ଇଭିଏମକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ ! ଜବାବରେ ମୋଦି କହିଲେ, କଂଗ୍ରେସର ଡିଏନଏରେ ରହିଛି ତ୍ରୁଟି

138

କନକ ବ୍ୟୁରୋ : ଇଭିଏମକୁ ନେଇ ନିୟମିତ ଭାବେ ଅଭିଯୋଗ ଉଠାଇ ଆସୁଥିବା କଂଗ୍ରେସକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୀବ୍ର ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, କଂଗ୍ରେସ ଇଭିଏମକୁ ନେଇ ସବୁବେଳେ ସରକାରଙ୍କୁ ସମାଲୋଚନା କରିଆସୁଛି । ବିଶେଷକରି ନିର୍ବାଚନ ହାରିବା ପରେ ଦଳ ସବୁ ଦୋଷ ଇଭିଏମକୁ ଦେଉଛି । କଂଗ୍ରେସର ଡିଏନଏରେ ଏହି ଦୋଷ ରହିଥିବା ଏଥିରୁ ସ୍ପଷ୍ଟ ହେଉଛି । ମୋଦି କହିଛନ୍ତି, ଗଣତନ୍ତ୍ର ନାମରେ କଂଗ୍ରେସ ଦେଶର ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ଟାର୍ଗେଟ୍ କରିବାକୁ ପଛାଉ ନାହିଁ।

ଇଭିଏମ୍ ଉପରେ ବାରମ୍ବାର ପ୍ରଶ୍ନ ଉଠାଇ ଏହା ନିର୍ବାଚନ କମିସନର ସଚ୍ଚୋଟତା ଉପରେ ପ୍ରଶ୍ନ ଉଠାଇ ଅପମାନିତ କରୁଛି । ଏମିତି କି ଏହି ଦଳ ସୁପ୍ରିମ୍ କୋର୍ଟ ଏବଂ ସିଏଜି ଭଳି ସଂସ୍ଥାଙ୍କୁ ମଧ୍ୟ ଛାଡୁନାହିଁ । କଂଗ୍ରେସର ଡିଏନଏରେ ଏହି ତ୍ରୁଟିବିଚ୍ୟୁତି ରହିଯାଇଛି ।

ଉଲ୍ଲେଖଯୋଗ୍ୟ, ନିକଟରେ ରାଫେଲ୍ ଚୁକ୍ତି ମାମଲାରେ ସୁପ୍ରିମ୍ କୋର୍ଟ ସରକାରଙ୍କୁ କ୍ଲିନ୍ଚିଟ୍ ପ୍ରଦାନ କରି ତଦନ୍ତର ଆବଶ୍ୟକତା ନାହିଁ ବୋଲି ରାୟ ଦେବା ପରେ କଂଗ୍ରେସ ଏହାକୁ ସମାଲୋଚନା କରିଥିଲା । ଏମିତି କି ସୁପ୍ରିମ୍ କୋର୍ଟ ନିଜର ଏହି ରାୟକୁ ପ୍ରତ୍ୟାହାର କରିନେବା ଆବଶ୍ୟକ ବୋଲି ଦଳ କହିଥିଲା ।

ମୋଦି କହିଛନ୍ତି, କଂଗ୍ରେସର ଏକ ପୁରୁଣା ଅଭ୍ୟାସ ରହିଆସିଛି । ନିର୍ବାଚନ ଜିତିବା ପରେ ଇଭିଏମ୍ ଠିକ୍ ଅଛି ବୋଲି ଏହା କହୁଛି । ନିର୍ବାଚନ ହାରିବା ପରେ ମେସିନ୍ରେ ତ୍ରୁଟି ଥିବା ଅଭିଯୋଗ କରୁଛି । ଏମିତି କି ନିର୍ବାଚନ ଫଳାଫଳ ବାହାରିବା ପୂର୍ବରୁ ମଧ୍ୟ ଏହି ଦଳ ଇଭିଏମ୍କୁ ନେଇ ନାନା କଥା କହୁଛି । ନିକଟରେ ଅନୁଷ୍ଠିତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପିକୁ ମାତ୍ ଦେଇ କଂଗ୍ରେସ ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ସରକାର ଗଠନ କରିଛି । କିନ୍ତୁ ଏଥର ନିର୍ବାଚନରେ ବ୍ୟବହୃତ ଇଭିଏମ୍ ଉପରେ ଦଳ କୌଣସି ନକାରାତ୍ମକ ଟିପ୍ପଣୀ ଦେଇନାହିଁ । ବରଂ ଏହା ଇଭିଏମର ବିଜୟ ବୋଲି ଦଳ କହିଥିଲା ।