ଆସନ୍ତା ସେପ୍ଟେମ୍ବରରେ ପ୍ରଥମ ଥର ପାଇଁ ଆମେରିକା-ଭାରତ ମଧ୍ୟରେ୨+୨ ଆଲୋଚନା : ଆଲୋଚନାକୁ ଗୁରୁତର ସହ ନେଇଛନ୍ତି ଉଭୟ ଦେଶ

42

କନକ ବ୍ୟୁରୋ : ମୋଦି ଭାରତର ପ୍ରଧାନମନ୍ତ୍ରୀ ହେଲାପରେ ବିଭିନ୍ନ ଦେଶକୁ ଗସ୍ତ କରି ସେଠାକାର ନେତାମାନଙ୍କ ସହ ଆଲୋଚନା କରୁଥିବା ଦେଖାଯାଉଛି । ଭାରତରେ ବିଦେଶୀ କମ୍ପାନୀମାନେ କିପରି ଭାବରେ ପୁଞ୍ଜି ନିବେଶ କରିବେ ଯେଉଁଥିରେ ଭାରତର ଆର୍ଥିକ ଅବସ୍ଥା ମଜବୁତ ହେବ ସେନେଇ ଅନେକ ସମ୍ମିଳନୀ କରିବା ସହ ମେକ ଇନ ଇଣ୍ଡିଆ କନକ୍ଲେଭ ଭଳି ଅନେକ କାର୍ଯ୍ୟକ୍ରମ ହାତକୁ ନେଇଥିବା ଦେଖାଯାଉଛି । ଏପରିକି ଆମେରିକା ସହ ଭାରତର ସମ୍ପର୍କରେ ଯେଉଁପ୍ରକାର ସିଥିଳତା ଦେଖାଯାଇଥିଲା ସେଥିରେ ଅନେକ ମାତ୍ରାରେ ସୁଧାର ହୋଇଥିବା ଦେଖାଯାଇଛି । କେବଳ ଆମେରିକା ନୁହେଁ ସାରା ବିଶ୍ୱରେ ଭାରତର ଏକ ଛବି ଦେଇପାରିଛନ୍ତି । ଓବାମା ରାଷ୍ଟ୍ରପତି ଥିବା ସମୟରେ ମୋଦି ୩ ରୁ ଉର୍ଦ୍ଧ୍ୱ ଥର ଭେଟି ଆଲୋଚନା କରିଥିବା ଦେଖାଯାଇଛି । ଏପରିକି ଆତଙ୍କବାଦ ମାମଲାରେ ଜାତିସଂଘରେ ଭାରତକୁ ସମର୍ଥନ ଦେବା ସହ ସ୍ଥାୟୀ ସଦସ୍ୟତା କରିବା ପାଇଁ ମଧ୍ୟ ଦାବୀ କରିଥିଲା । ଏପରି ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଆସନ୍ତା ସେପ୍ଟେମ୍ବର ୬ ତାରିଖ ଦିନ ରାଜଧାନୀ ଦିଲୀରେ ଭାରତ ଏବଂ ଯୁକ୍ତରାଷ୍ଟ୍ର ମଧ୍ୟରେ ସର୍ବ ପ୍ରଥମ ‘୨+୨ ଆଲୋଚନା’ ଆୟୋଜନ କରାଯିବ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ବିଭାଗ ଶୁକ୍ରବାର ଦିନ ଘୋଷଣା କରିଛି ।

ବୈଦେଶିକ ବିଭାଗର ମୁଖପାତ୍ର ହିଦର୍ ନୌରେଟ୍ ଏକ ବିବୃତିରେ କହିଛନ୍ତି ଯେ, ଆନନ୍ଦର ସହ ଯୁକ୍ତରାଷ୍ଟ୍ର ଆମେରିକା ଘୋଷଣା କରୁଛି କି, ସେପ୍ଟେମ୍ବର ୬ ତାରିଖ ଦିନ ଭାରତର ନୂଆଦିଲ୍ଲୀ ଠାରେ ଯୁକ୍ତରାଷ୍ଟ୍ର ଆମେରିକା-ଭାରତ ୨+୨ ଆଲୋଚନା ଉଦ୍ଘାଟନ ହେବ । ତେବେ ଏବାକୁ ଭାରତ ଅପେକ୍ଷା କରିଥିବା ଜଣାପଡିଛି । ସେପ୍ଟେମ୍ବର ମାସରେ ଦୁଇ ଦେଶ ମଧ୍ୟରେ ଆଲୋଚନାର ଉଦ୍ଘାଟନ ହେବ ବୋଲି ଗତ ସପ୍ତାହରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗର ଉନ୍ନତି ଏବଂ ଦୃଢ଼ିକରଣ ବିଷୟରେ ନିର୍ଦ୍ଧାରିତ ଆଲୋଚନାର ଉଦ୍ଦେଶ୍ୟ। ସୀତାରମଣ ସାମ୍ବାଦିକମାନଙ୍କୁ କହିଛନ୍ତି, ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଯୁକ୍ତରାଷ୍ଟ୍ର ଆମେରିକା ସହ ୨+୨ ଆଲୋଚନା ସଙ୍ଗଠିତ ହେବ । ଏହି ଆଜେଣ୍ଡା ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ଉନ୍ନତ ଓ ମଜଭୁତ କରାଯିବା ଉପରେ ଗୁରୁତ୍ୱ ଦେବା ସହ ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଜିମ୍ ମେଟ୍ଟିଙ୍କ ସହ କ’ଣ ଗୋପନ ଆଲୋଚନା କରାଯାଇଛି ତାହା ଉନ୍ମୁକ୍ତ ହେବ ।

ଉଭୟ ଦେଶରଆଲୋଚନା ଚଳିତ ମାସରେ ହେବାର ଥିଲା କିନ୍ତୁ କେତେକ ଅନିର୍ବାଯ୍ୟ କାରଣ ଯୋଗୁଁ ଆମେରିକା ତାହାକୁ ଆସନ୍ତା ମାସକୁ ଘୁଞ୍ଚାଇ ଦେଇଛି । ସୀତାରମଣ କହିଛନ୍ତି ଯେ ଆମେରିକୀୟ ବୈଦେଶିକ ସଚିବ ପମ୍ପେଓ ଜୁଲାଇ ପ୍ରଥମ ସପ୍ତାହରେ ଉତ୍ତର କୋରିଆ ଗସ୍ତରେ ଥିବାରୁ ଆଲୋଚନା ବାତିଲ କରାଯାଇଥିଲା । ଜୁନ୍ ୨୦୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ ସମୟରେ ଦୁଇ ପକ୍ଷ ‘୨+୨’ ଆଲୋଚନା ପାଇଁ ସମ୍ମତି ପ୍ରକାଶ କରିଥିଲେ । ତେବେ ସାରା ବିଶ୍ୱ ଆମେରିକା ଓ ଭାରତର ଏହି ଆଲୋଚନାକୁ ନଜରରେ ରଖିଥିବା ଜଣାପଡିଛି । ଆଗକୁ କିପରି ଭାବରେ ଉଭୟ ଦେଶ ପରସ୍ପରକୁ ସହାୟତା କରିବା ସହ ଆତଙ୍କ ବିରୋଧରେ ଲଢେଇ କରିବେ ତାହା ମଧ୍ୟ ଏହି ବୈଠକରେ ଆଲୋଚନା ହୋଇପାରେ ।