ସଚେତନ ହେଲେ, ସାହସ ବଢ଼ାଇଲେ ଜନତା । ‘ଜନତା କର୍ଫ୍ୟୁ’ରେ ଦେଶବାସୀଙ୍କ ଅଦ୍ଭୁତପୂର୍ଣ୍ଣ ସମର୍ଥନ ପାଇଁ ଧନ୍ୟବାଦ ଦେଲେ ମୋଦି । ରାଜ୍ୟ ସରକାରଙ୍କ ଲକ୍ ଡାଉନକୁ ପାଳନ କରିବାକୁ ଆହ୍ୱାନ ।

1,580

କନକ ବ୍ୟୁରୋ: କରୋନା ଭୂତାଣୁକୁ ରୋକିବାକୁ ଆଜି ସାରା ଦେଶ ସାମିଲ ହୋଇଛି ଜନତା କର୍ଫ୍ୟୁରେ । ଘରେ ଘରେ ନିଜକୁ ଲକଡାଉନ୍ କରିଛନ୍ତି ଦେଶବାସୀ । ଆଉ ଏହାରି ଭିତରେ ସନ୍ଧ୍ୟା ୫ଟା ବାଜିବା ମାତ୍ରେ ସାରା ଦେଶରେ ଶୁଭିଛି ଘଂଟିର ଶବ୍ଦ । କରୋନା ଭୂତାଣୁ ମହାମାରୀର ରୂପ ନେଇଥିବା ବେଳେ ଏଭଳି ସମୟରେ ନିଜକୁ ଅନ୍ୟମାନଙ୍କ ସେବା ପ୍ରତି ଉତ୍ସର୍ଗ କରିଥିବା ବ୍ୟକ୍ତିବିଶେଷଙ୍କୁ ତାଳି ମାରି ଧନ୍ୟବାଦ ଜଣାଇଛି ଭାରତ । ‘ଜନତା କର୍ଫ୍ୟୁ’ର ଅଭୂତତପୂର୍ବ ସଫଳତାକୁ ନେଇ ମୋଦୀ ଟୁଇଟ କରି ଲେଖିଛନ୍ତି, ଦେଶରେ ଏଯାବତ କରୋନାଭାଇରସ୍‌ ସଂକ୍ରମଣ ସଂଖ୍ୟା ୩୦୦ରୁ ଊର୍ଧ୍ୱ ଟପି ସାରିଲାଣି। କରୋନାଭାଇରସ୍‌ ବିରୋଧୀ ଯୁଦ୍ଧର ନେତୃତ୍ୱ ନେଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦେଶ ଏକ ହୋଇ ଧନ୍ୟବାଦ ଜଣାଇଛି । ଏଥିପାଇଁ ଦେଶବାସୀଙ୍କୁ ଅନେକ ଅନେକ ଧନ୍ୟବାଦ।

ଆଜିର ‘ଜନତା କର୍ଫ୍ୟୁ’ ରାତି ୯ଟାରେ ଶେଷ ହୋଇଛି । କିନ୍ତୁ ଏହାର ଅର୍ଥ ନୁହେଁ କି ଆମେ ଖୁସି ହୋଇଯିବା । ଏହାକୁ ସଫଳତା ବୋଲି ଧରନ୍ତୁ ନାହିଁ । ଏହା ଏକ ଦୀର୍ଘତମ ଯୁଦ୍ଧର ଆରମ୍ଭ ମାତ୍ର । ଆଜି ଦେଶବାସୀ ‘ଜନତା କର୍ଫ୍ୟୁ’କୁ ସଫଳ କରି ନିଜକୁ ସକ୍ଷମ ବୋଲି ପ୍ରମାଣ ଦେଇଛନ୍ତି। ଏପରି ମନୋବଳ ରଖିଲେ ଆଗାମୀ ଦିନରେ ଏକାଠି ହୋଇ କଠିନରୁ କଠିନ ସମସ୍ୟାକୁ ଦୂର କରି ପାରିବା ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଉଥିବା ନିର୍ଦ୍ଦେଶକୁ ଅବଶ୍ୟ ପାଳନ କରନ୍ତୁ । ଯେଉଁ ଜିଲ୍ଲା ଓ ରାଜ୍ୟରେ ଲକ୍‌-ଡାଉନ୍‌ ଘୋଷଣା କରାଯାଇଛି ସେହି ସ୍ଥାନରେ ଲୋକମାନେ ଆଦୌ ଘରୁ ବାହାରକୁ ବାହାରନ୍ତୁ ନାହିଁ। ସେମିତି ବାକି ଥିବା ଅଞ୍ଚଳର ବାସିନ୍ଦା ଆବଶ୍ୟକ ନ ଥିଲେ ହିଁ ବାହାରକୁ ବାହାରନ୍ତୁ, ନଚେତ ଘରେ ହିଁ ରୁହନ୍ତୁ ବୋଲି ମୋଦୀ କହିଛନ୍ତି।