ବିରୋଧୀଙ୍କୁ ଏକେ-୪୭ ସହ ତୁଳନା କଲେ ମୋଦି: କହିଲେ, ବନ୍ଧୁକରୁ ବାହାରୁଥିବା ଗୁଳି ଭଳି ମିଛ ପରେ ମିଛ କହୁଛନ୍ତି ବିରୋଧୀ

ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆକ୍ଷେପ କରି ‘ଚୌକିଦାର ଚୋର ହୈ’ ବୋଲି ବାରମ୍ବାର କହୁଛନ୍ତି

107

କନକ ବ୍ୟୁରୋ : ନିର୍ବାଚନ ସମୟ ଯେତିକି ଯେତିକି ପାଖେଇ ଆସୁଛି ରାଜନୈତିକ ଚର୍ଚ୍ଚା ମଧ୍ୟ ଜୋର ହେବାରେ ଲାଗିଛି । ତେବେ ମିଳିଥିବା ସୂଚନା ଅନୁସାରେ, ଗତ କିଛି ଦିନ ହେବ ମୋଦି ସରକାରକୁ କ୍ରମାଗତ ଭାବରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସମାଲୋଚନା କରିବାରେ ଲାଗିଛନ୍ତି । ରାଫେଲ ଦୁର୍ନୀତି ଠାରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆକ୍ଷେପ କରି ‘ଚୌକିଦାର ଚୋର ହୈ’ ବୋଲି ବାରମ୍ବାର କହୁଛନ୍ତି। ତେବେ ଗତ ଗୁରୁବାର ଦିନ ମୋଦି ରାହୁଲଙ୍କୁ ସମାଲୋଚନା କରିବା ସହ ପୁରୁଣା କାଳିଆ ଫୋନ ସହ ତାଙ୍କୁ ତୁଳନା କରିଥିଲେ ମୋଦି । ସେହି ସମୟରେ ମୋଦି କହିଥିଲେ ଯେ, କଂଗ୍ରେସ ସମୟରେ ଦେଶରେ ଯେତିକି ଉନ୍ନତି ହେବାର କଥା ସେତିକି ପରିମାଣରେ ହୋଇ ପାରିନଥିଲା । ତେଣୁ ବର୍ତମାନ ସମୟରେ ବିଜେପି ସରକାରରେ ହେଉଥିବା ବିକାଶ ମୂଳକ କାମକୁ ଏମାନେ ସହି ପାରୁନାହାନ୍ତି । ତେଣୁ ଅଯଥାରେ ଏପରି ବଦନାମ କରୁଛନ୍ତି । ତେବେ ପୁଣି ଥରେ କଂଗ୍ରେସ ଅଧ୍ୟକ୍ଷଙ୍କର ସମାଲୋଚନାର ଜବାବ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସେ କହିଛନ୍ତି ବିରୋଧୀ ନେତାଙ୍କ ମୁହଁରୁ ଗୁଳି ଭଳି ମିଛକଥା ବାହାରୁଛି।

 

ଶନିବାର ମଧ୍ୟପ୍ରଦେଶ ବିଜେପି ପକ୍ଷରୁ ଆୟୋଜିତ ମେରା ବୁଥ୍ ସବସେ ମଜବୁତ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ମନ୍ତବ୍ୟ ଦେଇଛନ୍ତି କି କେତେକ ବିରୋଧୀ ନେତାଙ୍କ ମୁହଁ ଏକେ-୪୭ ରାଇଫଲ୍ ପରି , ଯେଉଁଥିରୁ ଗୁଳି ଭଳି ମିଛ ପରେ ମିଛ ବାହାରୁଛି’। ଦଳର କର୍ମଚାରୀମାନଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ‘ସେମାନେ ମିଥ୍ୟା ପ୍ରଚାରରେ ଲିପ୍ତ ଅଛନ୍ତି । ତେଣୁ ସେମାନଙ୍କ ମୁଖା ଖୋଲିଦେବା ଦରକାର। ମଧ୍ୟପ୍ରଦେଶରେ ସେମାନଙ୍କର କୌଣସି ପ୍ରସଙ୍ଗ ନାହିଁ,କେବଳ ମିଛ କଥା କହି ଆମକୁ ବଦନାମ କରିବା ସେମାନଙ୍କର ଲକ୍ଷ୍ୟ।’