କୋଲକାତାରେ ହାଇଡ୍ରାମା ! ମମତା କହିଲେ ସିବିଆଇ ଉପରେ କେନ୍ଦ୍ରର ଚାପ, ସରିଆସୁଛି ମୋଦିଙ୍କ ସମୟ ।

208

କନକ ବ୍ୟୁରୋ : ମମତାଙ୍କ ଗଡ ପଶ୍ଚିମବଙ୍ଗରେ ପଲଟିକାଲ ହାଇଡ୍ରାମା । ଆଜି ୫ ଜଣ ସିବିଆଇ ଅଧିକାରୀଙ୍କୁ ଗିରଫ କରିଛି କୋଲକାତା ପୁଲିସ । କୋଲକାତା ପୁଲିସ କମିସନରଙ୍କ ଘରକୁ ଚିଟଫଣ୍ଡ ଦୁର୍ନୀତି ମାମଲାର ତଦନ୍ତ କରିବାକୁ ଆସିଥିଲା ସିବିଆଇ । ହେଲେ କୋଲକାତା ପୁଲିସ କମିସନରଙ୍କ ଘରକୁ ଘେରାବନ୍ଦୀ କରି ୫ ସିବିଆଇ ଅଧିକାରୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଏହାପରେ କୋଲକାତାରେ କେନ୍ଦ୍ର ବନାମ ରାଜ୍ୟ ସରକାରଙ୍କ ଲଢେଇ ଚରମ ସୀମାରେ ପହଂଚିଛି । ସାମ୍ବିଧାନିକ ସଂସ୍ଥାକୁ ବିରୋଧ କରିବା ପରଂପରା ଦେଶର ଅନ୍ୟ କୌଣସିଠାରେ ଦେଖିବାକୁ ମିଳିନଥିଲା ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଥିବା ତିକ୍ତତା ସାରା ଦେଶକୁ ଜଣା । କିଛି ଦିନ ତଳେ ସିବିଆଇକୁ ପଶ୍ଚିମବଙ୍ଗକୁ ପୁରାଇ ଦେବ ନାହିଁ ବୋଲି ଘୋଷଣା କରିଥିଲେ ମମତା । ଯାହାକୁ ଆଜି କାର୍ଯ୍ୟକାରୀ କରିଛନ୍ତି ଓ ଏବେ ପଶ୍ଚିମବଙ୍ଗରେ ଏକ ପଲଟିକାଲ ହାଇଡ୍ରାମା ଦେଖିବାକୁ ମିଳିଛି । କୋଲକାତା ପୁଲିସ ସିବିଆଇ ଅଧିକାରୀଙ୍କୁ ଗିରଫ କରିବା ସାରା ଦେଶରେ ହଇଚଇ ସୃଷ୍ଟି କରିଛି ।

ତେବେ ଏହି ଘଟଣା ପରେ ସାମ୍ବାଦିକ ସମ୍ମିଳନୀ କରି ପ୍ରତିକ୍ରିୟା ରଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । ଏଭଳି ଘଟଣା ନେଇ ବିଜେପି ଉପରେ ବର୍ଷିଛନ୍ତି ମମତା । ସେ କହିଛନ୍ତି, ଆମ ଧୈର୍ଯ୍ୟର ପରୀକ୍ଷା ନିଆଯାଉଛି । ସାରା ଦେଶ ମୋଦିଙ୍କୁ ନେଇ ବିଚଳିତ ଅଛି । ସିବିଆଇ ଉପରେ ପ୍ରଧାନମନ୍ତ୍ରୀଙ୍କ ଚାପ । କେନ୍ଦ୍ର ସିବିଆଇ ଉପରେ ଚାପ ପକାଉଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି କହିଛନ୍ତି । ସେ କହିଛନ୍ତି, ପ୍ରତିଶୋଧର ରାଜନୀତି କରୁଛନ୍ତି ମୋଦି । ବିପେିର ଏକ୍ସପାଏରୀ ଡେଟ୍ ନିକଟକୁ ଆସୁଥିବା ମମତା କହିଛନ୍ତି । ସାମ୍ବିଧାନିକ ବ୍ୟବସ୍ଥାକୁ ନଷ୍ଟ କରୁଛନ୍ତି ମୋଦି । ଦେଶରେ ମୋଦି ଏବଂ ଶାହା ଅରାଜକତା କରୁଥିବା ମମତା କହିଛନ୍ତି ।

ଆଜି କୋଲକାତାରେ ଚାଲିଥିବା ଏହି ହାଇଡ୍ରାମାର କାରଣ ହେଉଛନ୍ତି ପୁଲିସ କମିସନର ରାଜୀବ କୁମାର । ଯିଏ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହଯୋଗୀ ବୋଲି ଚର୍ଚ୍ଚା ହୁଏ । ଏହାଛଡା ଚିଟଫଣ୍ଡ ଦୁର୍ନୀତି ସଂପର୍କିତ କିଛି ଦସ୍ତାବିଜ ଗାଏବ ଥିବା ଚର୍ଚ୍ଚା ହେଉଛି । ଚିଟଫଣ୍ଡ ମାମଲାରେ କୋଲକାତା ପୋଲିସ କମିସନର ରାଜୀବ କୁମାରଙ୍କୁ ଗିରଫ କରିବା ଚର୍ଚ୍ଚା ଜୋର ଧରିଥିଲା । ଗଣମାଧ୍ୟମରେ ଏନେଇ ଚର୍ଚ୍ଚା ହେବା ପରେ ପଶ୍ଚିମବଙ୍ଗରେ ହଲଚଲ ସୃଷ୍ଟି ହୋଇଥିଲା । ୧୯୮୯ ବ୍ୟାଚ୍ ଆଇପିଏସ୍ ଅଧିକାରୀ ରାଜୀବ କୁମାରଙ୍କର ଗତ ତିନି ହେଲା ପତା ମିଳୁନଥିବା ଜଣାପଡିଛି । ଏପରିକି ଇଲେକ୍ସନ୍ କମିସନ୍ ଡାକିଥିବା ବୈଠକରେ ମଧ୍ୟ ରାଜୀବ କୁମାର ଯୋଗ ଦେଇନଥିଲେ ।

ପଶ୍ଚିମବଙ୍ଗ ଚିଟଫଣ୍ଡ ଦୁର୍ନୀତି କରୁଥିବା ଏସଆଇଟିର ମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ରାଜୀବ କୁମାର । ତେବେ ତାଙ୍କ ସମୟରେ ତଦନ୍ତ ପ୍ରକ୍ରିୟା ଧିମେଇ ଯାଇଥିବା ଅଭିଯୋଗ ହୋଇଥିଲା । ଶାରଦା ଓ ରୋଜଭ୍ୟାଲି ଚିଟଫଣ୍ଡ ଠକେଇର ତଦନ୍ତ କରୁଥିଲେ ରାଜୀବ । ତଦନ୍ତରେ ରାଜୀବ କୁମାର ଅନିୟମିତତା କରିଥିବା ସଂଦେହ କରିଛି ସିବିଆଇ । ତାଙ୍କ ଠାରୁ ତଦନ୍ତ ସଂପର୍କିତ କାଗଜପତ୍ର ଚାହୁଁଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ଏସଆଇଟି ଅଧ୍ୟକ୍ଷ ଭାବେ ଜାମ୍ମୁ କଶ୍ମୀରରୁ ଶାରଦା ଚିଟଫଣ୍ଡ ମୁଖ୍ୟ ସୁଦୀପ୍ତ ସେନ୍ ଓ ତାଙ୍କ ସହଯୋଗୀ ଦେବଯାନୀଙ୍କୁ ଗିରଫ କରିଥିଲେ ରାଜୀବ କୁମାର । ଗିରଫ କରିବା ସମୟରେ ସେମାନଙ୍କ ଠାରୁ ଯେଉଁ ଡାଏରୀ ଜବତ ହୋଇଥିଲା, ତାକୁ ରାଜୀବ କୁମାର ଗାଏବ କରି ଦେଇଥିବା ସଂଦେହ କରୁଛି ସିବିଆଇ ।