରୁ ଓହ୍ଲାଇ ଆସିଥିଲେ । ଜୟଦେବ ବିହାର ଛକ ନିକଟରେ ବିଜେପିର ଏସ୍ସି ଏସ୍ଟି ସେଲ୍ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ କରିବା ପାଇଁ ରୁଣ୍ଡ ହୋଇଥିଲେ ବହୁ ସମର୍ଥକ ।

ଆଉ ଠିକ୍ ଏହି ସମୟରେ କାରରୁ ଓହ୍ଲାଇ ପଡ଼ି ବ୍ୟାରିକୋଟ୍ ନିକଟକୁ ଚାଲିଆସିଥିଲେ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଏସ୍ପିଜି ଗାର୍ଡମାନେ ମଧ୍ୟ ତାଙ୍କୁ ଏଥିରୁ ବିରତ କରିବା ପାଇଁ ନିବେଦନ କରିଥିଲେ । ହେଲେ ମୋଦି ପ୍ରଟୋକଲ ଭୁଲି ଲୋକଙ୍କ ପାଖକୁ ଚାଲିଆସିଥିଲା । ରାଜଧାନୀର ରାଜରାସ୍ତାରେ ମୋଦି ଚାଲୁଥିବା ଦୃଶ୍ୟ ସେଠାରେ ଥିବା ଲୋକଙ୍କୁ ବେଶ ଉତ୍ସାହିତ କରଥିଲା । ଏମିତିକି ମୋଦିଙ୍କ ଏହି ଖବରକୁ ବିଭିନ୍ନ ଜାତୀୟ ଗଣମାଧ୍ୟମର ପ୍ରତିଧିନି ମାନେ ମଧ୍ୟ ବେଶ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳିଛି ।