ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ କଟକର ଚା’ ବିକାଳି । ପୂରା ଦେଶର ଲୋକଙ୍କୁ ପ୍ରକାଶଙ୍କ କାହାଣୀ କହିଲେ ପ୍ରଧାନମନ୍ତ୍ରୀ

62

କନକ ବ୍ୟୁରୋ : ମୋଦିଙ୍କ ମନ ଜିଣିଲେ ଚା’ ବିକାଳି । ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଟକର ଚା’ ବିକାଳି ପ୍ରକାଶ ରାଓଙ୍କ ପ୍ରଶଂସା କରିଛନ୍ତି । ନିଜେ ଚା ବିକ୍ରି କରି ମାଗଣାରେ ବସ୍ତିର ଗରିବପିଲାଙ୍କୁ ପାଠ ପଢାଉଥିବା ପ୍ରକାଶଙ୍କ ଜୀବନ, ଦେଶପାଇଁ ପ୍ରେରଣାଦାୟୀ ବୋଲି ମୋଦି କହିଛନ୍ତି । ଗତକାଲି କଟକ ଆସିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି, ଚା’ବିକାଳି ପ୍ରକାଶ ରାଓଙ୍କୁ ଭେଟିଥିଲେ ।
କଟକର ଏହି ଚା’ ଦୋକାନୀ ଆଜି ସାରା ଦେଶର ଘରେ ଘରେ ପରିଚିତ । ସମସ୍ତେ ଆଜି ତାଙ୍କୁ ଚିହ୍ନିଛନ୍ତି ତାଙ୍କ କାମକୁ ପ୍ରଶଂସା କରୁଛନ୍ତି । ଦେଶବାସୀଙ୍କୁ ବସ୍ତି ଅଂଚଳର ଏହି ସାଧାରଣ ଚା’ ବିକାଳିଙ୍କ ଅସାଧାରଣ ବ୍ୟକ୍ତିତ୍ୱର ଉଦାହରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରକାଶ ରାଓଙ୍କ ନିସ୍ୱର୍ଥପର ସେବାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ମୋଦି । ଏପରିକି ପ୍ରକାଶ ରାଓ ଅନ୍ୟ ମାନଙ୍କ ସ୍ୱପ୍ନ ପୂରଣ କରିବାକୁ ଅନେକ କଷ୍ଟ କରିଛନ୍ତି ।

ପ୍ରକାଶଙ୍କ ପେଶା, ଚା ବିକ୍ରି କରିବା , ହେଲେ ନିଶା ସମାଜସେବା । ବର୍ଷ ବର୍ଷ ଧରି ନିଜ ଚା’ ଦୋକାନରୁ ରୋଜଗାର ହେଉଥିବା ଟଙ୍କାରେ ପିଲାଙ୍କୁ ପାଠ ପଢାଉଛନ୍ତି ସେ । କଟକର ବସ୍ତିରେ ପ୍ରକାଶ, ଆଶା ଆଶ୍ୱାସନା ନାଁରେ ସ୍କୁଲ୍ କରିଛନ୍ତି । ଯେଉଁଠି ୭୦ରୁ ଅଧିକ ଗରିବ ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କରୁଛନ୍ତି । ଏଥିସହ ରକ୍ତଦାନ ଓ ମେଡିକାଲରେ ରୋଗୀଙ୍କୁ ସେବା ପାଇଁ ସବୁବେଳେ ତତ୍ପର ଥାନ୍ତି ପ୍ରକାଶ । ବସ୍ତିପିଲାଙ୍କୁ ଶିକ୍ଷାଦାନ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିବା ପ୍ରକାଶ ରାଓଙ୍କ ଜୀବନ ବେଶ ପ୍ରେରଣାଦାୟୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଶନିବାର କେନ୍ଦ୍ର ସରକାରଙ୍କ ୪ବର୍ଷର ରିପୋର୍ଟ କାର୍ଡ ଦେବାକୁ କଟକ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ପ୍ରକାଶ ରାଓ ଓ ତାଙ୍କ ସ୍କୁଲରେ ପଢୁଥିବା କିଛି ବସ୍ତି ପିଲାଙ୍କୁ ମୋଦି ସ୍ୱତନ୍ତ୍ର ଭାବେ ଭେଟିଥିଲେ । ପ୍ରାୟ ୧୮ ମିନିଟ୍ ଧରି ପ୍ରଧାନମନ୍ତ୍ରୀ, ସେମାନଙ୍କ ସହ ସମୟ କଟାଇଥିଲେ । ଆଉ ସେହି ୧୮ ମିନିଟର ମୁହୂର୍ତ୍ତକୁ ଜୀବନସାରା ମନେ ରଖିବେ ବୋଲି କହିଛନ୍ତି ପ୍ରକାଶ ରାଓ । ଏପରିକି ପ୍ରଧାନମନ୍ତ୍ରୀ ନିଜେ ତାଙ୍କୁ ଭେଟିବେ ବୋଲି ସେ କେବେ କଳ୍ପନା କରିନଥିଲେ ।

କଟକ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଅଫିସରୁ ତାଙ୍କ ପାଖକୁ କଲ ଆସିଥିଲା । ସମାବେଶ ପୂର୍ବରୁ ପ୍ରଧାନମନ୍ତ୍ରୀ ତାଙ୍କୁ ଭେଟିବାକୁ ଚାହୁଁଥିବା କୁହାଯାଇଥିଲା । କେବଳ ସେ ନୁହେଁ ବରଂ ସାଙ୍ଗରେ ସ୍କୁଲ ପିଲାଙ୍କୁ ଆଣିବାକୁ କୁହାଯାଇଥିଲା । କଡ଼ା ସୁରକ୍ଷା ମଧ୍ୟରେ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସଭାସ୍ଥଳକୁ ନିଆଯାଇଥିଲା । ହେଲିକପ୍ଟରରୁୁ ମୋଦି ଓହ୍ଲାଇବା ପରେ ପ୍ରଥମେ ତାଙ୍କୁ ଭେଟିଥିଲେ । ଏପରିକି ମୋଦି ତାଙ୍କୁ ବେଶ ଭଲଭାବେ ଜାଣିଥିବା କହିଥିଲେ । ଏହାପରେ ସାଙ୍ଗରେ ଯାଇଥିବା ଅନ୍ୟ ୧୫ ଛାତ୍ରଛାତ୍ରୀଙ୍କ ସହ ପ୍ରାୟ ୧୫ ମିନିଟ ସମୟ କାଟିଥିଲେ ମୋଦି । ଏହି ସମୟରେ ପିଲାଙ୍କୁ ଭବିଷ୍ୟତର ଲକ୍ଷ୍ୟ ବିଷୟରେ ପଚାରି ବୁଝିଥିଲେ ମୋଦି । ଏପରିକି ଯଦି କେବେ ସାହାର୍ଯ୍ୟ ଦରକାର ପଡ଼େ ତେବେ ଯୋଗାଯୋଗ କରିବାକୁ ମଧ୍ୟ ଛାତ୍ରଛାତ୍ରୀଙ୍କୁ କହିଥିଲେ ମୋଦି । ଆଉ ମୋଦିଙ୍କ ସହ ବିତାଇଥିବା ସେହି ୧୮ ମିନିଟ୍ ତାଙ୍କ ଜୀବନର ସବୁଠୁ ସ୍ମରଣୀୟ ମୁହୂର୍ତ୍ତ ହୋଇ ରହିଗଲା ବୋଲି କହିଛନ୍ତି ଡି ପ୍ରକାଶ ରାଓ ।