ବିଜେପି ଫୋକସରେ ଓଡ଼ିଶା । ଆସନ୍ତା ୧୫ରେ ଓଡ଼ିଶା ଆସିବେ ମୋଦି, ସାଥିରେ ଆଣିବେ ୧୫୫୦ କୋଟିର ପ୍ୟାକେଜ ।

ଓଡ଼ିଶା ପାଇଁ ପୁଣି ପ୍ୟାକେଜ ନେଇ ଆସୁଛନ୍ତି ମୋଦି`ଆଗାମୀ ଲୋକସଭା ନିର୍ବାଚନକୁ ଆଉ କେଇମାସ ବାକି ରହିଥିବାବେଳେ ମୋଦିଙ୍କ ଘନ ଘନ ଓଡ଼ିଶା ଗସ୍ତ ।

589

କନକ ବ୍ୟୁରୋ: ପୁଣି ପ୍ୟାକେଜ ନେଇ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଗାମୀ ଲୋକସଭା ନିର୍ବାଚନକୁ ଆଉ କେଇମାସ ବାକି ରହିଥିବାବେଳେ ମୋଦିଙ୍କ ଘନ ଘନ ଓଡ଼ିଶା ଗସ୍ତ । ଏହି ମର୍ମରେ ଜାତୀୟଦଳ ଠାରୁ ଆରମ୍ଭ କରି ଆଞ୍ଚଳିକ ଦଳ ପର୍ଯ୍ୟନ୍ତ ଅଙ୍କ କଷା କଷି ଆରମ୍ଭ କରିସାରିଲେଣି । ତେବେ ମୋଦିଙ୍କ ଫୋକସରେ ଥିବା ଓଡ଼ିଶାକୁ ପୁଣି ମିଶନ ୧୨୦ ଆଶା ନେଇ କ୍ରମାଗତ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

modi and naveenଗତ ଡିସେମ୍ବର ୨୪ରେ ଖୋର୍ଦ୍ଧା ଏବଂ ଚଳିତ ଜାନୁୟାରୀ ୫ ତାରିଖରେ ବାରିପଦା ଗସ୍ତ ପରେ ଗତ ଏକ ମାସ ମଧ୍ୟରେ ତୃତୀୟ ଥର ପାଇଁ ଆସନ୍ତା ୧୫ରେ ବଲାଙ୍ଗୀର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସୂଚନା ମୁତାବକ ଏହି ଗସ୍ତ ସମୟରେ ମୋଦି ୧୫୫୦ କୋଟିର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ବୋଲି ଜଣାପଡ଼ିଛି । ଏହାସହ ବାରିପଦାରେ ବିଜେଡି ପ୍ରତି ନରମ ରହିଥିବା ମୋଦି ବଲାଙ୍ଗୀରରେ ବିଜେଡି ପ୍ରତି କେଉଁ ଆଭିମୂଖ୍ୟ ଗ୍ରହଣ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

modi baripada visitସେପଟେ ଗସ୍ତ ସମୟରେ ମୋଦିଙ୍କ ଏହି ୧୫୫୦ କୋଟିର ପ୍ୟାକେଜରେ ରହିଛି ବିଭିନ୍ନ ଯୋଜନା । ଯାହାକୁ ଉଦଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ପ୍ୟାକେଜରେ ବଲାଙ୍ଗିର ଓ ବିଛୁପାଲି ଷ୍ଟେସନ ମଧ୍ୟରେ ନୂତନ ଟ୍ରେନର ଲୋକାର୍ପଣ, ଖୋର୍ଦ୍ଧା-ବଲାଙ୍ଗିର ପଟୁ ଆରମ୍ଭ ହେବାକୁ ଥିବା ରେଳ ଚଳାଚଳ ଏବଂ ସୋନପୁରଠାରେ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ଶିଳାନ୍ୟାସ କରିବେ ମୋଦି । ଏହାସହ ୬ଟି ଜିଲ୍ଲାର ମୁଖ୍ୟ ଡାକଘରେ ପାସପୋର୍ଟ ସେବା ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ରେଳ, ଡାକ, ମାନବ ସମ୍ବଳ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆସନ୍ତା ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସକାଳ ୯ଟା ୩୦ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଂଚିବେ । ଏହାପରେ ସେଠାରୁ ହେଲିକେପ୍ଟର ଯୋଗେ ବଲାଙ୍ଗୀର ଆସିବେ। ବଲାଙ୍ଗୀରରେ ପହଂଚି ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଭିତ୍ତିରିପ୍ରସ୍ତର ସ୍ଥାପନ କରିବେ ବୋଲି ସ୍ଥିରୀକୃତ ହୋଇଛି । ଏହା ପରେ କାର୍ଯ୍ୟସୂଚୀ ମୁତାବକ ୧୧ଟା ୪୫ ମିନିଟରେ ପଥରଚେପା ପଡ଼ିଆରେ ଆୟାଜିତ ଏକ ସାଧାରଣ ସଭାରେ ଯୋଗ ଦେବେ । ଏହାପରେ ୧ଟା ୪୫ ମିନିଟ୍ ରେ କେରଳ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ଗତ ୫ ତାରିଖ ବାରିପଦା ଗସ୍ତରେ ଆସି ଓଡ଼ିଶାକୁ ୪୫୦୦ କୋଟି ଟଙ୍କାର ପ୍ରକଳ୍ପର ଭେଟି ଦେଇଥିଲେ ମୋଦି । ମାତ୍ର କଂଗ୍ରେସ ଉପରେ ବର୍ଷି ବିଜେଡ଼ିକୁ ବୁଲେଇ ବଙ୍କେଇ ନିଶାନା କରିଥିଲେ ଏବେ ମୋଦି ବଲାଙ୍ଗୀର ଗସ୍ତରେ ଆସି ବିଜେଡି ସରକାର ଉପରେ ବର୍ଷିବେ ନା ପୁଣି ଥରେ ନରମ ରହିବେ ତାହା ଉପରେ ରହିଛି ସମସ୍ତଙ୍କ ନଜର ।