ବଂଶବାଦ ରାଜନୀତିକୁ ଦୋହଲାଇଦେଲା ମୋଦି ସୁନାମୀ । ମୋଦି କିମିଆ ଆଗରେ ମାତ୍ ଖାଇଲା ପରିବାରବାଦ ରାଜନୀତି, ଚିତ୍ ମାରିଲେ ହେଭିୱେଟ୍ ନେତା ।

141

କନକ ବ୍ୟୁରୋ : ୨୦୧୯ ଲୋକସଭା ନିର୍ବାଚନ ବଂଶବାଦ ରାଜନୀତିକୁ ଦୋହଲାଇ ଦେଇଛି ମୋଦି ସୁନାମୀ । ପରିବାରବାଦର ରାଜନୀତି ଏଥର ମୋଦି କିମିଆ ଆଗରେ ମାତ ଖାଇଛି । ଉତରାଧିକାରୀ ସୂତ୍ରରେ ରାଜନୈତିକ ମୈଦାନରେ ପାଳି ଖେଳିଆସୁଥିବା ହେଭିୱେଟ ନେତାଙ୍କୁ ପରାଜୟ ମୁହଁ ଦେଖିବାକୁ ପଡିଛି । ୨୦୧୯ ନିର୍ବାଚନରେ ମୋଦିଙ୍କ ଯାଦୁ ଜନତାଙ୍କ ଉପରେ ଏପରି ସବାର ହୋଇଥିଲା ଯେ, ବିରୋଧୀଙ୍କ ସବୁ ପ୍ରକାର ପ୍ରସ୍ତୁତି, ରଣନୀତି ଧରାଶାୟୀ ହୋଇଛି ।

ମୋଦି ମ୍ୟାଜିକ ଆଗରେ ସବୁ ଫିକା । ଧରାଶାୟୀ ହୋଇଛି ବଂଶବାଦ ରାଜନୀତି । ବଂଶବାଦ ରାଜନୀତି ଉପରେ ମୋଦୀ ଲହରର ପ୍ରଚଣ୍ଡ ପ୍ରହାର । ମୋଦି କିମିଆର ମୁକାବିଲା କରିନପାରି ନିର୍ବାଚନୀ ମୈଦାନରେ ବହୁ ହେଭିୱେଟ ନେତା ଚିତ୍ ମାରିଛନ୍ତି । ବିଶେଷ କରି ଦଳ ଭିତରେ ପରିବାରବାଦକୁ ଅଗ୍ରାଧିକାର ଦେଉଥିବା ନେତାଙ୍କୁ ମୋଦି ସୁନାମୀ ଧୋଇ ନେଇଛି ।

ଯାଦବ କୂଳକୁ ଶକ୍ତ ଝଟକା ।
ଉତ୍ତରପ୍ରଦେଶରେ ଯାଦବ ପରିବାରକୁ ଶକ୍ତ ଧକ୍କା । କେବଳ ସପା ସୁପ୍ରିମୋ ଅଖିଳେଶ ଯାଦବ ଆଜମଗଡ ଆସନରୁ ଓ ସପା ପ୍ରତିଷ୍ଠାତା ମୁଲାୟମ ସିଂହ ମୈନପୁରୀ ଲୋକସଭା ଆସନରୁ ନିର୍ବାଚନ ଜିତିଛନ୍ତି । କିନ୍ତୁ ଅଖିଳେଶଙ୍କ ପତ୍ନୀ ଡିମ୍ପଲ, କନୌଜ ଲୋକସଭା ଆସନରେ ହାରି ଯାଇଛନ୍ତି । ସେହିପରି ମୁଲାୟମଙ୍କ ଭାଇ ଶିବପାଲ ଯାଦବ ଫିରୋଜାବାଦରୁ ପରାଜିତ ହୋଇଛନ୍ତି ।

ବିହାରରେ ବହିଲା ମୋଦି ଲହର
ମୋଦୀ ଲହରରେ ସୁବଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଆରଜେଡି । ଲାଲୁଙ୍କ ଝିଅ ମିସା ଭାରତୀ ବିହାରର ପାଟଳିପୁତ୍ର ଆସନରୁ ନିର୍ବାଚନ ହାରି ଯାଇଛନ୍ତି । ଏହା ସହ ମହାମେଂଟକୁ ଲାଗିଛି ଏକ ଶକ୍ତ ଝଟକା ।

ହରିଆଣାରେ ହାରିଲେ ମୋଦି ବିରୋଧୀ
ଅନ୍ୟପଟେ ହରିୟାଣାରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରିବାର ମଧ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛନ୍ତି । ଭୁପିନ୍ଦର ହୁଦା ସୋନିପତ ଆସନରୁ ଏବଂ ତାଙ୍କ ପୁଅ ଦୀପେନ୍ଦ୍ର ରୋହତକ ଆସନରୁ ନିର୍ବାଚନ ହାରିଛନ୍ତି ।

ମାତ୍ ଖାଇଲେ ମୁଖ୍ୟମନ୍ତ୍ରୀଙ୍କ ପୁଅ
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟ୍ ଯୋଧପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀଙ୍କ ଠାରୁ ହାରିଛନ୍ତି ।

ରାଜାଙ୍କୁ ବି ମିଳିଲାନି ସମର୍ଥନ
ମଧ୍ୟପ୍ରଦେଶର ଗୁନାରେ ଏକ ବଡଧରଣ ପରାଜୟ ବରଣ କରିଛି କଂଗ୍ରେସ । ମାଧବ ରାଓ ସିନ୍ଧିଆଙ୍କ ପୁଅ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ଆସନରୁ ହାରିଛନ୍ତି ।

କର୍ଣ୍ଣାଟକରେ ମୋଦି ମାନିଆ
ସେପଟେ ଦକ୍ଷିଣରେ କର୍ଣ୍ଣାଟକରେ ବଂଶବାଦ ରାଜନୀତି ମଧ୍ୟ ଫେଲ୍ ମାରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି ଦେବଗୌଡା ତୁମକୁର ଆସନରେ ହାରିଥିବା ବେଳେ ତାଙ୍କ ନାତି ନିଖିଳ କୁମାରସ୍ୱାମୀ ମାଣ୍ଡ୍ୟା ଆସନରେ ପରାଜିତ ହୋଇଛନ୍ତି ।

ପରିବାରବାଦକୁ ଜାବୁଡି ରାଜନୀତିରେ ସକ୍ରିୟ ଥିବା ଏକାଧିକ ନେତା ୨୦୧୯ ନିର୍ବାଚନରେ ମୋଦି ପ୍ରଭାବ ଆଗରେ ନିଜ ସ୍ଥିତି ହରାଇଛନ୍ତି ।